ଜାମ୍ମୁ-କାଶ୍ମୀର ସୋପିୟାଁରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବର୍ଷା ! ୨ ଆତଙ୍କବାଦୀଙ୍କ ଗଡିଲା ମୁଣ୍ଡ , ସର୍ଚ୍ଚ ଅପରେସନ୍ ଜାରୀ ।

76

ଜାମ୍ମୁ-କାଶ୍ମୀରର ସୋପିୟାଁ ଜିଲ୍ଲାର ଅବନୀଶ୍ କ୍ଷେତ୍ରରେ ସୋମବାର ମଧ୍ୟ ରାତ୍ରିରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ଭିତରେ ଭିଷଣ ଗୁଳିବର୍ଷଣ ହୋଇଥିଲା । ବିଶେଷ ସୂତ୍ରରୁ ଜଣାପଡିଛି ଯେ ଏହି ସମୟରେ ସୁରକ୍ଷାବଳ ୨ ଆତଙ୍କବାଦୀଙ୍କୁ ମାରି ଗଡାଇଛନ୍ତି । ଏହି ଦୁଇ ଆତଙ୍କବାଦୀ ଆଇଏସଜେକେ ଆତଙ୍କବାଦୀ ସମୂହ ସହ ଜଡିତ ଥିବା କଥା କୁହାଯାଉଥିବା ବେଳେ ଦୁହିଁଙ୍କ ପରିଚୟ ସ୍ପଷ୍ଟ ହୋଇଯାଇଛି । ଏମାନଙ୍କ ମଧ୍ୟରୁ ଜଣଙ୍କ ନାଁ ଆଦିଲ୍ ହୋଇଥିବା ବେଳେ ଆଉ ଜଣଙ୍କ ନାଁ ହେଉଛି ଶକୀର । ସୋପିୟାଁର ବାସିନ୍ଦା ହୋଇଥିବା ଏହି ଦୁଇ ଆତଙ୍କବାଦୀ ପୋଲିସ୍ ଏବଂ ସୁରକ୍ଷାବଳର ଜଏଣ୍ଟ୍ ସର୍ଚ୍ଚ ଅପରେସନ୍ ର ଶିକାର ହୋଇଛନ୍ତି ।

ପୋଲିସ୍ କହିବାନୁସାର ଆତଙ୍କବାଦୀ ଲୁଚିଥିବା ସ୍ଥାନରେ ସୁରକ୍ଷାବଳ ଚେତାବନୀ ସ୍ୱରୁପ ପ୍ରଥମେ ୱାର୍ଣ୍ଣିଙ୍ଗ୍ ସଟ୍ ଫାୟାର୍ କରିଥିଲେ । ଯାହାପରେ ଅଚାନକ ଆତଙ୍କୀ ଗୁଳି ବର୍ଷା କରିବା ଆରମ୍ଭ କରିଦେଇଥିଲେ । ଏହି ସମୟରେ ପାଲଟା ଆକ୍ରମଣ କରି ସୁରକ୍ଷାବଳ ତରଫରୁ ମଧ୍ୟ ଗୁଳିବର୍ଷଣ କରାଗଲା । ଫଳସ୍ୱରୁପ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପୋଲିସ୍ ଏବଂ ସୁରକ୍ଷାବଳ ସଂଯୋଗରେ ସର୍ଚ୍ଚ ଅପରେସନ୍ ଜାରୀ ରହିଛି ।