ବାତ୍ୟା ‘ବାୟୁ’ର ମୁକାବିଲା ପାଇଁ ଓଡ଼ିଶାର ପରାମର୍ଶ ନେଲା ଗୁଜରାଟ: ଫୋନିକୁ କିଭଳି ମୁକାବିଲା ଓ ପରିଚାଳନା କରିଥିଲା ଓଡିଶା, ଅଭିଜ୍ଞତା ପଚାରି ବୁଝିଲେ ଗୁଜରାଟ ଅଧିକାରୀ

କାଲି ଗୁଜରାଟ ଉପକୂଳ ଛୁଇଁବ ବାତ୍ୟା ବାୟୁ

1,270

କନକ ବ୍ୟୁରୋ: ବାତ୍ୟା ‘ବାୟୁ’ର ମୁକାବିଲା ନେଇ ଓଡ଼ିଶାର ପରାମର୍ଶ ନେଲା ଗୁଜରାଟ ସରକାର । ଫୋନିକୁ ଓଡିଶା ସରକାର କିଭଳି ମୁକାବିଲା ଓ ପରିଚାଳନା କରିଥିଲେ ସେହି ଅଭିଜ୍ଞତାକୁ ପଚାରି ବୁଝିଛନ୍ତି ଗୁଜୁରାଟ ଅଧିକାରୀ । ଏହି ଅଭିଜ୍ଞତାକୁ ଗୁଜରାଟ ପ୍ରଶାସନ ବାତ୍ୟା ବାୟୁର ମୁକାବିଲା ପାଇଁ କାର୍ଯ୍ୟରେ ଲଗାଇବ । ମଙ୍ଗଳବାର ଗୁଜରାଟ ମୁଖ୍ୟସଚିବ ଏନେଇ ସୂଚନା ଦେଇଛନ୍ତି । କହିଛନ୍ତି ଗୁଜୁରାଟ ପ୍ରଶାସନ ଓଡିଶା ପ୍ରଶାସନ ସହ ଯୋଗଯୋଗରେ ଅଛନ୍ତି । ଏନେଇ ଓଡିଶା ମୁଖ୍ୟ ଶାସନ ସଚିବଙ୍କ ସହ ଯୋଗଯୋଗରେ ଅଛନ୍ତି । ଗତ ମାସରେ ବାତ୍ୟା ଫୋନି ମାଡରେ ଓଡିଶାର ପୁରୀ, ଖୋର୍ଦ୍ଧା ଜିଲ୍ଲା ସମେତ ଆଖପାଖ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ତେବେ ବାତ୍ୟା ମୁକାବିଲାର ସଫଳ ପରିଚାଳନ ଯୋଗୁଁ ଧନଜୀବନ ହାନି ଅପେକ୍ଷାକୃତ ହ୍ରାସ ପାଇଥିଲା ବୋଲି କୁହାଯାଉଥିଲା ।

ସେପଟେ, ଗୁଜୁରାଟ ଆଡକୁ ମାଡି ଆସୁଛି ଆରବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ବାୟୁ । ଘଂଟା ପ୍ରତି ୧୮ କିଲୋମିଟର ବେଗରେ ‘ବାୟୁ’ ଗତି କରୁଛି । ବର୍ତମାନ ଏହା ପୂର୍ବକେନ୍ଦ୍ରୀୟ ଆରବ ସାଗରରରେ ମୁମ୍ବାଇ ଉପକୂଳଠାରୁ ୩୨୦ କିଲୋମିଟର ଓ ଗୁଜୁରାଟ ଉପକୂଳଠାରୁ ୪୨୦ କିମି ଦୂରରେ ରହିଛି । ବାୟୁକୁ ନଜରରେ ରଖି ସେନାକୁ ଆଲର୍ଟରେ ରଖାଯାଇଛି । ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସବୁ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । କାଲି ସକାଳ ସୁଦ୍ଧା ଗୁଜୁରାଟର ପୋରବନ୍ଦରରୁ ମହୁୱା ମଝିରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଏହି ସମୟରେ ପବନର ବେଗ ୧୬୫ କିଲୋମିଟର ହୋଇପାରେ । ବାତ୍ୟା ବାୟୁ ପ୍ରଭାବରେ ଆଜି ମୁମ୍ବାଇ ଓ କୋଙ୍କଣ ଉପକୂଳରେ ବର୍ଷା ଲାଗି ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛ । ଏହା ସହିତ ଉଚ୍ଚ ଜୁଆର ଆସି ତଳିଆ ଅଂଚଳ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ କରାଯାଇଛି । ବିଶେଷକରି ପୋରବନ୍ଦର, ଜୁନାଗଡ , ଆମରେଲି ଓ ଗିର-ସୋମନାଥ ଭଳି ଜିଲ୍ଳାର ତଳିଆ ଅଂଚଳ, କଚ୍ଚା ଘର, ଓ ଟିଣ ଛପର ଘରରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।