ମାଲକାନଗିରିରେ ଜୋର ଧରିଲା ଗୁରୁପ୍ରିୟା ରାଜନୀତି : କଂଗ୍ରେସ ଆଣିଲା ଦୁର୍ନୀତିର ଅଭିଯୋଗ

47

କନକ ବ୍ୟୁରୋ : ସମ୍ପର୍କର ସେତୁ ଗୁରୁପ୍ରିୟାକୁ ନେଇ ବିବାଦ ଥମୁନଥିବା ବେଳେ ଏବେ ଏହାକୁ ନେଇ ରାଜନୀତି ଜୋର ଧରିିଛି । ପି.ସି.ସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସର ଏକ ଟିମ ଗୁରୁପ୍ରିୟା ଗସ୍ତ କରି ସେତୁ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇ ଥିବା ଅଭିଯୋଗ କରିଛନ୍ତି । ଏହି ଗୁରୁପ୍ରିୟାକୁ ପ୍ରସଙ୍ଗ କରି ଆଗାମୀ ସାଧାରଣ ନିର୍ବାଚନରେ ଭୋଟରଙ୍କ ନିକଟକୁ ଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ସେପଟେ ଦୀର୍ଘ ବର୍ଷ ଧରି ଶାସନରେ ଥାଇ ଗୁରୁପ୍ରୀୟା କାମ ସାରିବାରେ ବିଫଳ ହୋଇଥିବା କଂଗ୍ରେସ ଏବେ ରାଜ୍ୟ ସରକାରଙ୍କ ସଫଳତା ସହି ପାରୁନଥିବା ଅଭିଯୋଗ ଆଣି କାଉଣ୍ଟର ଆଟାକ୍ କରିଛନ୍ତି ସ୍ଥାନୀୟ ସାଂସଦ ।

ଗୁରୁପ୍ରୀୟା ସେତୁ ଉପରେ କଂଗ୍ରେସ ଦଳର ଶକ୍ତି ପ୍ରଦର୍ଶନ । ସେତୁର ଶ୍ରେୟକୁ ନେଇ ଟଣାଓଟରା । ଏହି ବହୁ ପ୍ରତିକ୍ଷିତ ଗୁରୁପ୍ରୀୟା ସେତୁ ରାଜ୍ୟ ସରକାରଙ୍କ ଏକ ସଫଳ ଅଧ୍ୟାୟ ବୋଲି କୁହାଯାଉଥିବା ବେଳେ କଂଗ୍ରେସ ଅମଳରେ ଆରମ୍ଭ ହୋଇଥିବା ପ୍ରକଳ୍ପ ଏବେ ଶେଷ ହୋଇ ଥିବା କହୁଛି କଂଗ୍ରେସ ଦଳ । ସେତୁ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଗୁରୁପ୍ରୀୟା ସେତୁରୁ ହିଁ ରାଜ୍ୟ ସରକାରଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛି ରାଜ୍ୟ କଂଗ୍ରେସ । ପି.ସି.ସି ସଭାପତି ନିରଂଜନ ପଟ୍ଟନାୟକ ଗୁରୁପ୍ରୀୟା ସେତୁର ସ୍ଥିତି ଅନୁଧ୍ୟାନ କରି ପୋଲ ନିର୍ମାଣରେ ରାଜ୍ୟ ସରକାର, ୭୪ କୋଟି ଟଙ୍କାର ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି । ଦୁର୍ନୀତିର ପୂର୍ବାଭାଷ ଯୋଗୁଁ ମୁଖ୍ୟମନ୍ତ୍ରୀ ପୁର୍ତ୍ତ ବିଭାଗର ଦାୟିତ୍ୱ ହସ୍ତାନ୍ତର କରିଥିବା ଅଭିଯୋଗ କରିଛନ୍ତି ସାମ୍ବାଦିକରୁ ରାଜନେତା ପାଲଟିଥିବା କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟା ପ୍ରକାଶ ନାୟକ ।

ସେପଟେ କଂଗ୍ରେସକୁ କାଉଂଟର ଆଟାକ କରି ବିଜେଡି ସାଂସଦ ବଳଭଦ୍ର ମାଝୀ କହିଛନ୍ତି କଂଗ୍ରେସର ଏସବୁ ଅଭିଯୋଗ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି । ଗୁରୁପ୍ରୀୟା ସେତୁରେ ପିକନିକ କରିବାକୁ ଆସି କଂଗ୍ରେସ ଦଳ ଏପରି ମତ ରଖିଛନ୍ତି କହିଛନ୍ତି ସାଂସଦ ।

କେବଳ ଗୁରୁପ୍ରୀୟା ସେତୁ ନୁହଁ ବରଂ ସ୍ୱାଭିମାନ ଅଂଚଳର ଲୋକ ଶିକ୍ଷା, ସ୍ୱାସ୍ଥ୍ୟ, ଜମି ପଟ୍ଟା, ବିଦ୍ୟୁତ ପାନୀୟ ଜଳ ଆଦି ମୌଳିକ ସୁବିଧାରୁ ବଂଚିତ ବୋଲି ଅଭିଯୋଗ କରିଛି କଂଗ୍ରେସ ।