ବିଶ୍ୱ ରେକର୍ଡ ହାସଲ କଲେ କେଶକନ୍ୟା ନିଲାସିଂ : ନିଜ ଘନ କେଶ ପାଇଁ ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଗୁଜୁରାଟର ନିଲାସିଂ ପଟେଲ୍

347

ଗିନିଜ ବିଶ୍ୱ ରେକର୍ଡରେ ସ୍ଥାନ ପାଇବା ସହଜ କଥା ନୁହେଁ । ତେବେ ନିଜ ଲମ୍ବା କେଶ ପାଇଁ ଗିନିଜ ବିଶ୍ୱ ରେକର୍ଡ ହାସଲ କରିବା ଏକ ସମ୍ନାନଜନକ କଥା । ଯାହାକୁ ହାସଲ କରିଛନ୍ତି ୧୭ ବର୍ଷର ଝିଅ ନିଲାସିଂ ପଟେଲ୍ । ଘର ତାଙ୍କର ଗୁଜୁରାଟ ଏବଂ ତାଙ୍କ କେଶର ଲମ୍ବା ପ୍ରାୟ ୧୯୦ ସେମି ବା ୬ ଫୁଟ୍ ୨.୮ଇଞ୍ଚ । ଯାହା ଜଣେ ସାଧାରଣ ମଣିଷର ଉଚ୍ଚତା ଠାରୁ ବି ଅଧିକ । ଗିନିଜ ବୁକରେ ରେକର୍ଡ କରି ନିଲାସିଂ ନିଜ ମା’ଙ୍କ ସ୍ୱପ୍ନକୁ ପୂରଣ କରିପାରିଛନ୍ତି । ଭବିଷ୍ୟତରେ ସେ ଜଣେ ଲମ୍ବା କେଶଧାରୀ ବୟସ୍କା ମହିଳା ଭାବେ ବିଶ୍ୱ ରେକର୍ଡ କରିବାର ଆଶା ରଖିଛନ୍ତି ।

ନିଲାଂଶିଙ୍କ ଏହା ପ୍ରଥମ ବିଶ୍ୱ ରେକର୍ଡ ନୁହେଁ ବରଂ ୨୧ ନଭେମ୍ବର ୨୦୧୮ରେ ସେ ୧୭୦.୫ ସେମି ଲମ୍ବର କେଶ ସହ ବିଶ୍ୱ ରେକର୍ଡ କରିଥିଲେ । ଗତ ଶୁକ୍ରବାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଗିନିଜ୍ ୱାର୍ଲଡ ରେକର୍ଡସର ଦୁଇଟି ଫଟୋ ମଧ୍ୟ ଶେୟାର କରିଛନ୍ତି । ଯେଉଁଥିରେ କ୍ୟାପସନରେ ଲେଖାହୋଇଛି , ଯୁବା ଭାରତୀୟ ଭାବେ ନିଲାସିଂ ପଟେଲ ତାଙ୍କର ଲମ୍ବା କେଶ ୧୯୦ ସେମି ପାଇଁ ବିଶ୍ୱ ରେକର୍ଡ ହାସଲ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ନିଲାସିଂ ନିଜ କେଶ ପ୍ରତି ବହୁତ ଯତ୍ନଶୀଳ ।

ଆଜିକା ଦିନରେ ଯେଉଁଠି କେଶ ଉପୁଡୁଥିବା ସମସ୍ୟା ଦେଖାଦେଉଛି । ସେଠି ନିଲାସିଂଙ୍କ ଏତେ ଲମ୍ବା କେଶ ସମସ୍ତଙ୍କୁ ଚକିତ କରିପକାଇଛି । ସେ ତାଙ୍କ ମା’ଙ୍କ ପ୍ରସ୍ତୁତି ସ୍ୱତନ୍ତ୍ର ତେଲକୁ କେଶରେ ଲଗାଇଥାନ୍ତି । କେଶ ଶୁଖାଇବାକୁ ତାଙ୍କୁ ପ୍ରାୟ ଅଧ ଘଣ୍ଟା ସମୟ ଲାଗିଯାଏ । ଏଥି ସହିତ କେଶକୁ ସାଇଜ କରିବାକୁ ଘଣ୍ଟାଏ ସମୟ ଲାଗେ । ବର୍ତ୍ତମାନ ନିଲାସିଂ ଯୁକ୍ତ ଦୁଇର ଛାତ୍ରୀ । ସେ ସଫ୍ଟୱେୟାର ଇଞ୍ଜିନିୟର ହେବାକୁ ଇଚ୍ଛା ରଖିଛନ୍ତି । ଏବେ ସେ ଜେଇଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଲମ୍ଭା କେଶ କେବେ ତାଙ୍କ ପାଠପଢା ପ୍ରତି ବାଧକ ସାଜିନାହିଁ ବୋଲି ନିଲାସିଂ କୁହନ୍ତି ।