ଅର୍ଦ୍ଧ ଶତାବ୍ଦୀର ଅନ୍ଧାରୀ ଜୀବନର ଅନ୍ତ ଘଟିଲା । ଲାଲଗଡକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ବିଚ୍ଛିନ୍ନାଚଂଳ ପାଇଁ ଘୋଷଣା କଲେ ୧୦୦ କୋଟିର ପ୍ୟାକେଜ

42

କନକ ବ୍ୟୁରୋ : ଶେଷରେ ବର୍ଷ ବର୍ଷ ଧରି ପ୍ରତୀକ୍ଷାର ଅନ୍ତ ଘଟିଲା । ସମ୍ପର୍କର ସେତୁ ଗୁରୁପ୍ରିୟାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ୧୫୧ ଗାଁ ଲୋକଙ୍କୁ ବିଚ୍ଛିନ୍ନ ରହି ବନ୍ଦୀ ଜୀବନ ବିତାଇବାକୁ ପଡିବନି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଚ୍ଛିନ୍ନାଚଂଳ ପାଇଁ ୧୦୦ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ବିଦ୍ୟୁତିକରଣ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ପାଇଁ ନୂଆ ପ୍ରକଳ୍ପ ତିଆରି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଗୁରୁପ୍ରିୟା ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ସହ ଅନ୍ତ ଘଟିଛି ହଜାର ହଜାର ଲୋକଙ୍କ ବର୍ଷ ବର୍ଷର ପ୍ରତୀକ୍ଷା । ଅନ୍ତ ଘଟିଛି ୧୫୧ ଗାଁ ଲୋକଙ୍କ ଅର୍ଦ୍ଧ ଶତାବ୍ଦୀର ବନ୍ଦୀ ଜୀବନ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଉଦଘାଟନ କରୁଥିଲେ, ଅନ୍ୟପଟେ ଏହି ଐତିହାସିକ ମୁହୂର୍ତର ସାକ୍ଷୀ ବନିବାକୁ ଆସିଥିବା ଲୋକଙ୍କ ମୁହଁରେ ବାରି ହୋଇ ପଡୁଥିଲା ଖୁସି । ସେପଟେ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଇଥିଲେ ନବୀନ ।

ଗୁରୁପ୍ରିୟା ସେତୁ ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କିଛି ସମୟ ବ୍ରିଜରେ ଚାଲି ଚାଲି ବୁଲିଥିଲେ । ବ୍ରିଜ ଆରପଟେ ଥିବା ଜାନବାଇ ଗାଁକୁ ଯାଇଥିଲେ ନବୀନ । ସେଠାରେ ବିଚ୍ଚିନ୍ନାଚଂଳବାସୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଯେଉଁ ଅଂଚଳରେ ସରକାରୀ କର୍ମଚାରୀଙ୍କ ପାଦ ପଡିବା ସହଜ ନଥିଲା, ସେଠାରେ ପହିଁଚିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇଁ ବେଶ ଉତ୍ସାହିତ ହୋଇଥିଲେ ଗ୍ରାମବାସୀ । ଏହାସହ ବିଚ୍ଛିନ୍ନାଂଚଳ ପାଇଁ ଶହେ କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ମଧ୍ୟରେ ରହିଛି ୨ ହଜାର ମତ୍ସ୍ୟଜୀବୀ ପରିବାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ବିଚ୍ଛିନ୍ନାଂଚଳ ମଧ୍ୟରେ ୨ ଟି ସଡ଼କ ପ୍ରକଳ୍ପ ହାତକୁ ନିଆଯିବ । ସେହିପରି ବିଦ୍ୟୁତିକରଣ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ପାଇଁ ନୂଆ ପ୍ରକଳ୍ପ ତିଆରି ହେବ ।

ଗୁରୁପ୍ରିୟା ସେତୁ । ଲମ୍ବ ୯୧୦ ମିଟର । ହେଲେ ଏହି ଦୂରତା ଏପରି ବାଡ଼ ପକାଇଥିଲା ଯେ ଏହା ୧୫୧ଟି ଗାଁର ଲୋକଙ୍କୁ ମୂଳ ଭୂଖଣ୍ଡ ଠାରୁ ଅଲଗା କରି ଦେଇଥିଲା । ବର୍ଷେ କି ଦିବର୍ଷ ନୁହେଁ ଅର୍ଦ୍ଧ ଶତାବ୍ଦୀ ଧରି ପ୍ରାୟ ୩୦ ହଜାର ଲୋକଙ୍କର ହଜି ଯାଇଥିଲା ପରିଚୟ । ୧୯୭୨ରେ ଚିତ୍ରକୋଣ୍ଡା ଜଳ ଭଣ୍ଡାର ଉପରେ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ନିର୍ମାଣ ହେବା ପରେ ଏଭଳି ବିଚିତ୍ର ଅବସ୍ଥା ସୃଷ୍ଟି ହୋଇଥିଲା । ୧୯୮୨ ମସିହାରୁ ବ୍ରିଜ୍ ନିର୍ମାଣ ପାଇଁ ଯୋଜନା ହୋଇଥିଲା ସତ ମାତ୍ର ପୂରଣ ହେବାକୁ ଲାଗି ଯାଇଥିଲା ୩୬ ବର୍ଷ । ଶେଷରେ ୨୦୧୪ରେ କୋଲକାତାର ରୟାଲ ଇନଫ୍ରା କନଷ୍ଟ୍ରକସନ୍ ଲିମିଟେଡ୍କୁ କାମ ଦିଆ ଯାଇଥିଲା । ବିଏସଏଫର ସହାୟତାରେ ଆରମ୍ଭ ହୋଇଥିଲା ପ୍ରକଳ୍ପ ନିର୍ମାଣ । ବ୍ୟୟ ଅଟକଳ ୧୭୨ କୋଟି ୫୮ ଲକ୍ଷ ଟଙ୍କାକୁ ବୃଦ୍ଧି କରା ଯାଇଥିଲା । ବହୁ ଘାତ ପ୍ରତିଘାତ ପରେ ସତରେ ପରିଣତ ହୋଇଥିଲା ଗୁରୁପ୍ରିୟା ସେତୁ ।

ଗୁରୁପ୍ରିୟା ସେତୁ ପରେ ଏବେ ଅପହଁଚ ଇଲାକାରେ ପହଁଚି ପାରିବ ପ୍ରଶାସନ । ଲାଲବାହିନୀ ବନ୍ଧୁକ ମୁନରେ ଚଳାଇଥିବା ଅନ୍ଧାରୀ ଶାସନର ଅନ୍ତ ଘଟିବ । ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ଅଂଚଳବାସୀ । ସେପଟେ ଗୁରୁପ୍ରିୟା ସେତୁ ଉଦଘାଟନ ନେଇ ନବୀନ ଟୁଇଟ କରିବା ପରେ ଗୁରୁପ୍ରିୟା ସଂକ୍ରାନ୍ତରେ ପ୍ରାୟ ୧୩ ହଜାର ଟୁଇଟ୍ ହୋଇଥିଲା । ସେହିପରି ଆଜି ମାଲକାନଗିରିରେ ୩୦୦ ଶଯ୍ୟାବିଶିଷ୍ଟ ସୁପରସ୍ପେଶାଲିଟି ହସପିଟାଲ ସହ ୪୧ଟି ପ୍ରକଳ୍ପରୁ ଶୁଭାରମ୍ଭ କରିଛନ୍ତି ନବୀନ ।