ଦିନକ ପରେ ଗୁମୁଡୁମାହା ଗୁଳିକାଣ୍ଡକୁ ପୁରିବ ଦୁଇ ବର୍ଷ : ଏଯାଏଁ ଚିହ୍ନଟ ହୋଇପାରିଲେନି ଅଭିଯୁକ୍ତ, ନ୍ୟାୟ ମାଗୁଛି ଗୁମୁଡୁମାହା

21

କନକ ବ୍ୟୁରୋ : ଆଉ ମାତ୍ର ଦିନକ ପରେ କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡକୁ ପୁରିବାକୁ ଯାଉଛି ୨ବର୍ଷ । ଗୁଳିକାଣ୍ଡରେ ଜଣେ ୧୩ମାସର ଶିଶୁ,୩ଜଣ ମହିଳା ସମେତ ୫ଜଣଙ୍କ ଜୀବନ ଯାଇଥିଲା । ୭ଜଣ ଆହତ ମଧ୍ୟ ହୋଇଥିଲେ । ଏହା ପରେ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିଥିଲେ । ତାପରେ ବିକାଶଠାରୁ ବହୁ ଦୂରରେ ଥିବା ଗୁମୁଡୁମାହାର ଅସଲ ଚିତ୍ର ଦେଖିଥିଲା ସାରା ଦେଶ । ତାପରେ ଗାଁର ଉନ୍ନତି ପାଇଁ ସରକାର ଦେଇଥିଲେ ଅନେକ ପ୍ରତିଶ୍ରୁତି । ଆଉ ଠିକ୍ ଦୁଇ ବର୍ଷ ପରେ କେତେ ବଦଳିଛି ଗୁମୁଡୁମାହାର ଚିତ୍ର ?

୨୦୧୬ର ଗୁଳିକାଣ୍ଡ ପରେ ସରକାରଙ୍କ ଗଦାଗଦା ପ୍ରତିଶ୍ରୁତି ସତ୍ୱେ ବି ବଦଳିନି ଗାଁର ବାସ୍ତବ ଚିତ୍ର । ପାଣି କାଦୁଅ ରାସ୍ତାରେ କଲବଲ ହେଉଛନ୍ତି ଗ୍ରାମବାସୀ । ଗାଁକୁ ବିଜୁଳି ଆସିଛି, ଟ୍ରାନ୍ସଫରମର ବସିଛି ହେଲେ ଡିବିରି ବତୀଠାରୁ ଆହୁରି କମ୍ ଜଳୁଛି ବଲ୍ । ସେହିପରି ଶିକ୍ଷା ଓ ସ୍ୱାସ୍ଥ୍ୟ ଅବସ୍ଥା କଥା ନକହିବା ଭଲ । ଗାଁ ଲୋକଙ୍କ ରୋଜଗାର ପାଇଁ ସେଭଳି କୈାଣସି ଆଖି ଦୃଶିଆ ବ୍ୟବସ୍ଥା କରି ନାହାଁନ୍ତି ସରକାର । ଦୁର୍ଦ୍ଦିନରେ କାଳକାଟୁଛନ୍ତି ଗୁମୁଡୁମାବାସୀ ।

ସେପଟେ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନେଇ ପ୍ରଶ୍ନ ଉଠାଇଛନ୍ତି ଗୁମୁଡୁମାହା ଗୁଳିକାଣ୍ଡ ସମିତିର ସଂଯୋଜକ । କହିଛନ୍ତି ସରକାର ଦେଇଥିବା କଥାକୁ ରଖିନାହାଁନ୍ତି । ଗୁଳିିକାଣ୍ଡ ପରେ ଗାଁକୁ ପାନୀୟ ଜଳ, ବିଦ୍ୟୁତ୍, ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକାର ଉନ୍ନତି ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିିଲେ । ସେହିପରି ହତ୍ୟାକାରୀଙ୍କୁ ଚିହ୍ନଟ କରି ଦଣ୍ଡ ଦିଆଯିବ ବୋଲି କହିଥିଲେ ସରକାର । ହେଲେ ଏପର୍ଯ୍ୟନ୍ତ ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇନି ବୋଲି ଅଭିଯୋଗ ସେ ଅଭିଯୋଗ କରିଛନ୍ତି । ଏହା ସହିତ ତଦନ୍ତ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି ।

୨୦୧୬ ର ଏହି ଘଟଣା ସାରା ଦେଶରେ ଚହଳ ପକାଇଥିଲା । ଏହାକୁ ନେଇ ଚାରିଆଡୁ ସରକାରଙ୍କୁ ଘେରିଥିଲେ ବିରୋଧୀ । ଏଥିପାଇଁ ବସିଥିଲା ତଦନ୍ତ କମିଶନ । ତା ସତ୍ୱେ ଦୋଷୀକୁ ଚିହ୍ନଟ ନକରିବା ଓ ସରକାରଙ୍କ ପ୍ରତିଶ୍ରୁତି ଅନୁସାରେ କାର୍ଯ୍ୟ ନହେବା ଆଦିବାସୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନବାଚୀ ସୃ୍ଷ୍ଟି କରିଛି ।