ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ । ଭୋଟ ଦେଲେ ମୋଦିଙ୍କ ମାଆ, ଅମିତ ଶାହା ଓ ଅରୁଣ ଜେଟଲି ।

29

ଆଜି ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟିଂ ଚାଲିଛି । ଏହି ପର୍ଯ୍ୟାୟରେ ଉତ୍ତର ଓ କେନ୍ଦ୍ର ଗୁଜରାଟର ୯୩ ଆସନରେ ଭୋଟିଂ ହେଉଛି । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ମୋଟ ୨.୨୨ କୋଟି ଭୋଟର ୮୫୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ । ପ୍ରଧାନମନ୍ତ୍ରୀ ସାବରମତୀରେ ନିଜ ମତାଧିକାର ସାବ୍ୟସ୍ତ କରିବେ । ୨୦୧୨ ମସିହାରେ ଏହି ଅଚଂଳରୁ ୪୮ଟିରେ ବିଜେପି ଓ ୧୬ଟିରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏହି ନିର୍ବାଚନ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ରାହୁଲଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ଲାଗି ମତଦାନ ହୋଇଥିଲା । ସେହିପରି ଆସନ୍ତା ୧୮ ତାରିଖ ଦିନ ବିଧାନସଭାର ୧୮୨ ଆସନ ଗଣତି ହେବ । ଗୁଜରାଟ ଶେଷ ପର୍ଯ୍ୟାୟ ମତଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରା ବେନ ଆଜି ମତଦାନ କରିଛନ୍ତି । ଗାନ୍ଧୀନଗରର ସେକ୍ଟର ୨୨ ସ୍ଥିତ ୧୭୧ ନଂବର ବୁଥରେ ସେ ଭୋଟ ଦେଇଛନ୍ତି । ଏକ କାରରେ ଆସି ହୀରାବେନ ନିଜ ମତ ସାବ୍ୟସ୍ତ କରିଛନ୍ତି ।

ଅହମ୍ମଦାବାଦର ନାରଣପୁରରେ ଭୋଟ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଭୋଟ ଦେଇ ବୁଥରୁ ବାହାରକୁ ଆସିବା ପରେ ବିଜେପି ନିଶ୍ଚିତ ବିଜୟୀ ହେବ ବୋଲି ଶାହା କହିଛନ୍ତି । ଏଥିସହ ବିପୁଳ ସଂଖ୍ୟାରେ ଭୋଟର ମତଦାନ କରିବାକୁ ସେ ଅପିଲ କରିଛନ୍ତି । ସେହିପରି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦୀବେନ ପଟେଲ ଭୋଟ ଦେଇଛନ୍ତି । ଆଜି ସକାଳେ ଅହମ୍ମଦାବାଦର ଘଟଲୋଦିୟାର ୮୫ ନଂବର ପୋଲିଂ ବୁଥକୁ ଆସି ସେ ନିଜର ମତଦାନ କରିଛନ୍ତି ।