ନ୍ୟାୟ ମାଗୁଛି ଗୁମୁଡୁମାହା ! ଗୁଳିକାଣ୍ଡକୁ ଆଜି ପୂରିଲା ଦୁଇବର୍ଷ କିନ୍ତୁ ଏବେ ବି ଚିହ୍ନଟ ହୋଇପାରିଲେନି ହତ୍ୟାକାରୀ, ଥଣ୍ଡାବସ୍ତାରେ ତଦନ୍ତ କମିଶନ ରିପୋର୍ଟ

34

କନକ ବ୍ୟୁରୋ: ନ୍ୟାୟ ମାଗୁଛି କନ୍ଧମାଳର ଗୁମୁଡୁମାହା । ଗୁଳିକାଣ୍ଡକୁ ଆଜି ପୂରିଛି ଦୁଇବର୍ଷ । ୨୦୧୬ ଜୁଲାଇ ୮ ତାରିଖରେ ମନରେଗା ଟଙ୍କା ଧରି ଫେରୁଥିବାବେଳେ ଯବାନଙ୍କ ଗୁଳିରେ ଟଳି ପଡିଥିଲେ ୫ ଜଣ ଆଦିବାସୀ । ଏମାନଙ୍କ ମଧ୍ୟରେ ଥିଲେ ୧୩ ମାସର ଶିଶୁ ଓ ୩ ଜଣ ମହିଳା । ରାତିରେ ଘଟିଥିଲା ଘଟଣା । ସମସ୍ତେ ମନରେଗା ଟଙ୍କା ଧରି ଆସୁଥିବା ବେଳେ କଲଭର୍ଟ ନିକଟରେ ଅଟୋ ରହିଯାଇଥିଲା । ଆଉ ଅନ୍ଧାରରେ ଯବାନମାନେ ଆଖିବୁଜା ଗୁଳି ଚଳାଇଥିଲେ । ମୃତକଙ୍କ ଉଦ୍ଦେଶ୍ୟରେ ଗାଁରେ ସହିଦ ସ୍ତମ୍ଭ ନିର୍ମାଣ କରାଯାଇଛି । ଏ ଯାଏଁ ହତ୍ୟାକରୀଙ୍କୁ ଚିହ୍ନଟ କରାଯାଇ ନଥିବାବେଳେ ଓ ତଦନ୍ତ କମିଶନଙ୍କ ରିପୋର୍ଟ ମଧ୍ୟ ଥଣ୍ଡା ଅବସ୍ଥାରେ ରହିଛି ।

ଉଲ୍ଲେଖ ଥାଉ କି, କନ୍ଧମାଳ ଜିଲ୍ଲା ଗୁମୁଡୁମାହା ଗୁଳିକାଣ୍ଡ ଘଟଣାକୁ ୨ ବର୍ଷ ପୂରିଥିବା ବେଳେ ବଦଳି ନାହିଁ ଗୁମୁଡୁମାହାର ଚିତ୍ର । ଏବେ ବି ପାଳନ ହୋଇନାହିଁ ସରକାର ଦେଇଥବା ପ୍ରତିଶ୍ରୁତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମୃତକଙ୍କ ପରିବାର ଓ ଆହତ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷର ନିଆଁ । ୨୦୧୬ ଜୁଲାଇ ୮ ତାରିଖ ଦିନ ପୋଲିସ ଅତର୍କିତ ଗୁଳିଚାଳନାରେ ଜଣେ ୧୩ ମାସର ଶିଶୁ ଏବଂ ୫ ଜଣଙ୍କର ଜୀବନ ଯାଇଥିବାବେଳେ ଲୋମହର୍ଷଣକାରୀ ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ତେବେ ଏହି ଘଟଣାକୁ ନେଇ ଗୁମୁଡୁମାହାର ଚିତ୍ର ବଦଳାଇବା ପାଇଁ ସରକାର ଦେଇଥିଲେ ଅନେକ ପ୍ରତିଶ୍ରୁତି । କିନ୍ତୁ ଯେଉଁଥି ପାଇଁ ଦୁଇ ବର୍ଷ ତଳେ ଗୁମୁଡୁମାହାରେ ବଳି ପଡିଗଲା ଅନେକ ଲୋକଙ୍କ ଜୀବନ, ସେହି ସ୍ୱପ୍ନ ଏବେ ଅଧୁରା ହୋଇ ରହିଛି ବୋଲି ଗ୍ରାମବାସୀଙ୍କ ଅଭିଯୋଗ ।

ରାଜ୍ୟ ସରକାର ଦୁଇ ବର୍ଷ ତଳେ ଦେଇଥିବା ସମସ୍ତ ପ୍ରତିଶ୍ରୁତି କେବଳ ତାଙ୍କ ଫାଇଲ ଭିତରେ ରଖିଦେଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । କୃର୍ତ୍ତମଗଡ ଠାରୁ ଗୁମୁଡୁମାହା ପାଖାପାଖି ୧୧ କିଲୋମିଟର ରାସ୍ତା ଏବେ ବି ଅଧପନ୍ତରିଆ ହୋଇ ପଡିଛି ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗାଁରେ ବିଜୁଳି ଖୁଣ୍ଟ ପଡିଲା କିନ୍ତୁ ବିଦ୍ୟୁତ ସରବରାହ ଉପଯୁକ୍ତ ପରିମାଣରେ ନଥିବାରୁ ପିଲାମାନଙ୍କ ପାଠ ପଢ଼ା ବାଧାପ୍ରାପ୍ତ ହେଉଛି ବୋଲି ଅଭିଯୋଗ ହୋଇଛି । ଗୁଳିକାଣ୍ଡରେ ମୃତ ପରିବାର ଏବଂ ଅକର୍ମଣ୍ୟ ହୋଇଯାଇଥିବା ପରିବାରଙ୍କୁ ନିଯୁକ୍ତି ପାଇଁ ମଧ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି କହିଛନ୍ତି ପୀଡିତଙ୍କ ପରିବାର ।