ଗୁଜୁରାଟରେ ତୈଳ ଦର ଉପରେ କମିଲା ଭାଟ୍ ! ୪ପ୍ରତିଶତ ଭାଟ୍ ଛାଡ ନେଇ ରୁପାନୀ ସରକାରଙ୍କ ଘୋଷଣା

28

କନକ ବ୍ୟୁରୋ : ଗୁଜରାଟରେ ତୈଳ ଦର ଉପରେ କମିଲା ଭାଟ୍ । କେନ୍ଦ୍ର ସରକାରଙ୍କ ପରାମର୍ଶ ପରେ ତୈଳ ଦରରେ ୪ପ୍ରତିଶତ ଭାଟ କମ କରିବାକୁ ନିଷ୍ପତି ନେଇଛନ୍ତି ଗୁଜରାଟ ସରକାର । ଏନେଇ ଆଜି ଗୁଜରାଟ ସରକାର ଘୋଷଣା କରିଛନ୍ତି । ଏହାଦ୍ୱାରା ତୈଳ ଦର ଉପରୁ ଭାଟ ହ୍ରାସ କରିବାରେ ଗୁଜରାଟ ପ୍ରଥମ ରାଜ୍ୟ ହୋଇଛି । ତୈଳ ଦରରେ ୪ପ୍ରତିଶତ ଭାଟ କମିବା ପରେ ପେଟ୍ରୋଲ ଲିଟର ପିଛା ୨ଟଙ୍କା ୯୩ପଇସା କମିବା ସହ ୬୭ଟଙ୍କା ୩ ପଇସା ହେବ ।

ଏହାସହ ଡିଜେଲ ଦର ୨ଟଙ୍କା ୭୨ ପଇସା ଶସ୍ତା ହୋଇ ନୂଆ ଦର ୬୦ଟଙ୍କା ୭୭ ପଇସା ହେବ । ଆଜି ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହେବ । ନିକଟରେ ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡିବାରୁ ଉତ୍ପାଦନ କର ୨ଟଙ୍କା ହ୍ରାସ ଘୋଷଣା କରିଥିଲେ ସରକାର । ପେଟ୍ରୋଲ ଓ ଡିଜେଲ ଉପରେ ଆମଦାନୀ ଶୁଳ୍କ ୨ଟଙ୍କା କମ କରିବା ପରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ୫ ପ୍ରତିଶତ ଭାଟ୍ କମାଇବାକୁ ପରାମର୍ଶ ଦେଇଥିଲେ । ତେବେ ପେଟୋଲ ଓ ଡିଜେଲ ଉପରେ ଭାଟ କମାଇବାକୁ ମନା କରିଦେଇଛି ଓଡ଼ିଶା । ଏ ସଂପର୍କିତ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ପୂର୍ବରୁ ଅସ୍ୱୀକାର କରିଛନ୍ତି ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା । ତେବେ ଗୁଜରାଟରେ ତୈଳ ଦରରେ ଭାଟ୍ କମିବା ପରେ ଓଡ଼ିଶାରେ ଏନେଇ ପୁର୍ନବିଚାର ହେବି କି ।