ନିର୍ବାଚନ ଲଢିବ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହାଫିଜ ସୟିଦ ! ୨୦୧୮ ପାକିସ୍ତାନ ସାଧାରଣ ନିର୍ବାଚନରେ ଳଢିବାକୁ ଘୋଷଣା

62

ନିର୍ବାଚନ ଲଢିବ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ । ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଆତଙ୍କବାଦୀ ହାଫିଜ ନିର୍ବାଚନ ଲଢେଇରେ ପାଦ ଦେବାକୁ ଯାଉଛି । ୨୦୧୮ ମସିହାରେ ପାକିସ୍ତାନ ସାଧାରଣ ନିର୍ବାଚନ ଲଢିବା କଥା ଘୋଷଣା କରିଛନ୍ତି ଲସ୍କର-ଏ-ତୋଇବାର ମୁଖ୍ୟ ହାଫିଜ ସୟିଦ । ପାକିସ୍ତାନର ଜାତୀୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ସଇଦ ଲାହୋର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିବାର କଥା ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଛି ।

hafiz-saeed-afp_650x400_71511664667ଆତଙ୍କବାଦୀ କାର୍ୟ୍ୟକଳାପରେ ସମ୍ପୃକ୍ତ ଥିବା ସଇଦଙ୍କ ଉପରେ ୨୦୧୨ ମସିହା ଠାରୁ ଆମେରିକୀୟ ଷ୍ଟେଟ୍ ଡିପାର୍ଟମେଣ୍ଟ୍ ୧୦ ମିଲିୟନ୍ ଡଲାର ପୁରସ୍କାର ଘୋଷଣା କରିଥିଲା। ଏପରକି ବିଭିନ୍ନ ମାମଲାରେ ପାକିସ୍ତାନ ସରକାର ହାଫିଜକୁ ଗୃହବନ୍ଦୀ କରିଥିଲେ । ତେବେ ପ୍ରମାଣପତ୍ର ଅଭାବରୁ ପୂର୍ବ ସପ୍ତାହରେ ପାକିସ୍ତାନ ସୁପ୍ରିମକୋର୍ଟ ହାଫିଜକୁ ମୁକ୍ତ କରିଥିଲେ । ଗୃହବନ୍ଦୀରୁ ମୁକ୍ତ ହେବା ପରେ ଭାରତ ବିରୋଧରେ ପୁଣିଥରେ ବିଷ ଓଗାଳିଥିଲା ହାଫିଜ ।

ଜମାତ୍-ଉଦ୍-ଦାଓ୍ଵା ଗଠନ କରିଥିବା ରାଜନୈତିକ ଦଳ ‘ମିଲି ମୁସଲିମ୍ ଲିଗ୍’ ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଲଢ଼ିବ ବୋଲି ଏ ବର୍ଷ ପ୍ରାରମ୍ଭରେ ସୂଚନା ଦେଇଥିଲା। ନିଜେ ନିର୍ବାଚନ ଲଢ଼ିବ ବୋଲି ସଇଦ୍ ପ୍ରଥମ ଥର ପାଇଁ ଖୋଲାଖୋଲି କହିଛନ୍ତି। ଅତୀତରେ ସଇଦ୍ ପିଏମଏଲ୍ (ଏନ୍) ମୁଖ୍ୟ ନଓ୍ଵାଜ୍ ଶରିଫଙ୍କୁ ସମର୍ଥନ କରିଥିଲେ।
‘ମିଲି ମୁସଲିମ୍ ଲିଗ୍’କୁ ନିର୍ବାଚନ କମିସନଙ୍କୁ ସ୍ୱୀକୃତି ମିଳି ନ ଥିଲେ ମଧ୍ୟ ତା’ର ଛାୟା ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବାକୁ ବାରଣ କରି ନ ଥିଲା। ଲାହୋର ଉପନିର୍ବାଚନରେ ଉକ୍ତ ପ୍ରତିଦ୍ୱନ୍ଦିତା ହୋଇଥିଲା। ଏଥିରେ ବହିଷ୍କୃତ ପ୍ରଧାନମନ୍ତ୍ରୀ ନଓ୍ଵାଜ୍ ଶରିଫଙ୍କ ପତ୍ନୀ କୁଲ୍ସମ୍ ନଓ୍ଵାଜ୍ ସ୍ୱଳ୍ପ ଭୋଟରେ ଜିଣିଥିଲେ। ଏଥିରେ ‘ମିଲି ମୁସଲିମ୍ ଲିଗ୍’ର ଛାୟା ପ୍ରାର୍ଥୀ ତୃତୀୟ ସ୍ଥାନରେ ସ୍ଥାନୀତ ହୋଇଥିଲେ।

‘ମିଲି ମୁସଲିମ୍ ଲିଗ୍’ର ଜଣେ ପ୍ରାର୍ଥୀ ଭାବେ ସଇଦ୍ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଏ ବର୍ଷ ଅଗଷ୍ଟ ମାସରେ ଦାଓ୍ଵା ‘ମିଲି ମୁସଲିମ୍ ଲିଗ୍’ ପ୍ରତିଷ୍ଠା କରିଥିଲା। ଏହାକୁ ଏକ ରାଜନୈତିକ ଦଳ ଭାବେ ପଞ୍ଜିକୃତ କରାଇବାକୁ ଦୁଇ ଦୁଇ ଥର ଆବେଦନ କରାଯାଇଥିଲେ ମଧ୍ୟ ପାକିସ୍ତାନ ନିର୍ବାଚନ କମିସନ୍ ଏହାକୁ ଅଗ୍ରାହ୍ୟ କରି ଦେଇଥିଲା। ପାକିସ୍ତାନକୁ ଏକ ସଚ୍ଚା ଇସଲାମୀୟ ଦେଶ କରିବାକୁ ‘ମିଲି ମୁସଲିମ୍ ଲିଗ୍’ ଶପଥ ନେଇଛି।

ପାକିସ୍ତାନରେ ଥିବା ଅନେକ ରାଜନୈତିକ ସମୀକ୍ଷକଙ୍କ ମତ, ଯଦି ଆମେରିକା ଚାପରେ ‘ମିଲି ମୁସଲିମ୍ ଲିଗ୍’ ଏକ ରାଜନୈତି ଦଳର ମାନ୍ୟତା ନ ପାଏ, ସଇଦ୍ ଏବଂ ତାଙ୍କ ଦଳର ସଦସ୍ୟମାନେ ଛାୟା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ।