“ମୁଁ ଆତଙ୍କବାଦୀ ନୁହେଁ “! ଆତଙ୍କବାଦୀ ତାଲିକାରୁ ନିଜ ନାଁ ହଟାଇବାକୁ ଜାତିସଂଘରେ ଆବେଦନ କଲା ହାଫିଜ ସୟିଦ

28

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ତଥା ଜମାତ ଉଦ୍ ଦାଓ୍ଵା ମୁଖ୍ୟ ହାଫିଜ ସୟିଦ ମିଳିତ ଜାତିସଂଘ ନିକଟରେ ଆବେଦନ କରି ତାର ନାମ ଆତଙ୍କବାଦୀ ତାଲିକାରୁ କାଟିବା ପାଇଁ ନିବେଦନ କରିଛି। ହାଫିଜ ନଜରବନ୍ଦୀ ଥିବା ସମୟରେ ପାକିସ୍ତାନର ଏକ ଆଇନ ଫାର୍ମ ମିର୍ଜା ଆଣ୍ଡ ମିର୍ଜା ପକ୍ଷରୁ ଜାତିସଂଘ ନିକଟରେ ଏନେଇ ଆବେଦନ କରାଯାଇଛି । ଆବେଦନ କରିଥିବା ନାଭେଦ ରସୁଲ ମିର୍ଜା ପେଶାରେ ଜଣେ ଓଳିଲ । ଏହାସହ ସେ ପୂର୍ବରୁ ପଞ୍ଜାବ ସରକାରଙ୍କ ଆଡଭୋକେଟ ଜେନରାଲ ମଧ୍ୟ ରହି ଆସିଛନ୍ତି ।

imagesଗତ ସପ୍ତାହରେ ଏହି ଆତଙ୍କବାଦୀଙ୍କୁ ପ୍ରମାଣ ଅଭାବରୁ ପାକିସ୍ତାନର ସବୋର୍ଚ୍ଚ ନ୍ୟାୟାଳୟ ମୁକ୍ତ କରିଥିଲେ । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ଗତ ଜାନୁଆରୀରେ ଗୃହବନ୍ଦୀ କରାଯାଇଥିଲା । ତେବେ ହାଫିଜ ମୁକ୍ତ ହେବା ପୂର୍ବରୁ ପଞ୍ଜାବର ପ୍ରାନ୍ତୀୟ ସରକାର ତାଙ୍କୁ ଆଉ ତିନିମାସ ଗୃହବନ୍ଦୀ କରି ରଖିବା ପାଇଁ ନିବେଦନ କରିଥିଲେ । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଖାରଜ କରି ଦେଇଥିଲେ ।
ଗୃହବନ୍ଦୀରୁ ମୁକ୍ତ ହେବା ପରେ ଭାରତ ବିରୋଧରେ ପୁଣିଥରେ ବିଷ ଓଗାଳିଛି ହାଫିଜ । କାଶ୍ମୀରକୁ ସ୍ୱାଧୀନ ହେବ ଏବଂ ଭାରତ ତାଙ୍କ ପଛରେ ନ ପଡୁ ବୋଲି କହିଛି ହାଫିଜ । ଗୃହବନ୍ଦୀରୁ ସେ ମୁକ୍ତ ହେବାକୁ ଭାରତ ସହଜରେ ଗ୍ରହଣ କରିପାରୁ ନାହିଁ । ତେବେ ହାଫିଜକୁ ଗୃହବନ୍ଦୀରୁ ମୁକ୍ତ କରିବା ପରେ ଆତଙ୍କବାଦୀଙ୍କୁ ପାକିସ୍ତାନ ପ୍ରଶୟ ଦେଉଛି ବୋଲି ଭାରତ ଅଭିଯୋଗ କରିଛି ।

ସୂଚନାଯୋଗ୍ୟ ଯେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସଙ୍କଳ୍ପ ୧୨୬୭ରେ ମୋଷ୍ଟ ୱାଣ୍ଟେଡ ହାଫିଜ ସୟିଦକୁ ଜଣେ ଆନ୍ତର୍ଜାତିକ ଆତଙ୍କବାଦୀ ବୋଲି ମିଳିତ ଜାତିସଂଘ ଘୋଷଣା କରିଛି। କେବଳ ସେତିକି ନୁହେଁ, ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ହାପିଜ ସୟିଦଙ୍କୁ ୨୦୦୮ ମସିହା ମେ ମାସରେ ସ୍ପେସିଆଲି ଡେଜିଗନେଟେଡ୍ ଗ୍ଲୋବାଲ ଟେରରିଷ୍ଟ ଭାବେ ଘୋଷଣା କରିଥିଲା। ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ପ୍ରତିବନ୍ଧିତ ସଙ୍ଗଠନ ଲସ୍କର ଇ ତୋଇବା ଆଢ଼ୁଆଲରେ ଜମାତ ଉଦ୍ ଦାଓ୍ଵା ଭାରତର ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ କରିଥିଲା। ଏଥିପାଇଁ ଆମେରିକା ହାଫିଜ ସୟିଦ ନାମରେ ୧ କୋଟି ଡଲାର ପୁରସ୍କାର ଘୋଷଣା କରିଥିଲା।

ସେହିପରି ଆମେରିକା ମଧ୍ୟ ହାଫିଜ ସୟିଦକୁ ଗିରଫ କରିବା ସହିତ ତା ବିରୋଧରେ ଅପରାଧିକ ମାମଲା ଦାୟର କରିବାକୁ ପାକିସ୍ତାନକୁ କହିଛି। ଆମେରିକା ପକ୍ଷରୁ କୁହାଯାଇଛି ଯେ ହାଫିଜ ସୟିଦ ଜଣେ ଆର୍ନ୍ତଜାତିକ ଆତଙ୍କବାଦୀ। ଶହଶହ ନିରିହ ଲୋକଙ୍କୁ ଆତଙ୍କବାଦ ଦ୍ୱାରା ହତ୍ୟା କରିଛି ଲକ୍ସର ଇ ତୋଇବାର ଏହି ଆତଙ୍କବାଦୀ ହାଫିଜ ସୟିଦ। ତେଣୁ ହାଫିଜକୁ ଗିରଫ କରି ତାଙ୍କୁ ଦଣ୍ଡବିଧାନ ପାଇଁ ପାକିସ୍ତାନ ପଦକ୍ଷେପ ନେବାକୁ ଆମେରିକି ବୈଦେଶୀକ ବିଭାଗ ପାକିସ୍ତାନକୁ ଚେତାବନୀ ଦେଇଥିଲା।