ଜଙ୍ଗଲ ଜଗୁଛି ଗାଁ । କାଠ ମାଫିଆ ଓ ନିଆଁ କବଳରୁ ଜଙ୍ଗଲ ସୁରକ୍ଷା ପାଇଁ ‘ଠେଙ୍ଗାପାଳି’ କରୁଛନ୍ତି ଲୋକେ । ଏଭଳି ଉଦ୍ୟମ ପାଇଁ ମିଳିଲା ପ୍ରକୃତି ମିତ୍ର ପୁରସ୍କାର ।

97

କନକ ବ୍ୟୁରୋ : ସହରାଂଚଳରେ ଶିଳ୍ପ, କାରଖାନା, କୋଠାବାଡି ଓ ଚଉଡା ରାସ୍ତା ପାଇଁ ଗଛକୁ ବଳି ପକାଉଛି ମଣିଷ । ହେଲେ ଆଜି ବି ଏମିତି ଗାଁ ଛି ଯେଉଁଠି ଜଙ୍ଗଲ ସୁରକ୍ଷାକୁ ବ୍ରତ ବୋଲି ଭାବିଥାନ୍ତି ଗ୍ରାମାବାସୀ । ୪୦ ବର୍ଷର ଠେଙ୍ଗାପାଳି ପରମ୍ପରାରେ ଜଙ୍ଗଲକୁ ସୁରକ୍ଷା ଦେଇ ସମ୍ମାନିତ ହୋଇଛି ଅନୁଗୁଳ ବନଖଣ୍ଡ ଗୁରଙ୍ଗ ଗାଁ ।

ଜଙ୍ଗଲକୁ ସୁରକ୍ଷା ଦେଉଛି ଗାଁ । ଜଙ୍ଗଲ ଜଗିବାକୁ ‘ଠେଙ୍ଗାପାଳି’ । ଜଙ୍ଗଲ ନଷ୍ଟ ଓ ଗଛ କଟାକୁ ନେଇ ସାରା ବିଶ୍ୱ ଚିନ୍ତିତ । କେତେ ମାଫିଆ ଜଙ୍ଗଲ କାଟି ସଫା କରି ଦେଉଛନ୍ତି ତ ଆଉ କେତେବେଳେ କଳକାରଖାନା ପାଇଁ ଜଙ୍ଗଲ କଟା ହେଉଛି । ହେଲେ ଅନୁଗୁଳର ଗୁରଙ୍ଗ ଗାଁ ବଂଶାନୁକ୍ରମେ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛି । ୪୦ ବର୍ଷର ଠେଙ୍ଗାପାଳି ପରମ୍ପରାରେ ଜନଜୀବନ ସହ ଜଙ୍ଗଲ ଜଗି ଆସୁଛନ୍ତି ଗୁରଙ୍ଗ ଗ୍ରାମବାସୀ । ପ୍ରତିଦିନ ଗାଁର କିଛି ସଦସ୍ୟ ଠେଙ୍ଗା ଧରି ଜଙ୍ଗଲ ଜଗିବାକୁ ବାହାରି ଯାଇଥାନ୍ତି । ନିଜ ପରିବାରର ସଦସ୍ୟଙ୍କ ଭଳି ଜଙ୍ଗଲର ଶାଳ, ପିଆଶାଳ, ସାଗୁଆନ, ଚନ୍ଦନ ଭଳି ମୂଲ୍ୟବାନ ଔଷଧୀୟ ଗଛକୁ ଜଙ୍ଗଲ ମାଫିଆ ଓ ନିଆଁ ଦାଉରୁ ସୁରକ୍ଷା ଦେଇଥାନ୍ତି ।

ଟାଙ୍ଗରା ଭୂଇଁ ଏବେ ସବୁଜ ବଳୟ । ଗୁରଙ୍ଗ ଗାଁକୁ ‘ପ୍ରକୃତି ମିତ୍ର’ ସମ୍ମାନ । ପୂର୍ବରୁ ଟାଙ୍ଗରା ଭୂଇଁ ଥିବା ଜଙ୍ଗଲକୁ ସବୁଜିମାରେ ଭରିବା ପାଇଁ ଅଂଟା ଭିଡିଥିଲେ ଗୁରଙ୍ଗ ଗ୍ରାମବାସୀ । ଅନୁଗୁଳ ବନଖଣ୍ଡରେ ଥିବା ୫୬ ହେକ୍ଟର ଜଙ୍ଗଲକୁ ସବୁଜ ସୁନ୍ଦର କରିବା ସହ ଜଙ୍ଗଲକୁ ଲାଗିଥିବା ଅଂଚଳକୁ ସବୁଜିମା କରିଛନ୍ତି ଗୁରଙ୍ଗ ଗ୍ରାମବାସୀ । ଗାଁର ଉଭୟ ମହିଳା ଓ ପୁରୁଷ ଜଙ୍ଗଲ ସୁରକ୍ଷା ଦିଗରେ କାମ କରୁଥିବାରୁ ଗୁରଙ୍ଗ ଗାଁକୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଜ୍ୟ ସରକାର । ଏହାସହ ୧୦ ହଜାର ଟଙ୍କାର ଆର୍ଥରାଶି ମଧ୍ୟ ପ୍ରଦାନ କରିଛନ୍ତି ।