ଗୁଜୁରାଟଠୁ ୫ କୋଟି ଟଙ୍କା ବନ୍ୟା ସହାୟତା ନେବା ପରେ ବିହାରରେ ବିବାଦ ! ନୀତିଶ କୁମାରଂକୁ ଘେରିଲା ଆରଜେଡି

39

କନକ ବ୍ୟୁରୋ : ୭ ବର୍ଷ ପରେ ବଦଳି ଗଲା ଚରିତ୍ର । ବନ୍ୟା ପୀଡିତଙ୍କ ପାଇଁ ଗୁଜୁରାଟ ସରକାର ଦେଇଥିବା ଅର୍ଥ ୨୦୧୦ରେ ନୀତିଶ କୁମାର ସରକାର ଗ୍ରହଣ କରି ନଥିଲେ । କିନ୍ତୁ ଏଥର ସହାୟତା ଖୁସି ଖୁସିରେ ଗ୍ରହଣ କରିଛନ୍ତି । ସେତେବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କା ସହାୟତା ଦେଇଥିଲେ । କିନ୍ତୁ ବିହାରର ବିଭିନ୍ନ ଖବରକାଗଜରେ ପ୍ରକାଶିତ ଏକ ବିଜ୍ଞାପନ ଯୋଗୁଁ ସେତେବେଳେ ବିହାର ସରକାର ଏହି ସହାୟତାକୁ ଗ୍ରହଣ କରିନଥିଲେ ।

୭ ବର୍ଷ ପରେ ପୁଣି ବିହାରରେ ଆସିଥିବା ଭୟଙ୍କର ବନ୍ୟାରେ କ୍ଷତିଗ୍ରସ୍ତଙ୍କ ପାଇ ବିଭିନ୍ନ ରାଜ୍ୟ ସହାୟତାର ହାତ ବଢାଇଛନ୍ତି । ଗୁଜୁରାଟ ସରକାର ମଧ୍ୟ ୫ କୋଟି ଟଙ୍କା ସହାୟତା ପଠାଇଛନ୍ତି । ଏହାକୁ ନୀତିଶ ସରକାର ମଧ୍ୟ ଗ୍ରହଣ କରିଛନ୍ତି । ଗୁଜୁରାଟ ସରକାରଙ୍କ ସହାୟତା ଗ୍ରହଣ କରିବାକୁ ନେଇ ବିହାର ରାଜନୀତି ତେଜିଛି । ଆରଜେଡି ଏଥି ପାଇଁ ନୀତିଶ କୁମାରଙ୍କୁ କଡା ସମାଲୋଚନା କରିଛି । ଛେପ ପକାଇ ଢୋକିବା ପରି ବୋଲି ଦଳ କହିଛି ।