ଟ୍ରାଫିକ ନିୟମ ଉଲ୍ଲଂଘନ କରି ହଟହଟା ହେଲେ ଯୁବକ । ୧୫ ହଜାର ଟଙ୍କାର ଗାଡି ଉପରେ ୨୩ ହଜାର ଟଙ୍କାର ଚାଲାଣ କାଟିଲେ ଟ୍ରାଫିକ ପୋଲିସ । 

2,168

ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ଜୋରାଦାର ହେଉଛି ଟ୍ରାଫିକ ଚେକିଂ । ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା ବାବଦକୁ ହଜାର ହଜାର ଟଙ୍କା ଗଣିବାକୁ ପଡୁଛି । ତେବେ ନୂଆ ନିୟମ ଆସିବାର ଦୁଇ ଦିନ ମଧ୍ୟରେ ଟ୍ରାଫିକ ପୋଲିସଙ୍କ ମନମାନିକୁ ନେଇ ଆସିଛି ବଡ ଅଭିଯୋଗ । ୧୫ ହଜାର ଟଙ୍କାର ସ୍କୁଟି ଉପରେ ୨୩ ହଜାର ଟଙ୍କାର ଜରିମାନା ଲଗାଇ ଚର୍ଚ୍ଚାକୁ ଆସିଛି ହରିୟାଣା ଟ୍ରାଫିକ୍ ପୋଲିସ ।

ଓଡ଼ିଆରେ ଏକ ଲୋକକଥା ଅଛି, ଘୋଡା ୬ ଟଙ୍କାକୁ ଦାନା ୯ ଟଙ୍କା । ଆଉ ଗୁଡଗାଓଁରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳିଛି । ଦିନେଶ ମଦାନ ନାମକ ବ୍ୟକ୍ତି ଟ୍ରାଫିକ ନିୟମ ଉଲ୍ଲଂଘନ କରି ଜରିମାନା ବାବଦକୁ ୨୩ ହଜାର ଟଙ୍କା ଗଣିବାକୁ ଯାଉଛନ୍ତି । ତେବେ ସବୁଠୁ ମଜାଦାର କଥା ହେଉଛି, ଯେଉଁ ସ୍କୁଟି ନାଁରେ ଚାଲାଣ କଟାଯାଇଛି ତାହାର ବଜାର ଦର ମାତ୍ର ୧୫୦୦୦ ଟଙ୍କା ।

ହରିୟାଣାର ଗୁଡଗାଓଁ କୋର୍ଟରେ କାମ କରୁଥିବା ଦିଲ୍ଲୀର ବାସିନ୍ଦା ଦିନେଶ ମଦାନ ସୋମବାର ରାସ୍ତାରେ ଯାଉଥିବା ବେଳେ ଟ୍ରାଫିକ ପୋଲିସ ହାବୁଡରେ ପଡିଥିଲେ । ନା ମୁଣ୍ଡରେ ହେଲମେଟ ଥିଲା ନା ଗାଡି ରେଜିଷ୍ଟ୍ରେସନ ସାର୍ଟିଫିକେଟ । ଏପରିକି ଇନସ୍ୟୁରାନ୍ସ, ପ୍ରଦୂଷଣ କାଗଜପତ୍ର ମଧ୍ୟ ଦିନେଶଙ୍କ ପାଖରେ ନଥିଲା । ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଲାଉଥିବାରୁ ନୂଆ ନିୟମ ମୁତାବକ ଦିନେଶଙ୍କ ନାଁରେ ୨୩ ହଜାର ଟଙ୍କାର ଚାଲାଣ କାଟିଥିଲେ ଟ୍ରାଫିକ ଅଧିକାରୀ । ତେବେ ଟଙ୍କା ନ ଦେବାରୁ ୨୩ ହଜାର ଟଙ୍କାର ରସିଦ ଦେଇ ଦିନେଶଙ୍କ ଗାଡି ଜବତ କରିଥିଲେ ଟ୍ରାଫିକ ଅଧିକାରୀ ।

ତେବେ ଦିନେଶଙ୍କ କହିବା ଅନୁଯାୟୀ, ସେ ହେଲମେଟ ପିନ୍ଧିନଥିଲେ ଓ ତାଙ୍କ ପାଖରେ ଗାଡିର ଆରସି ନଥିଲା । ତେବେ ଘରେ ସମସ୍ତ କାଗଜପତ୍ର ଥିବା କହିବା ସତ୍ତେ୍ୱ ମଧ୍ୟ ତାଙ୍କ କଥା ଶୁଣିନଥିଲେ ଟ୍ରାଫିକ ଅଧିକାରୀ । ଆଉ ନିୟମ ଉଲ୍ଲଂଘନ ପାଇଁ ୨୩ ହଜାର ଟଙ୍କାର ଚାଲାଣ କାଟିଥିଲେ ।

ଏହି ଘଟଣାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । ଗାଡି କାଗଜପତ୍ର ଆଣିବାକୁ କହିବା ପରେ ମଧ୍ୟ ଦିନେଶଙ୍କ ନାଁରେ ୨୩ ହଜାର ଟଙ୍କାର ଚାଲାଣ କାଟିବାକୁ ନାପସନ୍ଦ କରିଛନ୍ତି ସାଧାରଣ ଲୋକେ । ତେବେ ୧୫ ହଜାର ଗାଡି ପାଇଁ ଦିନେଶ ଜରିମାନା ବାବଦକୁ ୨୩ ହଜାର ଟଙ୍କା ଦେଉଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା ।