କେନ୍ଦ୍ରାପଡା ବିଜେପିରେ ବିଦ୍ରୋହ! ବୈଜୟନ୍ତ ଆସିଲେ, ଜ୍ଞାନଦେବ ଦଳ ଛାଡିଲେ ।

1,790

କନକ ବ୍ୟୁରୋ : ବିଜେପିରେ ଜୟ ପଣ୍ଡା ଯୋଗ ଦେଉ ଦେଉ କେନ୍ଦ୍ରାପଡାରେ ବିଦ୍ରୋହ ଆରମ୍ଭ ହୋଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଜେପି ମୁଖପାତ୍ର ଜ୍ଞାନଦେବ ବେଉରା ବିଜେପିରୁ ଇସ୍ତଫା ଦେଇଛନ୍ତି । ଜ୍ଞାନଦେବ ନିଜର ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇବା ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫାପତ୍ରରେ କାରଣ ଉଲ୍ଲେଖ କରିନଥିଲେ ମଧ୍ୟ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବାରୁ ଜ୍ଞାନଦେବ ଦଳରୁ ଇସ୍ତଫା ଦେଇଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି ।

ପୂର୍ବରୁ ବିଜେପି ଟିକେଟରେ ନିର୍ବାଚନ ଲଢି ଆସିଥିବା ଜ୍ଞାନଦେବ ଚଳିତଥର ରାଜନଗର ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ । ତେବେ ଗତବର୍ଷ ପୂର୍ବତନ ବିଜେଡି ବିଧାୟକ ଅଲେଖ ଜେନାଙ୍କୁ ବିଜେପିର ପୋଷ୍ଟରବଏ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ଦଳରେ ମିଶାଇ ଜ୍ଞାନଦେବଙ୍କୁ ଜୋରଦାର ଝଟକା ଦେଇଥିଲେ । ଏପରିକି ଅଲେଖଙ୍କୁ ଦଳରେ ଗୁରୁତ୍ୱ ଦେବାକୁ କର୍ମୀ ମାନଙ୍କୁ ଉପରୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ବିଜେପିର ପୁରୁଣା କର୍ମୀ ଗ୍ରହଣ ନ କରିବା ସହ ଧର୍ମେନ୍ଦ୍ରଙ୍କ ଏକଚାଟିଆ ନିଷ୍ପତିକୁ ନାପସନ୍ଦ କରିଥିଲେ । ସମୟକ୍ରମେ ଜିଲ୍ଲା ତଥା ରାଜନଗର ନିର୍ବାଚନମଣ୍ଡଳୀରେ ଅଲେଖଙ୍କ ପତିଆରା ବଢିଚାଲିଥିବା ବେଳେ ଜ୍ଞାନଦେବଙ୍କୁ ଦଳର ସଭା ସମିତିରୁ ଦୂରେଇ ରଖାଯାଉଥିଲା । ଯାହାକୁ ଖୋଲାଖୋଲି ବିରୋଧ କରିଥିଲେ ଜ୍ଞାନଦେବଙ୍କ ସମର୍ଥକ ।

ଏପରିକି ଏହାର ଝଲକ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଟ୍ଟାମୁଣ୍ଡାଇ ଗସ୍ତ ସମୟରେ ଦେଖିବାକୁ ମିଳିଥିଲା । ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ହାତାହାତି ହୋଇଥିଲେ ଜ୍ଞାନଦେବ ଓ ଅଲେଖଙ୍କ ସମର୍ଥକ । କିନ୍ତୁ ଏହାପରେ ମଧ୍ୟ ଧର୍ମେନ୍ଦ୍ର ଏହାର ସମାଧାନ କରିବା ବଦଳରେ କବାଟକିଳା ବୈଠକରେ ଅଲେଖଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ସମର୍ଥନ କରିବାକୁ କର୍ମୀ ମାନଙ୍କୁ ତାଗିଦ କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହା ରାଜନଗରରେ ଥିବା ପୁରୁଣା ବିଜେପି କର୍ମୀଙ୍କ ଦେହରେ ହଜମ ହୋଇନଥିଲା । ଏପରିକି ଧର୍ମେନ୍ଦ୍ର ବିଭିନ୍ନ ଦଳରୁ ପୋଚିଂ କରୁଥିବା ନେତାଙ୍କୁ ବିଜେପିରେ ଗୁରୁତ୍ୱ ଦେଇ ପୁରୁଣା ବିଜେପି କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ମଧ୍ୟ ହୋଇଥିଲା ।

ତେବେ ଅଲେଖଙ୍କୁ ରାଜନଗରର ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଧର୍ମେନ୍ଦ୍ର ପ୍ରୋଜେକ୍ଟ କରିବା ପରେ ଜ୍ଞାନଦେବ କେନ୍ଦ୍ରାପଡା ଲୋକସଭା ଆସନ ଉପରେ ନଜର ପକାଇଥିଲେ । କିନ୍ତୁ ବୈଜୟନ୍ତଙ୍କୁ ଦଳରେ ସାମିଲ କରିବା ପରେ ଜ୍ଞାନଦେବଙ୍କ ଏହି ଆଶା ମଧ୍ୟ ମଉଳିଯାଇଥିଲା । ଏପରିକି ବୈଜୟନ୍ତ ଦିଲ୍ଲୀରୁ ଫେରିବା ପରେ ଗତକାଲି ହୋଇଥିବା ସମ୍ବର୍ଦ୍ଧନା ସଭାରେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲାର ନେତା ହିସାବରେ ଜ୍ଞାନଦେବଙ୍କ ନାଁ ମଧ୍ୟ ଶୁଣିବାକୁ ମିଳିନଥିଲା । ବାରମ୍ବାର ଧର୍ମେନ୍ଦ୍ରଙ୍କ ଏଭଳି ଚକ୍ରାନ୍ତର ଶିକାର ହେଉଥିବା ଜ୍ଞାନଦେବ ଶେଷରେ ଗତକାଲି ବିଜେପିରୁ ଇସ୍ତଫା ଦେଇଛନ୍ତି । ଜ୍ଞାନଦେବ ଇସ୍ତଫା ଦେବା ସହ ବିଜେପିର ଅନ୍ୟ ନେତା ମଧ୍ୟ ଅଲେଖଙ୍କୁ ପ୍ରାର୍ଥୀ କରାଗଲେ ବିଦ୍ରୋହ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।