ଆଜି ଗୁଜରାଟ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ! ୯୩ ଆସନ ପାଇଁ ମତଦାନ, ଆସନ୍ତା ୧୮ରେ ହେବ ଭୋଟ ଗଣତି

30

କନକ ବ୍ୟୁରୋ: ଆଜି ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ଉତ୍ତର ଓ କେନ୍ଦ୍ର ଗୁଜରାଟର ୯୩ ଆସନରେ ଭୋଟିଂ ଚାଲିଛି । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ମୋଟ ୨.୨୨ କୋଟି ଭୋଟର ୮୫୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ପ୍ରଧାନମନ୍ତ୍ରୀ ସାବରମତୀରେ ନିଜ ମତାଧିକାର ସାବ୍ୟସ୍ତ କରିବେ । ୨୦୧୨ ମସିହାରେ ଏହି ଅଚଂଳରୁ ୪୮ଟିରେ ବିଜେପି ଓ ୧୬ଟିରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏହି ନିର୍ବାଚନ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ରାହୁଲଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ଲାଗି ମତଦାନ ହୋଇଥିଲା । ସେହିପରି ଆସନ୍ତା ୧୮ ତାରିଖ ଦିନ ବିଧାନସଭାର ୧୮୨ ଆସନ ଗଣତି ହେବ ।

ଏବେ ନଜର ପକାନ୍ତୁ ଗତ ଥର ଏହି ସବୁ ଆସନରେ କଣ ଥିଲା ସମୀକରଣ ଓ କିଏ କେତେ ଆସନ ଜିତିଥିଲା ।

• ଉତ୍ତର ଗୁଜରାଟରେ ରହିଛି ୫୩ଟି ଆସନ ।

• ଗ୍ରାମୀଣ ଅଂଚଳରେ ୧୯ଟି ଆସନ ଅଛି । ଏହି ୧୯ଟି ଆସନ ମଧ୍ୟରୁ କଂଗ୍ରେସ ୧୨ଟି ଆସନ ଜିତିଥିବାବେଳେ ବିଜେପି ୭ଟି ଆସନ ଜିତିଥିଲା ।

• ସହରାଂଚଳରେ ରହିଛି ୩୪ଟି ଆସନ । ଏଥିମଧ୍ୟରୁ ୨୦୧୨ରେ ବିଜେପି ୨୫ ଓ କଂଗ୍ରେସ ୯ ଟିଆସନ ଜିତିଥିଲେ ।

• ଅହମ୍ମଦାବାଦରେ ୨୧ଟି ବିଧାନସଭା ଆସନରୁ ବିଜେପି ଜିତିଥିଲା ୧୭ଟି ଆସନ । କିନ୍ତୁ ଏଥର ସବୁ ଆସନରେ କଡା ଟକ୍କର ହେଉଛି ।

ଏବେ ନଜର ପକାନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରାର୍ଥୀଙ୍କ ଉପରେ । ଯାହା ଗୁଜୁରାଟ ନିର୍ବାଚନର ସମୀକରଣକୁ ବଦଳେଇ ଦେବାର ଦାବି କରାଯାଉଛି । ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସାରା ଦେଶର ନଜର କେଉଁ କେଉଁ ଆସନ ଓ ପ୍ରାର୍ଥୀଙ୍କ ଉପରେ ଲାଖି ରହିଛି । ଆସନ୍ତୁ ନଜର ପକାଇବା

ଜିଗ୍ନେଶ ମେୱାନୀ

• ଗୁଜରାଟର ଦଳିତ ନେତା ଜିଗ୍ନେଶ ମେୱାନୀଙ୍କ ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସେ ଉତର ଗୁଜରାଟର ବଡଗାମ ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି ।

• ବଡଗାମ ନିର୍ବାଚନ ମଣ୍ଡଳି କଂଗ୍ରେସର ଗଡ ହୋଇଥିବା ବେଳେ ଜିଗ୍ନେଶ ବିରୋଧରେ କଂଗ୍ରେସ ଏଥର ଏଠାରେ କୌଣସି ପ୍ରାର୍ଥୀ ଦେଇନାହିଁ ।

