ରାମରହିମଙ୍କ ପୋଷ୍ୟାକନ୍ୟା ହନିପ୍ରିତ ସିଂ ନାଁରେ ଦେଶଦ୍ରୋହ ମାମଲା ! ଲୁକଆଉଟ ନୋଟିସ ଜାରି କଲା ହରିଆଣା ପୁଲିସ, ଜେଲରୁ ବାବାଙ୍କୁ ଖସାଇ ନେବା ଉଦ୍ୟମ ଅଭିଯୋଗ

68

କନକ ବ୍ୟୁରୋ : ସାଧ୍ୱୀ ଦୁଷ୍କର୍ମ ମାମଲାରେ ବଳାତ୍କାରୀ ରାମରହିମ ଦୋଷୀ ସାବ୍ୟସ୍ତ ହୋଇ ୨୦ବର୍ଷ ଜେଲ ଦଣ୍ଡାଦେଶ ପାଇଛନ୍ତି । କିନ୍ତୁ ପୁରା ଘଟଣାରେ ଏକ ବଡ ଚକ୍ରାନ୍ତର ସୁରାକ ପାଇଛି ପୋଲିସ । କୋର୍ଟରୁ ରାମରହିମଙ୍କୁ ଫେରାର କରିବା ପାଇଁ ଚକ୍ରାନ୍ତ କରାଯାଇଥିଲା । ଆଉ ଏହାର ମାଷ୍ଟରମାଇଣ୍ଡ ଥିଲେ ରାମରହିମଙ୍କ ପୋଷ୍ୟାକନ୍ୟା ହନିପ୍ରୀତ ସିଂ । ରାମରହିମଙ୍କୁ ଫେରାର କରିବା ଚକ୍ରାନ୍ତ ଅଭିଯୋଗରେ ହନିପ୍ରୀତିଙ୍କ ନାଁରେ ହରିୟାଣା ପୋଲିସ ଲୁକ ଆଉଟ ନୋଟିସ ଜାରି କରିଛି । ତାଙ୍କ ନାଁରେ ଦେଶଦ୍ରୋହ ମାମଲା ବି ରୁଜୁ ହୋଇଛି । ସେହିଭଳି ଡେରା ସଚ୍ଚା ସୌଦାର ମୁଖପାତ୍ର ଆଦିତ୍ୟ ଇନସାନଙ୍କ ନାଁରେ ବି ଲୁକ ଆଉଟ ନୋଟିସ ଜାରି କରାଯାଇଛି ।

ବାବଙ୍କୁ ଫେରାର କରିବା ପାଇଁ ଏକ ରେଡ ବ୍ୟାଗର ବ୍ୟବହାର କରାଯାଇଥିଲା । ଏହି ବ୍ୟାଗଟି ରାମରହିମଙ୍କ ପୋଷ୍ୟାକନ୍ୟା ହନିପ୍ରୀତଙ୍କ ହାତରେ ରହିଥିଲା । ତାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ନିଯୁକ୍ତଥିବା କମାଣ୍ଡୋମାନେ ହିଁ ଫେରାର କରିବା ପାଇଁ ଯୋଜନା କରିଥିବା ବେଳେ ସେହି ରେଡବ୍ୟାଗକୁ ସଙ୍କେତ ଭାବେ ବ୍ୟବହାର କରାଯାଇଥିଲା । ଶେଷରେ ଏହି ଯୋଜନା ସମ୍ପର୍କରେ ହରିଆଣା ପୁଲିସ ଜାଣିପାରି ରାମ ରହିମଙ୍କୁ କୋର୍ଟରୁ ହେଲିକପ୍ଟର ଯୋଗେ ରୋହତକ ସୁନାରିଆ ଜେଲକୁ ନିଆଯାଇଥିବା ପୁଲିସ ଆଇଜି କେକେ ରାଓ କହିଛନ୍ତି । ତେବେ ରାମରହିମଙ୍କୁ ଫେରାର କରାଇବା ଷଡଯନ୍ତ୍ରରେ ସାମିଲ ଥିବା ୫ଜଣ ଯବାନକୁ ମଧ୍ୟ ବହିଷ୍କାର କରାଯାଇଥିବା ରାଓ କହିଛନ୍ତି ।

