ଜେଲରେ ବିତିବ ରାମ ରହିମଙ୍କ ବାକି ଜୀବନ ! ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ ।

169

କନକ ବ୍ୟୁରୋ: ଡ଼ୋରା ସଚ୍ଚା ସୌଦାଗର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟାକାଣ୍ଡରେ ସିବିଆଇର ସ୍ଵତନ୍ତ୍ର କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୀର୍ଘ ୧୬ ବର୍ଷ ପୂର୍ବ ପୁରୁଣା ମାମଲାରେ କୋର୍ଟ ଗୁରମିତ ରାମ ରହିମଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ପଞ୍ଚକୁଲା କୋର୍ଟ। ଉକ୍ତ ମାମଲାରେ ରାମ ରହିମଙ୍କ ବ୍ୟତିତ ଅନ୍ୟ ୩ ଦୋଷୀ କୁଲଦୀପ ସିଂହ, ନିର୍ମଳ ସିଂହ ଓ କୃଷ୍ଣ ଲାଲଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।

ଯୌନ ଶୋଷଣ ମାମଲାରେ ସୁନାରିଆ ଜେଲରେ ସଜା କାଟୁଥିବା ଡେରା ସଚ୍ଚା ସୌଦାର ପ୍ରମୁଖ ଗୁରମିତ ରାମ ରହିମଙ୍କୁ ଏହା ବ୍ୟତୀତ ସବୁ ଦୋଷୀଙ୍କ ଉପରେ ୫୦ ହଜାର ଟଙ୍କା ଲେଖାଏ ଜୋରିମାନା ମଧ୍ୟ ଲଗାଯାଇଛି। ସଜା ଘୋଷଣା ପୂର୍ବରୁ ସିବିଆଇ କୋର୍ଟରେ ରାମ ରହିମଙ୍କୁ ଫାଶି ଦେବାକୁ ଦାବି କରିଥିଲେ। ଯୌନ ଶୋଷଣ ମାମଲାର ଶୁଣାଣି ସମୟରେ ପଞ୍ଚକୁଲାରେ ଘଟି ଯାଇଥିବା ଦଙ୍ଗାକୁ ଧ୍ୟାନରେ ରଖି ପଞ୍ଜାବ ଓ ହରିୟାଣାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ, ୨୦୦୨ରେ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଛତ୍ରପତି ନିଜର ସମାଚାରରେ ଡେରା ସଚ୍ଚା ସମ୍ବନ୍ଧିତ ଖବର ପ୍ରକାଶିତ କରିବାରୁ ତାଙ୍କୁ ହତ୍ୟା କରାଯାଇଥିଲା । ତାଙ୍କ ହତ୍ୟା ପରେ ପରିବାରଲୋକେ ମାମଲା ରୁଜୁ କରିଥିଲେ। ଏହାର ଖୋଳତାଡ଼ କରୁଥିଲା ସିବିଆଇ । ୨୦୦୭ରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ଏଥିରେ ରାମ ରହିମଙ୍କୁ ରାମଚନ୍ଦ୍ରଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ଆରୋପି କରାଯାଇଥିଲା।

ସେହିପରି ପଞ୍ଚକୁଲାର ସ୍ଵତନ୍ତ୍ର ସିବିଆଇ କୋର୍ଟ ସାମ୍ବାଦିକ ଛତ୍ରପତି ହତ୍ୟାକାଣ୍ଡ ମାମଲାରେ ଡେରା ପ୍ରମୁଖ ଗୁରମିତ ରାମ ରହିମ ଓ କୃଷ୍ଣଲାଲଙ୍କୁ ଆଇପିସିର ଧାରା ୧୨୦ବି ଓ ୩୦୨ ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ । ୧୬ ବର୍ଷର ପୁରୁଣା ମାମଲାରେ କୋର୍ଟ ଗୁରମିତ ରାମ ରହିମଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।