ସ୍ୱାଭିମାନ ଅଂଚଳରେ ଘୋଡା ଭରସା ! ଗୁରୁପ୍ରିୟା ଡେଇଁ ଅଟକି ଯାଇଛି ବିକାଶର ଗାଡି ?

67

ଗୁରୁପ୍ରୀୟା ସେତୁ ଉଦଘାଟନ ପରେ ବିଚ୍ଛିନ୍ନାଂଚଳର ନାଁ ସ୍ୱାଭିମାନ ଅଂଚଳରେ ପରିବର୍ତନ ହେଲା । ଆଶା ଥିଲା ଦୃତ ଗତିରେ ଗଡିବ ବିକାଶର ଗାଡି । ହେଲେ କାଇଁ ସେମିତି କିଛି ପରିଲଖିତ ହେଉନାହିଁ । ଗୁରୁପ୍ରୀୟା ଡେଇଁ ମାତ୍ର ଅଳ୍ପ କିଛି ବାଟ ଯିବା ପରେ ଅଟକି ଯାଇଛି ବିକାଶର ଗାଡି । ସ୍ୱାଭିମାନ ଅଂଚଳର ଆଦିବାସୀ ମଣିଷ ଆଜି ବି ଭଙ୍ଗା ଦଦରା ଦେଶୀ ଡଙ୍ଗାରେ ନଈ ନାଳ ପାରି ହେଉଥିବା ବେଳେ ପରିବହନ ପାଇଁ ଘୋଡା ଉପରେ ନିର୍ଭର କରୁଛନ୍ତି । ଗୁରୁପ୍ରୀୟା ସେତୁ ନିର୍ମାଣର ୫ ମାସ ପରେ ସ୍ୱାଭିମାନ ଅଂଚଳରେ କେମିତି ଚାଲିଛି ବିକାଶର ଗାଡି ?

ଗୁରୁପ୍ରୀୟା ସେତୁ ଅତିକ୍ରମ କରି ଯନ୍ତାପାଇଠାରେ ଅଟକିଛି ବିକାଶ । ରୁମା ନଇ ଉପରେ ବର୍ଷ ବର୍ଷ ଧରି ଛୋଟ ପୋଲଟିଏ ନିର୍ମାଣ ହୋଇପାରୁନାହିଁ । ଫଳରେ ନିତି ଦିନ ଦଦରା ଦଶୀ ଡଙ୍ଗାରେ ନଇ ପାରି ହୋଉଛନ୍ତି ୬ଟି ପଂଚାୟତର ଲୋକ । ଆଉ ଯନ୍ତାପାଇ ସାପ୍ତାହିକ ହାଟ ଦିନ ଅବସ୍ଥା ଅତି ଦୟନୀୟ । ଶହ ଶହ ଲୋକ ବିପଦ ସଙ୍କୁଳ ଅବସ୍ଥାରେ ଜଳଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି । କାରଣ ନଈ ପାରି ହେଲେ ହାଟରୁ ଘର ସଉଦା କିଣିବେ ପାପେରମୋଟଲା ଓ ଧୁଲିପୁଟ ପଂଚାୟତ ବାସିନ୍ଦା ।

 

କେଉଁଠି ଅଟକିଛି ସ୍ୱାଭିମାନ ଅଂଚଳର ବିକାଶ?

ଯନ୍ତାପାଇ ରୁମା ନଇ ଉପରେ ଝୁଲା ପୋଲଟିଏ ପାଇଁ ୫ ବର୍ଷ ହେବ ଆଇ.ଟି.ଡି.ଏ ପକ୍ଷରୁ ଦେଢ କୋଟି ଟଙ୍କା ବ୍ୟୟ ଅଟକଳରେ କାମ ଆରମ୍ଭ ହୋଇଥିଲା । ହେଲେ ମାଓବାଦୀଙ୍କ ଆକ୍ରମଣ ଯୋଗୁ ଦୁଇ ବର୍ଷ ହେବ କାମ ବନ୍ଦ ରହିଛି । ଗୁରୁପ୍ରିୟା ସେତୁ ହେବା ପରେ ରୁମା ନଇକୁଳରେ ଏକ ବି.ଏସ.ଏଫ କ୍ୟାମ୍ପ ସ୍ଥାପନ କରାଯାଇଛି । ତଥାପି ପୋଲ ନିର୍ମାଣ କ୍ଷେତ୍ରରେ ବିଭାଗୀୟ ଅଧାକାରୀଙ୍କ ଆନ୍ତରିକତା ନଥିବାରୁ ନିର୍ମାଣ କାମ ଶେଷ ହୋଇପାରୁନାହିଁ ।

ସେପଟେ ନଦୀ ଆରପଟର ଚିତ୍ର ଡିଜିଟାଲ ଇଣ୍ଡିଆର ଅସଲ ଚିତ୍ର ବଖାଣୁଛି । ଏବେ ବି ଲୋକେ ଘୋଡା ସାହାଯ୍ୟରେ ଯାତାୟତ କରୁଛନ୍ତି । ଡଙ୍ଗାରେ ନଈ ପାରି ହେବା ପରେ ଘୋଡା ଉପରେ ବସି ପାହାଡି ରାସ୍ତା ଅତିକ୍ରମ କରୁଛନ୍ତି ଏବଂ ସାପ୍ତାହିକ ହାଟକୁ ମାଲ ପରିବହନର ଏକ ମାତ୍ର ସାଧନ ଘୋଡା । ଘୋଡାକୁ ନଈ ପହଁରେଇ ଆରପାରିକୁ ନେଇ ହାଟକୁ ଯାଇଥାନ୍ତି ବ୍ୟବସାୟୀ । କାରଣ ସ୍ୱାଭିମାନ ଅଂଚଳର ୭ଟି ଗ୍ରାମ ପଂଚାୟତକୁ ଯାତାୟାତ ଲାଗି ରାସ୍ତା ନାହିଁ ।

ସ୍ୱାଭିମାନ ଅଂଚଳରେ ୩୨ ପ୍ରକଳ୍ପରେ ୨୦୫ କିଲୋମିଟର ରାସ୍ତା ନିର୍ମାଣ ପାଇଁ ସର୍ଭେ କାମ ସରିଛି, ଟେଣ୍ଡର ପ୍ରକ୍ରିୟା ଚାଲିଛି । ଗୁରୁପ୍ରୀୟା ଠାରୁ ଯନ୍ତାପାଇ, ଯନ୍ତାପାଇ ଠାରୁ ଆନ୍ଧ୍ର ସୀମାନ୍ତ ଗୋନ୍ଦିଗୁଡା, ମୁଖିପୁଟ ଠାରୁ ପଣସପୁଟ ଓ ପଣସପୁଟ ଠାରୁ ଯୋଡାମ୍ବ ଯାଏଁ ୪ଟି ପ୍ରମୁଖ ପ୍ରକଳ୍ପରେ ୮୦ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ଏହି କାମ ପୂର୍ତ୍ତ ବିଭାଗ ହାତକୁ ନେଇଥିବା ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ।