ବିଧାୟକ ହେବ ତ ଏମିତି । କାଦୁଅ ପଚ ପଚ ରାସ୍ତାରେ ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ, ଲୋକଙ୍କ ଦୁଃଖ ଶୁଣିଲେ, ସମାଧାନ ପାଇଁ ପ୍ରତିଶୃତି ଦେଲେ ।

479

କନକ ବ୍ୟୁରୋ: ନେତା ହେବ ତ ଏମିତି । ନିର୍ବାଚନ ବେଳେ କେବଳ ଭୋଟ ପାଇଁ ନୁହେଁ ବରଂ ନିର୍ବାଚନ ପରେ ମଧ୍ୟ ଲୋକଙ୍କ ସୁଖ ଦୁଃଖରେ ସାଥ୍ ଦେବାକୁ ଆଗେଇ ଆସିଛନ୍ତି ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ । ଯେତେବେଳେ ନେତା ମାନେ ବଡ ବଡ ଗାଡିରେ ବସି ବୁଲୁଛନ୍ତି ସେତେବେଳେ ଜନତାଙ୍କ ଦୁଃଖ ଶୁଣିବା ପାଇଁ କାଦୁଅ ପଚ ପଚ ରାସ୍ତାରେ ଦୁର୍ଗମ ଅଞ୍ଚଳରେ ପହଞ୍ଚିଛନ୍ତି ରଘୁନାଥ । ଆଉ ନିଜ ନେତାଙ୍କୁ ପାଖରେ ପାଇ ଗ୍ରାମବାସୀ ମଧ୍ୟ ବେଶ ଖୁସି ।

ରାୟଗଡା ଜିଲ୍ଲା ରମାନାଗୁଡା ବ୍ଲକ ଅନ୍ତର୍ଗତ ପାରିଖିତି ପଞ୍ଚାୟତର ପାହାଡିଆ ତଥା ଦୁର୍ଗମ ଇଲାକାରେ ଅବସ୍ଥିତ କୋଣ୍ଡାବାରିଡି ଗ୍ରାମ ।ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ଏହି ଗାଁକୁ ପାଦ ଚଲା ରାସ୍ତା କହିଲେ କାଦୁଅ ପଚ ପଚ ରାସ୍ତାକୁ ବୁଝାଏ । ବର୍ଷା ହେଲେ କାଦୁଅ ପଚ ପଚ ରାସ୍ତାରେ ବାହାରକୁ ବାହାରିବା ମଧ୍ୟ ମୁସ୍କିଲ । ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ୍ । ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଏହି ଅଞ୍ଚଳର ବାସ୍ତବ ସ୍ଥିତି କଣ ରହିଛି ତାହା ଜାଣିବା ପାଇଁ କାଦୁଅ ପଚ ପଚ ରାସ୍ତାରେ ଚାଲି ଗାଁରେ ପହଞ୍ଚିଥିଲେ ବିଧାୟକ ରଘୁନାଥ ଗମାଙ୍ଗ ।

ରଘୁନାଥଙ୍କୁ ଗାଁରେ ଦେଖି ଗ୍ରାମବାସୀ ମଧ୍ୟ ବେଶ ଖୁସି ହୋଇଯାଇଥିଲେ । ଆଦିବାସୀ ପରମ୍ପରା ଅନୁଯାୟୀ ବିଧାୟକଙ୍କୁ ସ୍ୱାଗତ କରିଥିଲେ ଗ୍ରାମବାସୀ । ଆଉ ପରେ ପୂରା ଗାଁ ବୁଲିବା ସହ ସମସ୍ୟା ସର୍ମ୍ପକରେ ଲୋକଙ୍କୁ ପଚାରି ବୁଝିଥିଲେ ବିଧାୟକ । ଗାଁର ସମସ୍ୟା ଜାଣିବା ପରେ ଏହାକୁ ଏକ ନୋଟବୁକରେ ଟିପି ରଖିବା ଏହାର ସମାଧାନ ପାଇଁ ପ୍ରତିଶୃତି ମଧ୍ୟ ଦେଇଛନ୍ତି ରଘୁନାଥ । ଆଉ ବିଧାୟକ ରଘୁନାଥଙ୍କ ଏଭଳି ପ୍ରୟାସ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଯେତେବେଳେ ନିର୍ବାଚନ ଜିତିବା ପରେ ନେତା ମାନେ ଜନତାଙ୍କ ସମସ୍ୟା ବଦଳରେ ନିଜ ଫାଇଦା କଥା ଅଧିକ ଚିନ୍ତା କରନ୍ତି ସେତେବେଳେ ରଘୁନାଥ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।