ପାକିସ୍ଥାନୀ କହି ଜଣେ ଯୁବକଙ୍କ ଦାଢୀ କାଟିଦେଲେ ଦୁର୍ବୃତ୍ତ ! ୩ ଦୁର୍ବୃତ୍ତଙ୍କୁ ଠାବ କଲା ପୋଲିସ୍ । 

23

ସମାଜରେ ସମସ୍ତ ବର୍ଗ,ତଥା ଲୋକଙ୍କୁ ନିଜ ଢାଞ୍ଚାରେ ବଞ୍ଚିବାର ସମ୍ପୁର୍ଣ୍ଣ ଅଧିକାର ରହିଅଛି । କିନ୍ତୁ ବେଳେବେଳେ ଏମିତି କିଛି ଖବର ଆମ ଆଖି ଆଗକୁ ଆସେ ଯାହା ଲୋକଙ୍କ ନିମ୍ନ ଚିନ୍ତାଧାରାକୁ ଦର୍ଶାଇଥାଏ । ଏଭଳି ଏକ ଘଟଣା ଏବେ ସାମ୍ମାକୁ ଆସିଛି ।

ଘଟଣାଟି ଘଟିଛି ହରିୟାଣାର ଗୁରୁଗ୍ରାମଠାରେ  । ଏଠାରେ ଜଣେ ଯୁବକଙ୍କୁ ମାରପିଟ୍ କରିବା ଏବଂ ଜବରଜସ୍ତି ଦାଢୀ କାଟିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ୩ ଜଣ ଯୁବକ ଜବରଦସ୍ତୀ ଜଫରୁଦ୍ଦିନ୍ ନାମକ ଜଣେ ମୁସଲିମ୍ ଯୁବକଙ୍କୁ ପାକିସ୍ତାନୀ କହି ତାଙ୍କ ଦାଢୀକୁ କାଟି ଦେଇଥିଲେ । ଏହି ଘଟଣା ପରିବାହାଟରେ ଘଟିଥିବା କଥା ପୀଡିତ ପୋଲିସକୁ କହିଥିଲେ । ଜଫରୁଦ୍ଦିନ୍ ଏବଂ ତାଙ୍କ ବନ୍ଧୁ ଇବ୍ରାହିମ୍ ପରିବା କିଣିବା ପାଇଁ ହଙ୍କଳର ଯାଇଥିବା ବେଳେ କିଛି ଅସାମାଜିକ ଲୋକ ଜଫରୁଦ୍ଦିନଙ୍କୁ ପାକିସ୍ଥାନୀ କହିଥିଲେ । ଯାହାଦ୍ୱାରା ଦୁହିଁଙ୍କ ମଧ୍ୟରେ ଗାଳିଗୁଲଜ ଏବଂ ମାରପିଟ ମଧ୍ୟ ହୋଇଥିଲା ।

ଦୁର୍ବୃତ୍ତ  ଉକ୍ତ ଯୁବକଙ୍କୁ ଉଠାଇନେଇ ବାରିକ ପାଖକୁ ଯାଇ ଦାଢୀ କାଟିବା ପାଇଁ ମଧ୍ୟ କହିଥିଲେ । କିନ୍ତୁ ବାରିକ ଏଥିରେ ରାଜି ନ ହେବାରୁ ଉକ୍ତ ବାରିକକୁ ମଧ୍ୟ ସେମାନେ ପିଟିଥିଲେ । ଦୁର୍ବୃତ ପୀଡିତ ଯୁବକଙ୍କୁ ଏକ ଚେୟାରରେ ବାନ୍ଧି ଜୋରଜବରଦସ୍ତି ଦାଢୀ କାଟିଥିଲେ । ଏନେଇ ଯୁବକ ପୋଲିସର ଦ୍ୱାରସ୍ତ ହୋଇଥିଲେ ମଧ୍ୟ ପ୍ରଥମେ ପୋଲିସ୍ ମଧ୍ୟ ଏନେଇ କିଛି ପଦକ୍ଷେପ ନେଇନଥିଲେ । କିନ୍ତୁ ପରମୁହୂର୍ତ୍ତମରେ ମାମଲା ଗମ୍ଭୀର ହେବାରୁ ପୋଲିସ୍ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଛି ।