ଆଜି ହିମାଚଳ-ଗୁଜରାଟ ନିର୍ବାଚନ ଫଳାଫଳ ! ସକାଳ ୮ଟାରୁ ଭୋଟ ଗଣତି

26

କନକ ବ୍ୟୁରୋ : ୨୦୧୭ର ସବୁଠାରୁ ବଡ ରାଜନୈତିକ ଲଢେଇର ଫଳାଫଳ ଆଜି ପ୍ରକାଶ ପାଇବ । ଜଣାପଡିଯିବ ଗୁଜରାଟ ବିଧାନସଭା ନିର୍ବାଚନରେ କାହା ସପକ୍ଷରେ ଯାଇଛି ଜନାଦେଶ । ନିଜ ମାଟିରେ ମହାପରୀକ୍ଷାର ସାମ୍ନା କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଉ ନୂଆକରି କଂଗ୍ରେସ କମାଣ ଧରିଥିବା ରାହୁଲ ଗାନ୍ଧୀଙ୍କ ପାଇଁ ବି ହେବ ଏସିଡ ଟେଷ୍ଟ । ଯଦି ଏଗଜିଟ ପୋଲ ସର୍ଭେ ପୂର୍ବାନୁମାନ ସତ ହୁଏ ଓ ମୋଦି ହାୱା ସପକ୍ଷରେ ଜନାଦେଶ ଯାଏ ତାହାହେଲେ ଷଷ୍ଠଥର ପାଇଁ ଗୁଜରାଟରେ କ୍ଷମତା ବଜାୟ ରଖିବ ବିଜେପି । କୁହାଯାଉଛି ଏହି ଗୋଟିଏ ରାଜ୍ୟର ନିର୍ବାଚନ ଫଳାଫଳ ଆଗାମୀ ଦିନରେ ସାରାଦେଶର ରାଜନୀତିକୁ ବିଶେଷ ଭାବେ ପ୍ରଭାବିତ କରିବ ।

କାରଣ ଗୁଜରାଟ ବିକାଶ ମଡେଲକୁ ଆଧାର କରି ୨୦୧୪ରେ ଜାତୀୟ ରାଜନୀତିକୁ ପ୍ରବେଶ କରିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ୨୦୧୯ ସଂସଦୀୟ ନିର୍ବାଚନରେ ଏହା ନିର୍ଣ୍ଣାୟକ ହେବ । ସେହିପରି ସାରା ଦେଶରେ ସତା ହରାଉଥିବା କଂଗ୍ରେସ ଓ ନୂଆକରି ନେତୃତ୍ୱ ନେଇଥିବା ରାହୁଲଙ୍କ ରାଜନୈତିକ ଭବିଷ୍ୟତ ସ୍ଥିର କରିବ ଗୁଜରାଟ ଫଳାଫଳ । ଗୁଜରାଟର ୩୩ ଜିଲ୍ଲାର ୩୭ଟି କେନ୍ଦ୍ରରେ ସକାଳ ୮ଟାରୁ ଆରମ୍ଭ ହେବ ମତଗଣନା । ଏକଜିଟ୍ ପୋଲ୍ ବା ବୁଥ୍ ବାହୁଡା ମତ, ସ୍ପଷ୍ଟ ଭାବରେ ବିଜେପି ସପକ୍ଷରେ ଜନମତ ଯାଉଛି ବୋଲି ସୂଚନା ଦେଉଥିଲେ ମଧ୍ୟ, ସମସ୍ତଙ୍କ ନଜର ରହିଛି ପ୍ରକୃତ ଫଳାଫଳ ଉପରେ ।

ଅପରପକ୍ଷେ, ସାରା ଦେଶବାସୀଙ୍କ ନଜର ଗୁଜରାଟ ଉପରେ ରହିଛି । ଗତ ୯ ଏବଂ ୧୪ ତାରିଖ ଦୁଇଟି ପର୍ୟ୍ୟାୟରେ ମୋଟ ୧୮୨ଟି ଅସନ ପାଇଁ ୫୦,୧୨୮ଟି ମତଦାନ କେନ୍ଦ୍ରରେ ଭୋଟରମାନେ ୧,୮୨୮ଜଣ ଆଶାୟୀଙ୍କୁ ସେମାନଙ୍କ ମତ ସାବ୍ୟସ୍ତ କରି ସାରିଛନ୍ତି । ଇଭିଏମ୍ ମେସିନରେ ସିଲ ହୋଇ ରହିଥିବା ପ୍ରାର୍ଥୀଙ୍କ ଭାଗ୍ୟ ୩୭ଟି ଭୋଟଗଣନା କେନ୍ଦ୍ରରେ ନିର୍ଦ୍ଧାରିତ ହେବ । ଲଗାତର ଷଷ୍ଠ ଥର ପାଇଁ ବିଜେପି ସେଠାରେ ଶାସନ କଳ ସମ୍ଭାଳିବ ବୋଲି ଦୃଢ଼ ନିଶ୍ଚିତ ହୋଇଥିବା ବେଳେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ଦଳ ଏଥର ଶାସନକୁ ଫେରିବ ବୋଲି ଆଶା ବାନ୍ଧି ବସିଛି ।

ତେବେ ରାଜନୀତି ବିଶାରଦମାନେ ଗୁଜରାଟ ଲଢ଼େଇକୁ ବିଜେପି କି କଂଗ୍ରେସ ମଧ୍ୟରେ ହେଉଥିବା ବିବେଚନା ନକରି ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ବୋଲି ରଙ୍ଗ ଦେଇ ଚାଲିଛନ୍ତି । ଉଭୟ ହିଁ ନିଜ ନିଜ ଦଳର ନିର୍ବାଚନ ପ୍ରଚାର ମଙ୍ଗ ସମ୍ଭାଳିଥିଲେ । ସେହିପରି ‘ଗୁଜରାଟ ବିକାଶ’ ମଡେଲ ଆଧାରରେ ୨୦୧୪ ସାଧାରଣ ନିର୍ବାଚନ ଜିତିଥିବା ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ନିଜ ରାଜ୍ୟରେ ହିଁ ଶାସନ କ୍ଷମତା ବଜାୟ ରଖିବେ ବୋଲି ସମସ୍ତେ ଆଶା କରିବା ସ୍ୱାଭାବିକ । ଅପରପକ୍ଷେ, ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ପୂର୍ବକ ଗୁଜରାଟକୁ ହାତେଇବା ଉଦ୍ଦେଶ୍ୟରେ ରାହୁଲ୍ ଏହି ନିର୍ବାଚନରେ ଅକ୍ଳାନ୍ତ ପରିଶ୍ରମ କରିବା ସହ ଯାବତୀୟ କୌଶଳ ଆପଣେଇଛନ୍ତି ।