ରାତି ପାହିଲେ ଦେଶ ଦେଖିବ ୨୦୧୭ର ସବୁଠାରୁ ବଡ ନିର୍ବାଚନର ଫଳାଫଳ ! ଜଣାପଡିବ କମିଛି ନା ଅକ୍ଷୂର୍ଣ୍ଣ ରହିଛି ମୋଦିଙ୍କ ଲୋକପ୍ରିୟତା

51

କନକ ବ୍ୟୁରୋ : ରାତି ପାହିଲେ ପ୍ରକାଶ ପାଇବ ୨୦୧୭ର ସବୁଠାରୁ ବଡ ରାଜନୈତିକ ଲଢେଇର ଫଳାଫଳ । ଜଣାପଡିଯିବ ଗୁଜରାଟ ବିଧାନସଭା ନିର୍ବାଚନରେ କାହା ସପକ୍ଷରେ ଯାଇଛି ଜନାଦେଶ । ନିଜ ମାଟିରେ ମହାପରୀକ୍ଷାର ସାମ୍ନା କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେପଟେ ନୂଆକରି କଂଗ୍ରେସ କମାଣ ଧରିଥିବା ରାହୁଲ ଗାନ୍ଧୀଙ୍କ ପାଇଁ ବି ଏସିଡ ଟେଷ୍ଟ ହେବାକୁ ଯାଉଛି ଗୁଜରାଟ ଫଳାଫଳ । ଯଦି ଏକଜିଟ ପୋଲ ସର୍ଭେ ପୂର୍ବନୁମାନ ସତ ହୁଏ ଓ ମୋଦି ହାୱା ସପକ୍ଷରେ ଜନାଦେଶ ଯାଏ ତାହାହେଲେ ଷଷ୍ଠଥର ପାଇଁ ଗୁଜରାଟରେ କ୍ଷମତା ବଜାୟ ରଖିବ ବିଜେପି ।

ଆଉଯଦି ଫଳାଫଳ ଏକଜିଟ ପୋଲର ବିିପରୀତ ହେଲା, ତାହେଲେ ଦୀର୍ଘ ଦୁଇ ଦଶନ୍ଧି ଧରି ବିରୋଧୀ ଆସନରେ ବସିଥିବା କଂଗ୍ରେସ କ୍ଷମତାକୁ ଫେରିବ । ବୁଥ ବାହୁଡା ମତ ଉପରେ ନଜର ଦେଲେ ଜଣାପଡିବ ଯେ ଗତ ୧୪ ତାରିଖରେ ଗୁଜରାଟ ବିଧାନସଭାର ଦ୍ୱିତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ମତଦାନ ଶେଷହେବା ପରେ ନିର୍ବାଚନ ଫଳାଫଳକୁ ନେଇ କିଛି ଏହିଭଳି ପୂର୍ବାନୁମାନ କରିଥିଲେ ବିଭିନ୍ନ ଏକଜିଟ ପୋଲ ସର୍ଭେ ସଂସ୍ଥା । ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରୁ ବିଜେପି ୧୦୦ରୁ ଅଧିକ ଆସନ ଜିତି ପୁଣି ସରକାର ଗଢିବ ବୋଲି ପୂର୍ବାନୁମାନ କରାଯାଇଥିଲା । ଆଉ କଂଗ୍ରେସ ୮୦ ଭିତରେ ସୀମିତ ରହିବ ବୋଲି ଆକଳନ କରିଥିଲେ ଏଗଜିଟ ପୋଲ ସର୍ଭେ ସଂସ୍ଥାଗୁଡିକ ।

କୁହାଯାଉଛି ଏହି ଗୋଟିଏ ରାଜ୍ୟର ନିର୍ବାଚନ ଫଳାଫଳ ଆଗାମୀ ଦିନରେ ସାରାଦେଶର ରାଜନୀତିକୁ ବିଶେଷ ଭାବେ ପ୍ରଭାବିତ କରିବ । କାରଣ ଗୁଜରାଟ ବିକାଶ ମଡେଲକୁ ଆଧାର କରି ୨୦୧୪ରେ ଜାତୀୟ ରାଜନୀତିକୁ ପ୍ରବେଶ କରିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ୨୦୧୯ ସଂସଦୀୟ ନିର୍ବାଚନରେ ଏହା ନିର୍ଣ୍ଣାୟକ ହେବ । ସେହିପରି ସାରା ଦେଶରେ ସତ୍ତା ହରାଉଥିବା କଂଗ୍ରେସ ଓ ନୂଆକରି ନେତୃତ୍ୱ ନେଇଥିବା ରାହୁଲଙ୍କ ରାଜନୈତିକ ଭବିଷ୍ୟତ ସ୍ଥିର କରିବ ଗୁଜରାଟ ଫଳାଫଳ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ୧୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛି ।

ସୋମବାର କଡା ସୁରକ୍ଷା ମଧ୍ୟରେ ଗୁଜରାଟର ୩୩ ଜିଲ୍ଲାର ୩୭ଟି କେନ୍ଦ୍ରରେ ସକାଳ ୮ଟାରୁ ଆରମ୍ଭ ହେବ ମତଗଣନା । ଗୁଜରାଟ ନିର୍ବାଚନରେ ଏଥର ବିକାଶର ମୁଦ୍ଦା ପଛକୁ ଚାଲିଯାଇଥିବାବେଳେ ଜାତି ଓ ଧର୍ମକୁ ନେଇ ପରସ୍ପର ବିରୋଧରେ ଖୁବ ଆକ୍ରମଣ-ପ୍ରତିଆକ୍ରମଣ କରିଥିଲେ ବିଜେପି ଓ କଂଗ୍ରେସ । ଗୁଜରାଟ ଜନସଂଖ୍ୟାର ପ୍ରାୟ ୧୨ ପ୍ରତିଶତ କେବଳ ପଟ୍ଟିଦାରଙ୍କ ସହ ଓବିସି ଏବଂ ଦଳିତ ଭୋଟ ଯାହା ଖାତାକୁ ଯିବ ତାହା ହିଁ ବିଜୟ ପାଇଁ ନିର୍ଣ୍ଣାୟକ ହୋଇପାରେ ।