ବାଇକ ସନ୍ଧାନ କରିବାବେଳେ ବରଗଡରେ ମିଳିଲା ବନ୍ଧୁକ କାରଖାନାର ସନ୍ଧାନ । ଆଇଟିଆଇ ପଢା ପିଲା କିଙ୍ଗପିନ, ୟୁଟ୍ୟୁବ ଦେଖି ତିଆରି କରୁଥିଲା ବନ୍ଧୁକ

174

କନକ ବ୍ୟୁରୋ : ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି ବରଗଡ ପୁଲିସକୁ ବଡ ସଫଳତା ମିଳିଛି । ବାଇକ୍ ଯାଂଚ କରିବାବେଳେ ପୁଲିସକୁ ବନ୍ଧୁକ କାରଖାନାର ସନ୍ଧାନ ମିଳିଛି । ଏକାମ୍ର ଛକରେ ସଦର ପୋଲିସ ପକ୍ଷରୁ ପେଟ୍ରୋଲିଂ କରୁଥିଲା । ଏତିକିବେଳେ ବରପାଲି ବ୍ଲକ୍ ଚାରପାଲି ଗାଁର ବାହାଦୁର ପ୍ରଧାନ ଏବଂ ଏକାମ୍ର ଛକର ମନବୋଧ ଭୋଇ ବାଇକରେ ଯାଉଥିବାବେଳେ ପୁଲିସ୍ ହାବୁଡରେ ପଡିଥିଲେ । ପୁଲିସ ସେମାନଙ୍କ ବାଇକ୍ ଯାଂଚ କଲାବେଳେ ଗାଡି ଭିତରୁ ଗୋଟିଏ ଦେଶୀ ପିସ୍ତଲ ବାହାରିଥିଲା । ପୁଲିସ ପିସ୍ତଲର କାଗଜପତ୍ର ମାଗିବା ସହ ପଚରାଉଚୁରା ଆରମ୍ଭ କରିଥିଲା । ସେମାନେ ପିସ୍ତଲଟି ବରପାଲି ବ୍ଲକ୍ ବହିଆପଦର ଗାଁର ଜିତୁ ବିଶ୍ୱାଳ ପାଖରୁ କିଣିଥିବା କହିଥିଲେ । ପୁଲିସ ତାପରେ ତୁରନ୍ତ ଜିତୁର ଘରେ ଚଢ଼ାଉ କରିଥିଲା । ଆଉ ଯାହା ଜଣାପଡିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଜିତୁ ନିଜ ଘରେ ବନ୍ଧୁକ କାରଖାନା ଚଳାଇଥିଲା । ସେଠାରୁ ୩ଟି ବଡ ବନ୍ଧୁକ ଏବଂ ଗୋଟିଏ ଲେଖାଏ ରିଭଲଭର ଓ ପିସ୍ତଲ ଜବତ କରିଛି ପୋଲିସ୍ । ଏହା ସହ ଘରୁ ବନ୍ଧୁକ ତିଆରି ପାଇଁ ବିଭିନ୍ନ ସରଞ୍ଜାମ ମଧ୍ୟ ଜବତ ହୋଇଛି । ପୁଲିସ୍ ଜିତୁ ସମେତ ମନବୋଧ ଏବଂ ବାହାଦୁରକୁ ଗିରଫ କରି କୋର୍ଟଚାଲାଣ କରିଛି । ଜିତୁ ୨୦୧୬ମସିହାରେ ଆଇଟିଆଇ ପାସ୍ କରିଥିଲା । ସେ ଗୋଟିଏ ରାଇସ ମିଲରେ କାର୍ଯ୍ୟ କରୁଥିଲା । କିନ୍ତୁ ଘରକୁ ଆସି ବନ୍ଧୁକ ତିଆରି କରୁଥିଲା । ବିଭିନ୍ନ କବାଡିବାଲାଙ୍କଠାରୁ ଭଙ୍ଗା ସାମଗ୍ରୀ କିଣି ସେଥିରୁ ବନ୍ଧୁକ ତିଆରି କରି ବିକ୍ରି କରୁଥିଲା । ତେବେ ଜିତୁ ୟୁଟ୍ୟୁବ୍ ଦେଖି ବର୍ଷେ ତଳେ ବନ୍ଧୁକ ତିଆରି ଶିଖିଥିବା ଜଣାପଡିଛି ।