ଆଜି ଗୋଟିଏ ପଟେ ଗୁଜରାଟରେ ଚାଲିଥିଲା ଶେଷ ପର୍ଯ୍ୟାୟ ନିର୍ବାଚନ : ଅନ୍ୟପଟେ ଆରମ୍ଭ ହୋଇଯାଇଥିଲା ବିବାଦ

32

କନକ ବ୍ୟୁରୋ : ସାବରମତୀର ରାଣିପ ମତଦାନ କେନ୍ଦ୍ରରେ ଭୋଟ ଦେବା ପରେ ବୁଥରୁ ବାହାରିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ ଆଙ୍ଗୁଳିରେ ଲାଗିଥିବା କାଳି ଚିହ୍ନକୁ ଦେଖାଇ କିଛି ବାଟ ଚାଲିବା ପରେ ଗାଡ଼ିର ବିଶାଳ ପଟୁଆରରେ ସେ ଫେରିଥିଲେ । ଖୋଲା ଗାଡ଼ିରେ ହାତ ହଲାଇ ଯାଉଥାନ୍ତି ମୋଦି । ପଛରେ ଚାଲିଥାନ୍ତି ତାଙ୍କର ହଜାର ହଜାର ସମର୍ଥକ । ରାସ୍ତାର ଦୁଇ ପାଶ୍ୱର୍ରେ ଲାଗିଥାଏ ଲୋକଙ୍କ ଗହଳି । ମୋଦି ମୋଦି ନାରାରେ କମ୍ପୁଥାଏ ପରିବେଶ । ହେଲେ ଏହାକୁ ହଜମ କରିପାରିନାହିଁ କଂଗ୍ରେସ । ନିର୍ବାଚନ ଦିନ ମୋଦି ରୋଡ୍ ସୋ’ କରିଥିବା ଅଭିଯୋଗ ଉଠାଇଛି କଂଗ୍ରେସ । କଂଗ୍ରେସ ଅଭିଯୋଗ କରିଛି, ଭୋଟ ଦାନର ୪୮ ଘଂଟା ପୂର୍ବରୁ ପ୍ରଚାର ଉପରେ ନିଷେଧାଦେଶ ଥିବା ବେଳେ ଆଚରଣ ବିଧିର ଖୋଲା ଉଲଂଘନ କରିଛନ୍ତି ପ୍ରଧାନମନ୍ତ୍ରୀ । ନିର୍ବାଚନ କମିସନଙ୍କ ଆଭିମୁଖ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଭୋଟ ଦେବା ପରେ ମୋଦି ରୋଡ ସୋ’ କରିଥିବା ଅଭିଯୋଗରେ ବିବାଦ ହୋଇଥିବା ବେଳେ ବୁଧବାର ଦିନ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରଣ ହୋଇଥିବା ରାହୁଲ ଗାନ୍ଧିଙ୍କ ଇଂଟରଭ୍ୟୁକୁ ନେଇ ଚର୍ଚ୍ଚା ଜୋରଦାର ହୋଇଥିଲା । ଏହାକୁ ନେଇ କଂଗ୍ରେସର ନିର୍ବାଚିତ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନୋଟିସ୍ ଜାରି କରିଥିଲେ ନିର୍ବାଚନ କମିସନ୍ । ସଂପୃକ୍ତ ଚ୍ୟାନେଲ୍ ବିରୋଧରେ ଏଫଆଇଆର ଦାୟର କରିବାକୁ ମଧ୍ୟ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଇସି ଦେଇଛନ୍ତି ନିର୍ଦ୍ଦେଶ ।

ଗୁଜରାଟର ହାଇଭୋଲଟେଜ୍ ନିର୍ବାଚନ ଶେଷ ହୋଇଛି । ହେଲେ ଶେଷ ହୋଇନାହିଁ କଂଗ୍ରେସ ଓ ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପର ରାଜନୀତି ।