ଜିମ ଯିବା ସହ ସପ୍ଲିମେଣ୍ଟ ମେଡ଼ିସିନର ବ୍ୟବହାର କରୁଛନ୍ତି କି ? ହୋଇପାରେ କିଡ଼ନୀ ରୋଗ, ଡାକ୍ତର ଦେଲେ ସାଂଘାତିକ ତଥ୍ୟ

52

କନକ ବ୍ୟୁରୋ : ସୁନ୍ଦର ଏବଂ ଆର୍କଷଣୀୟ ଶରୀର ପାଇବାକୁ ଟ୍ୱିନ ସିଟିରେ ମଲଟିଜିମରେ ଯୁବପିଢିଙ୍କ ୱାକ୍ ଆଉଟ ସହିତ ସପ୍ଲିମେଂଟ ମେଡିସିନ ପ୍ରତି ବଢୁଛି ଆଗ୍ରହ । ହେଲେ ଅଳ୍ପ ସମୟରେ ଶରୀରକୁ କୁତ୍ରିମ ପ୍ରକ୍ରିୟାରେ ଆକାର ଦେଉଥିବା ଏହି ସପ୍ଲିମେଂଟ ମେଡିସିନର ବ୍ୟବହାର ଶରୀର ପାଇଁ ଖୁବ ମାରାତ୍ମକ ହୋଇପାରେ ବୋଲି ଜଣାପଡିଛି ।

ହାର୍ଡ ୱାକ ଆଉଟ୍ କରିବା ପାଇଁ ଟ୍ୱିନ୍ ସିଟି ଜିମରେ ଲାଗୁଛି ଯୁବପିଢିଙ୍କ ଭିଡ । ଫିଟ୍ ରହିବା ସହ ଶରୀରର ମାଂସପେଶୀକୁ ଅଧିକ ମଜବୁତ୍ କରିବା ପାଇଁ ଜିମରେ ମିଳୁଥିବା ବିଭିନ୍ନ ବିଦେଶୀ କଂପାନୀ ଦ୍ୱାରା ପ୍ରସ୍ତୁତ ସପ୍ଲିମେଂଟ ମେଡିସିନ ନେଉଛନ୍ତି । କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ ବୋଲି କହିଛି ସ୍ୱାସ୍ଥ୍ୟ ସମସ୍ୟା ସଂର୍ପକିତ ୱେବସାଇଟ ବଡି ଲ୍ୟାବ । ତଥ୍ୟ ଅନୁସାରେ ଏହି ସପ୍ଲିମେଂଟ ମେଡିସିନର ମାରାତ୍ମକ ପାଶ୍ୱର୍ ପ୍ରତିକ୍ରିୟା ରହିଛି । ଜିମ୍ ସପ୍ଲିମେଂଟର ବ୍ୟବହାର ଦ୍ୱାରା କିଡନୀରେ ଷ୍ଟୋନ, ରକ୍ତରେ ଏସିଡ ବଢିବା, ଶ୍ୱାସକ୍ରୀୟା ଅଚାନକ ବୃଦ୍ଧି ପାଇବା, ଶରୀର ସବୁବେଳେ ଝାଳ ବୋହିବା, ପାଚନ କ୍ରିୟାରେ ଅସୁବିଧା ଭଳି ମାରତ୍ମକ ସମସ୍ୟା ସୃଷ୍ଟି ହୋଇପାରେ ।

ଜିମ ଯାଇ ଫିଟ ରହିବା କିଛି ଭୁଲ ନୁହେଁ, ହେଲେ ସପ୍ଲିମେଂଟ ମେଡିସିନ ଖାଇ ଆବଶ୍ୟକତା ଠାରୁ ଅଧିକ ୱାର୍କ ଅଉଟ କରିବା ଏବଂ ମାଂଶପେଶୀକୁ ଫୁଲାଇବା, ପରବର୍ତୀ ସମୟରେ ଯନ୍ତ୍ରଣା ଦେଇଥାଏ । ଅଂଟାରେ ଯନ୍ତ୍ରଣା ଏବଂ ମାଂଶପେଶୀ ଯନ୍ତ୍ରଣା ଭଳି ସାଇଡ ଇଫେକ୍ଟ ଦେଖାଦେଇଥାଏ । ଏହାସହ କିଡନୀରେ ମଧ୍ୟ ସମସ୍ୟା ଦେଖାଦିଏ ବୋଲି କହିଛନ୍ତି ଏସସିବି ମେଡିକାଲ ଫିଜିଓ ଥେରାପିଷ୍ଟ କିଶୋର କୁମାର ସାହୁ ।

ଯେଉଁ ସପ୍ଲିମେଂଟ ମେଡିସିନ ଖୁବ କମ୍ ଦିନରେ ଆପଣଙ୍କ ମାଂଶପେଶୀକୁ ମଜବୁତ କରିପାରେ ପରବର୍ତୀ ସମୟରେ ଏହାର ସାଇଡ୍ ଇଫେକ୍ଟ ଆପଣଙ୍କ ଶରୀରକୁ ବିଗାଡି ଦେଇପାରେ । ତେଣୁ ଜିମ ଯାଆନ୍ତୁ ସୁସ୍ଥ ରୁହନ୍ତୁ ହେଲେ ସପ୍ଲିମେଂଟ ମେଡିସିନ ଠାରୁ ଦୂରେଇ ରୁହନ୍ତୁ ।