ସାକାର ହେଲା ବିଚ୍ଛିନ୍ନାଂଚଳ ବାସୀଙ୍କ ସ୍ୱପ୍ନ : ସମ୍ପର୍କର ସେତୁ ଗୁରୁପ୍ରିୟାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

54

କନକ ବ୍ୟୁରୋ : ଉଦଘାଟିତ ହେଲା ଗୁରୁପ୍ରିୟା ସେତୁ । ବିଚ୍ଛିନ୍ନାଂଚଳବାସୀଙ୍କର ସ୍ୱପ୍ନ ସାକାର ହେଲା । ଗୁରୁପ୍ରିୟା ସେୁତୁର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଡ଼ା ସୁରକ୍ଷା ମଧ୍ୟରେ ଜୟପୁର ଏୟାରଷ୍ଟ୍ରିପରୁ ହେଲିକ୍ୟାପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯାଇ ମାଲକାନଗିରିରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ଜାନବାଇ ଘାଟରେ ପହଞ୍ଚି ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଗୁରୁପ୍ରିୟା ସେତୁକୁ ଉଦ୍ଘାଟନ କରିଛନ୍ତି । ଗୁରୁପ୍ରିୟା ସେତୁ ଉଦଘାଟନଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ସମଗ୍ର ଜିଲ୍ଲାରେ ହାଇଆଲର୍ଟ ଜାରି କରି ସୀମାକୁ ସିଲ କରିଦିଆଯାଇଛି। ଗୁରୁପ୍ରିୟା ସେତୁକୁ ବିଏସ୍ଏଫ୍ ଯବାନ ଜଗି ରହିଥିଲେ । ଗୁରୁପ୍ରିୟା ସେତୁର ଉଦଘାଟନ ପରେ ସେତୁର ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସେତୁର ଉଦଫାଟନ ହେବାଦ୍ୱାରା ଉପକୃତ ହେବେ ମୋଟି ୧୫୨ ଟି ଗାଁର ଲୋକେ । ଗୁରୁପ୍ରିୟା ସେତୁର ଉଦଘାଟନ ହେବା ପରେ ବିଛିନ୍ନାଂଚବାସୀ ଖୁସି ହୋଇଯାଇଛନ୍ତି । ଲୋକାରଣ୍ୟ ହୋଇପଡ଼ିଛି ପୁରା ଗୁରୁପ୍ରିୟା ସେତୁ । ସୂଚନା ଅନୁସାରେ ପ୍ରାୟ ୧୯୦ କୋଟି ବ୍ୟୟ ଅଟକଳରେ ତିଆରି ହୋଇଛି ଗୁରୁପ୍ରିୟା ସେତୁ । ଏହି ସେତୁ ଜୀବନଧାରଣମାନରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ମହତ୍ଵପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଆଶାକରାଯାଉଛି । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱଟି କରି କହିଛନ୍ତି, ଇତିହାସ ପାଲିଟିବ ବିଚ୍ଛିନ୍ନାଚଂଳ । ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି ଏହି ସେତୁ । ଏହା ବ୍ୟବତୀତ ମାଓବାଦୀଙ୍କୁ ହିଂସା ଛାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଗୁରୁପ୍ରିୟା ସେତୁର ଉଦଘାଟନ ପରେ ବିଛିନ୍ନାଂଚଳକୁ ଫିଟିଲା ବାଟ । ଆଉ ଅସୁବିଧା ଭୋଗିବେନି ବିଚ୍ଛିନ୍ନାଂଚଳ ବାସୀ । ଶେଷ ହେବ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଂଚଳ ବାସୀଙ୍କ ଅପେକ୍ଷା । ଆଉ ବିଚ୍ଛିନ୍ନ ହୋଇ ରହିବ ନାହିଁ ଚିତ୍ରକୋଣ୍ଡା ବୁଡି ଅଂଚଳ । ଦୀର୍ଘ ୪୫ ବର୍ଷର ଜଳବନ୍ଦୀ ଜୀବନ ବିତାଇବା ପରେ ଏଥର ବିକାଶର ମୁଖ୍ୟ ଧାରାରେ ସାମିଲ ହବ ମାଲକାନଗିରି ବୁଡି ଅଂଚଳର ୧୫୧ ଟି ଗାଁ । ୯ ଗ୍ରାମ ପଂଚାୟତର ପ୍ରାୟ ୩୫ ହଜାର ଲୋକ ସ୍ୱାଧୀନତାର ୭୦ବର୍ଷ ପରେ ବି ମୁଖ୍ୟ ଶ୍ରୋତରୁ ଅଲଗା ହୋଇ ରହି ଆସୁଥିଲେ । ତେବେ ବିକାଶ ଏବେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳରେ ପାଦ ଥାପିବାକୁ ଯାଉଛି । କାରଣ ବିଚ୍ଛିନ୍ନାଂଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ନଦୀ ଉପରେ ନିର୍ମାଣ ହୋଇଛି ସ୍ୱପ୍ନର ସେତୁ ।