• ୨୦୧୬ରେ ଉନ୍ନା ଗାଁରେ ୪ଜଣ ଦଳିତଙ୍କୁ ଗୋରକ୍ଷକ ମାଡି ମାରିବା ଘଟଣା ଉଠାଇ ଜିଗ୍ନେଶ ଚର୍ଚ୍ଚାକୁ ଆସିଥିଲେ ।

• ବଡଗାମରେ ମୋଟି ୨ ଲକ୍ଷ ୬୦ ହଜାର ଭୋଟର ଅଛନ୍ତି । ମୁସିଲମ ଭୋଟରଙ୍କ ସଂଖ୍ୟା ୨୫ ପ୍ରତିଶତ ଓ ଦଳିତ ଅଛନ୍ତି ୧୬ ପ୍ରତିଶତ ।

ଅଳ୍ପେଶ ଠାକୁର

• ସେହିପରି କଂଗ୍ରେସ ପ୍ରାର୍ଥୀ ଭାବେ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଓବିସି ନେତା ଅଳ୍ପେଶ ଠାକୁର । ସେ ରାଧନପୁର ବିଧାନସଭାରୁ ଏଥର ନିର୍ବାଚନ ଲଢୁଛନ୍ତି ।

• ରାଧନପୁର ନିର୍ବାଚନ ମଣ୍ଡଳିରେ ୭୨ ହଜାର ଠାକୁର, ୩୦ ହଜାର ଚୌଧୁରୀ, ୨୧ ହଜାର ମୁସଲିମ, ୨୩ହଜାର ଦଳିତ ଓ ୩୫ ହଜାର ରୈବାରୀ ଭୋଟର ଅଛନ୍ତି ।

• କଂଗ୍ରେସର ଅଳ୍ପେଶ ଠାକୁର ବିରୋଧରେ ବିଜେପି ରାଧାନପୁର ଆସନରେ ଲଭିଙ୍ଗ ଠାକୁରଙ୍କ ଟିକଟ ଦେଇଛି । ଲଭିଙ୍ଗ ଠାକୁର ଏହି ନିର୍ବାଚନ ଆଗରୁ କଂଗ୍ରେସ ଛାଡି ବିଜେପିକୁ ଆସିଛନ୍ତି ।

ନୀତିନ ପଟେଲ

• ଗୁଜରାଟର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ନୀତିନ ପଟେଲଙ୍କର ମଧ୍ୟ ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସେ ଦକ୍ଷିଣ ଗୁଜରାଟର ମହେସଣା ନିର୍ବାଚନ ମଣ୍ଡଳିରୁ ଛିଡା ହୋଇଛନ୍ତି ।

• ମହେସଣା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘର ଥିବାରୁ ଏହି ଆସନ ବିଜେପି ପାଇଁ ସମ୍ମାନର ପ୍ରଶ୍ନ । ୨୦୧୨ ନିର୍ବାଚନରେ ମହେସଣା ଜିଲ୍ଲାରୁ ବିଜେପି ଜିଣିଥିବା ୫ଟି ବିଧାନସଭା ଆସନ ।

• ମହେସଣା ପଟ୍ଟିଦାର ବହୁଳ ଅଂଚଳ ଓ ସଂରକ୍ଷଣ ଆନ୍ଦେଳନ ପରେ ମଧ୍ୟ ସକରାତ୍ମକ ପ୍ରତିଶ୍ରୁତି ନ ମିଳିବାରୁ ବିଜେପି ବିରୋଧରେ ପଟ୍ଟିଦାରଙ୍କ ଅସନ୍ତୋଷ ବଢିଛି । ଏହାର ପ୍ରତିଫଳନ ଆଜିର ଭୋଟ ଉପରେ ପଡିପାରେ ।

ସେହିପରି ମହେସଣାରେ ବିଜେପି ବିରୋଧରେ ପଟ୍ଟିଦାର ନେତା ହାଦ୍ଧ ର୍ିକ ପଟେଲ ପ୍ରଚାର କରିଛନ୍ତି । ତେଣୁ ଆଜିର ମତଦାନରେ ଗୁରଜାର ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କୁ କଡା ଟକ୍କର ମିଳିବା ସମ୍ଭାବନା ରହିଛି ।