ଅହମଦାବାଦ ମେଡ଼ିକାଲରେ ୩ଦିନ ଭିତରେ ୧୮ ଜଣ ନବଜାତକ ଶିଶୁ ମୃତ ! ସରକାରଙ୍କୁ ଘେରିଲା କଂଗ୍ରେସ

35

କନକ ବ୍ୟୁରୋ : ପ୍ରାୟ ଦେଢ଼ ମାସ ପରେ ଅଛି ଗୁଜରାଟ ବିଧାନସଭା ନିର୍ବାଚନ । ଏନେଇ ବିଜେପି ସରକାର ପୁଣି ଥରେ ଶାସନକୁ ଆସିବା ପାଇଁ ଜୋର ଲଗେଇ ଦେଇଛନ୍ତି । ଅନ୍ୟପଟେ ଜିଏଟି ଲାଗୁ ପରେ ବ୍ୟବସାୟୀ ଗୋଷ୍ଠୀ ମୋଦିଙ୍କୁ ବିରୋଧ କରୁଥିବା ଜଣାପଡୁଛି । ଏପରିସ୍ଥଳେ ଅହମଦାବାନ ସ୍ଥିିତ ସିଭିଲ ହସ୍ପିଟାଲରେ ଶୁକ୍ରବାର ରାତିରୁ ଶନିବାର ରାତି ମଧ୍ୟରେ ୯ ଜଣ ନବଜାତକଙ୍କ ମୃତ୍ୟୁ ହୋଇଛି । ଯାହାଦ୍ୱାରା ସାରା ରାଜ୍ୟରେ ହଡ଼କମ୍ପ ସୃଷ୍ଟି ହୋଇଛି । ନବଜାତକଙ୍କ ମୃତ୍ୟୁ ପରେ ତିନି ସଂସଂଦୀୟ ସମିତି ଗଠନ ହୋଇଛି । ମୃତ୍ୟୁର ଅସଲ କାରଣ ଜଣାପଡ଼ିବା ପାଇଁ ଯାଂଚ ମଧ୍ୟ ଆରମ୍ଭ ହୋଇଯାଇଛି ।

ଏହି ମୃତ୍ୟୁ ପରେ କଂଗ୍ରେସକୁ ଏକ ସୁଯୋଗ ମିଳିଯାଇଛି ସରକାରଙ୍କୁ ଘେରିବା ପାଇଁ । ଘଟଣାର ବିରୋଧ କରି କଂଗ୍ରେସ କର୍ମକର୍ତ୍ତାମାନେ ହସ୍ପିଟାଲ ବାହାରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ସୂଚନାଯୋଗ୍ୟ ବିଗତ ତିନି ଦିନରେ ୧୮ ନବଜାତକ ଶିଶୁଙ୍କ ମୃତ୍ୟୁ ହୋଇଛି । ୨୮ ଅକ୍ଟୋବରରେ ହିଁ ୯ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । କମ ଓଜନ ଯୋଗୁଁ ଶିଶୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହୁଛନ୍ତି । ଯାଂଚ ପରେ ପ୍ରକୃତ କଥା ଜଣାପଡ଼ିବ । ତେବେ ଏହି ଘଟଣାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି । କଂଗ୍ରେସ ନେତା ଶକ୍ତି ସିଂ ଗୋହିଲ ଟ୍ୱଟ୍ କରି କହିଛନ୍ତି ଗୁଜରାଟ ସରକାର ଏନେଇ ଉତ୍ତର ଦିଅନ୍ତୁ ।