ନେତା କିଣୁଛି ବିଜେପି ! ଦଳରେ ମିଶିବା ପାଇଁ ପଟିଦାର ନେତାଙ୍କୁ କୋଟିଏ ଟଙ୍କାର ଅଫର, ଆଗୁଆ ମିଳିଥିଲା ୧୦ ଲକ୍ଷ ଟଙ୍କା

17

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି ଟଙ୍କାର ଖେଳ । ଦଳରେ ସାମିଲ ହେବାକୁ ବିଜେପି ଯାଚୁଛି ଲାଞ୍ଚ । ଏଥିପାଇଁ କୋଟି କୋଟି ଟଙ୍କାର ଡିଲ ହୋଇଛି । ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ଗୁଜୁରାଟରୁ ଆସିଛି ଏଭଳି ସଂଗୀନ ଅଭିଯୋଗ । ଗୁଜରାଟ ପଟିଦାର ସଂପ୍ରଦାୟ ନେତା ନରେନ୍ଦ୍ର ପଟେଲଙ୍କୁ ବିଜେପି ଦଳରେ ଯୋଗ ଦେବା ପାଇଁ ୧ କୋଟି ଟଙ୍କା ଯଚାଯାଇଥିବା କହିଛନ୍ତି ଖୋଦ୍ ନରେନ୍ଦ୍ର । ଏପରିକି ଦଳରେ ଯୋଗ ଦେବା ପୂର୍ବରୁ ଆଡାଭାନ୍ସ ୧୦ ଲକ୍ଷ ଟଙ୍କା ମିଳିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନରେନ୍ଦ୍ର । ଏପରିକି ମିଳିଥିବା ୧୦ ଲକ୍ଷ ଟଙ୍କାର ବିଡା ବିଡା ଟଙ୍କା ଗଣମାଧ୍ୟମ ଆଗରେ ଦେଖାଇଛନ୍ତି ସେ । ତେବେ ବିଜେପି ଦଳରେ ଯୋଗ ଦେବାର ମାତ୍ର କେଇ ଘଣ୍ଟା ପରେ ସେ ଦଳ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ।

କିଏ ଏହି ନରେନ୍ଦ୍ର ପଟେଲ :
narendra-patel_650x400_61508744872ନରେନ୍ଦ୍ର ପଟେଲ୍ ହେଉଛନ୍ତି ପଟିଦାର ଆନ୍ଦୋଳନର ମୁଖ୍ୟ ହାର୍ଦିକ ପଟେଲଙ୍କ ସହଯୋଗୀ । ମେହଶାଣା ପଟିଦାର ଆନ୍ଦୋଳନର ସେ ସଂଯୋଜକ ଅଛନ୍ତି । ଏଥିସହ ଗୁଜରାଟର ବଡ ଓବିସି ନେତା ଭାବେ ନରେନ୍ଦ୍ରଙ୍କ ଖ୍ୟାତି ରହିଛି । ପଟେଲଙ୍କ ହାତରେ ରହିଛି ପଟିଦାରଙ୍କ ବଡ ଭୋଟ୍ ବ୍ୟାଙ୍କ । ତେବେ ଦଳରେ ଯୋଗ ଦେବାର କିଛି ସମୟ ମଧ୍ୟରେ ବିଜେପି ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିବା ପଛରେ କଣ ରହିଛି ରହସ୍ୟ ? ଜାଣିଶୁଣି ବିଜେପିରେ ସାମିଲ ହୋଇଥିଲେ କି ନରେନ୍ଦ୍ର । ବିଜେପି ବିରୋଧରେ ଏହା କୌଣସି ରାଜନୈତିକ ଚାଲ ନୁହେଁ ତ? ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଠୁଛି ।

କେବଳ ନରେନ୍ଦ୍ର ନୁହେଁ ଆଜି ଆଉ ଜଣେ ପଟିଦାର ନେତା ମଧ୍ୟ ବିଜେପି ଦଳର ହାତ ଛାଡିଛନ୍ତି । ମାତ୍ର ୧୫ ଦିନ ପୂର୍ବେ ଦଳରେ ଯୋଗ ଦେଇଥିବା ପଟିଦାର ନେତା ନିଖିଲ ସୱାନୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ବିଜେପି ପଟିଦାରଙ୍କୁ ଲଲିପପ୍ ଦେଖାଉଛି ବୋଲି ସେ କହିଛନ୍ତି । ହାର୍ଦିକ ପଟେଲଙ୍କ ସହ ତାଙ୍କ ମତଭେଦ ଥାଇପାରେ କିନ୍ତୁ ମନଭେଦ ନାହିଁ । ସେ ସବୁବେଳେ ପଟିଦାରଙ୍କ ପାଇଁ କାମ କରିଆସିଛନ୍ତି । ପଟିଦାରଙ୍କ ପାଇଁ ସେ ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ଏବେ ପଟିଦାରଙ୍କ ପାଇଁ ବିଜେପି ଭୋଟବ୍ୟାଙ୍କ ରାଜନୀତି କରୁଛି । ତେଣୁ ମୁଁ ବିଜେପିରୁ ଇସ୍ତଫା ଦେଉଛି । ନିଖିଲ କହିଛନ୍ତି– ପଟିଦାରଙ୍କୁ କିଣିବା ପାଇଁ ଉଦ୍ୟମ କରୁଛି ବିଜେପି । ମୁଁ ଯେଉଁ ପ୍ରସଙ୍ଗରେ ବିଜେପିରେ ସାମିଲ ହୋଇଥିଲି ତାକୁ ଗୁରୁତ୍ୱ ଦିଆଯାଉନାହିଁ । ପଟିଦାରଙ୍କ ସମସ୍ୟା ସମ୍ପର୍କରେ ରାହୁଲ ଗାନ୍ଧିଙ୍କୁ ଅବଗତ କରାଯିବ । ଏଥିପାଇଁ କଂଗ୍ରେସ ଉପସଭାପତିଙ୍କୁ ସମୟ ମଗାଯାଇଛି ବୋଲି କହିଛନ୍ତି ନିଖିଲ ।

hardikଏହାରି ଭିତରେ ଆଜି ଗୁଜୁରାଟରେ ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି । କହିଛନ୍ତି, ଟଙ୍କା ଦେଇ ଗୁଜୁରାଟ ବାସୀଙ୍କୁ କିଣିପାରିବେନି ବିଜେପି ସରକାର । ଗୁଜରାଟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମ୍ତା ସେତିକି ବଢୁଛି । ଗତକାଲି ପଟିଦାର ସଂପ୍ରଦାୟର ଦୁଇ ଜଣ ନେତା ତଥା ହାର୍ଦ୍ଦିକ ପଟେଲଙ୍କ ଖାସ ସହଯୋଗୀ ବିଜେପିରେ ଯୋଗ ଦେଇଥିଲେ । ଏପରିକି ଦଳରେ ଯୋଗ ଦେଉ ଦେଉ ହାର୍ଦ୍ଦିକଙ୍କୁ ଟାର୍ଗେଟ କରିଥିଲେ ଉଭୟ ନେତା । ହାର୍ଦ୍ଦିକଙ୍କୁ କଂଗ୍ରେସ ଏଜେଣ୍ଟ ବୋଲି କହିବାକୁ ମଧ୍ୟ ପଛାଇନଥିଲେ । ଏବେ ଗୁଜରାଟ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ପଟିଦାର ସଂପ୍ରଦାୟ ଏବେ ବିଜେପିକୁ ଅଡୁଆରେ ପକାଇଛି ।ଗୁଜୁରାଟରେ ପଟିଦାର ଏକ ବଡ ସମ୍ପ୍ରଦାୟ । ଯାହା ହାତରେ ରହିଛି ଏକ ବଡ ଭୋଟ୍ ବ୍ୟାଙ୍କ୍ । ଆଉ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଭୋଟ୍ ବ୍ୟାଙ୍କ ଉପରେ ରହିଛି ସବୁ ଦଳର ନଜର । ତେବେ ଏସବୁ ଭିତରେ ଗୁଜରାଟରେ କିଏ ବାଜିମାତ୍ କରୁଛି ତାହା ଦେଖିବାକୁ ବାକି ରହିଲା ।