ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବାଟ ଓଗାଳୁଛନ୍ତି ଗବର ସିଂ ଓ ସାମ୍ବା ! ସିନେ ଷ୍ଟାଇଲରେ ସଚେତନତାର ବାର୍ତ୍ତା

59

ଦିନକୁ ଦିନ ଦେଶରେ ଭୁଶୁଡ଼ି ପଡ଼ୁଛି ଟ୍ରାଫିକ୍ ବ୍ୟବସ୍ଥା । ଆଜିକାଲି ଦେଖିବା ପାଇଁ ମିଳୁଛି ଲୋକମାନେ ରାସ୍ତାର ଉଭୟ ପାର୍ଶ୍ୱରେ ବେଆଇନ୍ ପାର୍କିଂ କରୁଛନ୍ତି । ଯଦ୍ୱାରା ଟ୍ରାଫିକ୍ ଜାମ ହେଉଛି । କଲେଜ ପଢ଼ୁଆ ପିଲାମାନେ ଏବଂ ଖାସ୍ କରି ବଡ଼ ବଡ଼ିଆମାନେ ନିଜ ପଦବିର ଦମ୍ ଦେଖାଇ ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରୁଥିବାର ପ୍ରାୟ ଦେଖିବା ପାଇଁ ମିଳେ । ଦୁର୍ଘଟଣାକୁ କମ୍ କରିବା ପାଇଁ ଟ୍ରାଫିକ୍ ନିୟମକୁ ଯେତେ କଡ଼ା କଡ଼ି କରା ଯାଉଥିଲେ ମଧ୍ୟ ଲୋକମାନେ ଏହାକୁ ଉଲ୍ଲଂଘନ କରିଥାନ୍ତି । ଲୋକଙ୍କୁ ସଚେତନ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ହେଲେ କିଛି ସୁଫଳ ମିଳୁନି । ତେବେ ଲୋକଙ୍କୁ ସଚେତନ କରିବା ପାଇଁ ଗୁରୁଗ୍ରାମ ପୋଲିସ୍ ଆପଣାଇଛି ନିଆରା ଉପାୟ ।

ଟ୍ରାଫିକ୍ ନିୟମ ସମ୍ପର୍କରେ ସଚେତନତା ପ୍ରଚାର ଲାଗି ଗୁରୁଗ୍ରାମ ଟ୍ରାଫିକ୍ ପୋଲିସ୍ ଆଣ୍ଡ୍ ରୋଡ୍ ସେଫ୍ଟି ଅର୍ଗାନାଇଜେସନ୍ ମୁତୟନ କରିଛି ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ର ‘ସୋଲେ’ର ଚରିତ୍ର ଗବର ସିଂ ଓ ସାମ୍ବାଙ୍କୁ । ଦୀପକ ଓ ଅରୁଣ ନାମକ ଦୁଇ ଜଣ ଛାତ୍ର ଗବ୍ବର୍ ସିଂହ ଓ ସାମ୍ବାଙ୍କ ଭଳି ବେଶପୋଷାକ ସାଜି ଗୁରୁଗ୍ରାମରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ସଡ଼କ ସୁରକ୍ଷା ଶିକ୍ଷା ଦେଉଛନ୍ତି । ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ପରିଣତି କ’ଣ ହେବ ବୋଲି ଗବ୍ବର ସିଂହ ପଚାରୁ ଥିବା ପ୍ରଶ୍ନର ଉତ୍ତର ଦେଉଛି ସାମ୍ବା ।

ଗୁରୁଗ୍ରାମର ହୁଡ଼ା ସିଟି ସେଣ୍ଟର୍ ଇଣ୍ଟର୍ଜକ୍ସନ୍ ଠାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ମୁଣ୍ଡରେ ଖେଳନା ବନ୍ଧୁକ ଲଗାଇ ଗବ୍ବର୍ ସିଂହ ଓ ସାମ୍ଭା ଚେତାବନୀ ଦେଉଛନ୍ତି । ଗୁରୁଗ୍ରାମ ଟ୍ରାଫିକ୍ ଏସିପି ଜୟ ସିଂହଙ୍କ ଅନୁସାରେ ଏ ଅଭିଯାନ କେବଳ ଟ୍ରାଫିକ୍ ନିୟମ ସଚେତନତା ପ୍ରସାର କରିବା ଲାଗି ନୁହେଁ, କୌଣସି ଦୁର୍ଘଟନାରେ ସେମାନଙ୍କ ଜୀବନ ବଞ୍ଚାଇବା ଲାଗି ମଧ୍ୟ ।