ସୂଚନାଯୋଗ୍ୟ ଗୁରୁପ୍ରିୟା ସେତୁକୁ ନେଇ ଅନେକ ସରକାର ଚେଷ୍ଟା କରି ଆସିଥିଲେ ବି ମାଓବାଦୀଙ୍କ ଉପଦ୍ରବ ଆଗରେ ମୁଣ୍ଡ ନୁଆଇଁ ଥିଲା ପୁରା ବ୍ୟବସ୍ଥା । ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ସମଗ୍ର ବିଚ୍ଛିନ୍ନାଂଚଳରେ ଭୟର ବାତାବରଣ ସୃଷ୍ଟି କରି ରଖିଥିଲେ ମାଓବାଦୀ । କାରଣ ଲାଲଗଡରେ ସରକାରଙ୍କ ବିକାଶ ପହଂଚୁ ବୋଲି ଚାହୁଁ ନଥିଲେ ନକ୍ସଲ । ଏପରି କି ତତକାଳୀନ ଜିଲ୍ଲାପାଳଙ୍କୁ ଅପହରଣ ପରେ ଆଉ ବୁଡି ଅଂଚଳରେ ପାଦ ପକାଇଲେ ନାହିଁ କୌଣସି ସରକାରୀ ବାବୁ । ତେଣୁ ଭିନିଲ କ୍ରୀଷ୍ଣାଙ୍କ ଅପହରଣ ଘଟଣା ପରେ ପୋଲ ନିର୍ମାଣ କାମ ରାଜ୍ୟ ସରକାରଙ୍କ ପାଇଁ ଏକ ନୁଆ ଚ୍ୟାଲେଂଜ ହୋଇ ଛିଡା ହୋଇଥିଲା । ଡେଡ ଲାଇନ ପରେ ଡେଡ ଲାଇନ ଘଂଚିଘୁଂଚି ଥିଲା ଆଉ ବିଚ୍ଛିନ୍ନାଂଚଳ ବାସୀଙ୍କ ମଧ୍ୟରେ ଆଶା ଆଶଙ୍କ ମଧ୍ୟ ସମାନ ଭାବରେ ବଢି ଚାଲିଥିଲା । ତେବେ ସବୁ ଆଶା ଆଶଙ୍କା ଓ ଅପେକ୍ଷାର ଅବସାନ ଘଟାଇ ଶେଷ ହୋଇଛି ସେତୁ ନିର୍ମାଣ କାମ । ବିଚ୍ଛିନ୍ନାଂଚଳର ଲାଇଫ ଲାଇନ କୁହା ଯାଉଥିବା ଏହି ପୋଲ ଉଦଘାଟନ ପରେ ୧୫୧ ଗାଁର ୩୫ ହାଜାର ଲୋକଙ୍କ ପାଖରେ ସିଧାସଳଖ ସରକାରଙ୍କ ବିକାଶ କାମ ପହଂଚିବ ବୋଲି ଆଶା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ ଗୁରୁପ୍ରିୟା ସେତୁ ନିର୍ମାଣ ସହିତ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳକୁ ସ୍ଥଳପଥରେ ସଂଯୋଗ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ହୋଇଥିଲା । ତେବେ ବିଭିନ୍ନ କାରଣରୁ ସେତୁ ନିର୍ମାଣ ସମ୍ଭବ ହୋଇ ପାରି ନ ଥିଲା । ଏହି ଗୁରୁପ୍ରିୟା ସେତୁର ଲମ୍ବ ହେଉଛି ୯୧୦ ମିଟର । ପ୍ରାୟ ୧ କିଲୋମିଟର ଦୈଘ୍ୟ ବିଶିଷ୍ଟ ଏହି ସେତୁ ନିର୍ମାଣ ଦ୍ୱାରା ବିଛିନ୍ନାଞ୍ଚଳର ବିକାଶ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇପାରିବ । ଏହା ଫଳରେ ଚିତକୋଣ୍ଡା ବ୍ଲକର ୧୫୧ଟି ଗାଁର ଲୋକେ ଉପକୃତ ହୋଇ ପାରିବେ ।