ହନିପ୍ରୀତଙ୍କ ବିଷୟରେ କିଛି କଥା –

ହନିପ୍ରୀତଙ୍କ ମୂଳ ନାଁ ହେଉଛି ପ୍ରିୟଙ୍କା ତନେଜା । ରିପୋର୍ଟ ଅନୁସାରେ ହରିଆଣାର ହିସାର ନିବାସୀ ପ୍ରିୟଙ୍କା, ରାମରହିମଙ୍କ ନିକଟକୁ ଆସିଥିଲେ ଅଭିଯୋଗ ନେଇ । ଶ୍ୱଶୁର ଘର ଲୋକ ଯୌତୁକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଥିଲେ ବାବାଙ୍କ ନିକଟରେ । ୨୦୦୯ରେ ରାମରହିମ ତାଙ୍କୁ ପୋଷ୍ୟକନ୍ୟା କରିଥିଲେ ଏବଂ ତାଙ୍କ ନାଁ ରଖିଥିଲେ ହନିପ୍ରୀତ ଇନସାନ୍ । ଏହାପରେ ସେ ସିରସାସ୍ଥିତ ଡେରା ଆଶ୍ରମରେ ରହିଥିଲେ । ୨୦୧୨ ମସିହା । ହନିପ୍ରୀତଙ୍କୁ ନେଇ ଆଉ ଏକ ବିବାଦ ସୃଷ୍ଟି ହେଲା । ହନିପ୍ରୀତଙ୍କ ସ୍ୱାମୀ ସାଂଘାତିକ ଅଭିଯୋଗ କରିଥିଲେ ରାମରହିମଙ୍କ ବିରୋଧରେ । ରାମରହିମ ତାଙ୍କ ପତ୍ନୀଙ୍କୁ ଯୌନଶୋଷଣ କରୁଥିବା ଅଭିଯୋଗ କରି କୋର୍ଟରେ ମାମଲା ଦାୟର କରିଥିଲେ ।

ଅବଶ୍ୟ ପରେ ଏହି ମାମଲାକୁ ପ୍ରତ୍ୟାହାର କରି ନେଇଥିଲେ ହନିପ୍ରୀତଙ୍କ ସ୍ୱାମୀ । ଏହି ବିବାଦର ସମାଧାନ ହୋଇଥିଲା, ମାତ୍ର ଆଶ୍ରମରୁ ଆଉ ଫେରି ନଥିଲେ ହନିପ୍ରୀତ । କୁହାଯାଏ, କିଛି ଦିନ ଭିତରେ ହନିପ୍ରୀତ ପାଲଟି ଯାଇଥିଲେ ରାମରହିମଙ୍କ ଲାଡଲୀ ଝିଅ । ରାମରହିମଙ୍କୁ ସବୁ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ହନିପ୍ରୀତଙ୍କୁ । ରାମରହିମ୍ କରିଥିବା ୫ଟି ଫିଲ୍ମରେ ହନିପ୍ରୀତଙ୍କର ପ୍ରମୁଖ ଭୂମିକା ଥିଲା । ଅଭିନୟ ସହ ଫିଲ୍ମ ଏଡିଟିଂ, ନିର୍ଦ୍ଦେଶନାଠାରୁ ଫିଲ୍ମ ପ୍ରମୋସନ ପର୍ଯ୍ୟନ୍ତ ସେ ଥିଲେ ମୁଖ୍ୟ କାର୍ପେଟଦାର । ତାଙ୍କର ବହୁମୁଖୀ ପ୍ରତିଭାକୁ ବେଶ୍ ତାରିଫ କରୁଥିଲେ ବିବାଦୀୟ ବାବା ରାମରହିମ ।

ସୂଚନାଯୋଗ୍ୟ ରାମ ରହିମ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ୍‌ରେ ନିଜ ପୋଷ୍ୟ କନ୍ୟା ହନିପ୍ରୀତକୁ ସହଯୋଗୀ ଭାବେ ରଖିବା ଲାଗି ପଞ୍ଚକୁଲା ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଶୁକ୍ରବାର ରୋହତକକୁ ହେଲିକପ୍ଟରରେ ଯିବା ପୂର୍ବରୁ ଉଭୟ ରାମ ରହିମ ଏବଂ ହନିପ୍ରୀତ ଜେଲ୍‌ରେ ଏକାଠି ରହିବା ଲାଗି କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ରାମ ରହିମ ମଧ୍ୟ ଏନେଇ ଏକ ପିଟିସନ ଦାୟର କରିଥିଲେ ।  ହନିପ୍ରୀତ ମଧ୍ୟ ତାଙ୍କ ଓକିଲଙ୍କ ମାଧ୍ୟମରେ ଅନୁରୋଧ ଜଣାଇଥିଲେ । ତେବେ ସିବିଆଇ କୋର୍ଟ ରାମ ରହିମଙ୍କ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ, ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କ ସହ ଜେଲ୍‌ରେ କେହି ସହଯୋଗୀ ରହିବେ କି ନା’ ସେନେଇ କୋର୍ଟ କୌଣସି ନିଷ୍ପତ୍ତି ନେଇ ପାରିବେନି । ତେବେ ଜେଲ୍‌ରେ ଜଣେ ପୁରୁଷ ଅଭିଯୁକ୍ତଙ୍କ ସହ ଜଣେ ମହିଳା ରହିପାରିବେନି ଏବଂ ତାହା ଜେଲ୍‌ର ନିୟମ ପରିସରଭୁକ୍ତ ନୁହେଁ ବୋଲି ଜେଲ୍‌ ପ୍ରଶାସନ ସ୍ପଷ୍ଟ କରିଥିଲେ ।