ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଉଛି କଂଗ୍ରେସ! ଫଳାଫଳ ଉପରେ ପୂରା ଦେଶର ନଜର

30

କନକ ବ୍ୟୁରୋ : କିଛି ସମୟ ମଧ୍ୟରେ ସାମ୍ନାକୁ ଆସିବ ଗୁଜରାଟ ନିର୍ବାଚନର ଫଳାଫଳ! ପ୍ରାଥମିକ ଟ୍ରେଣ୍ଡରେ ବିଜେପି ୧୦୮ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୭୩ଟି ଆସନରେ ଆଗୁଆ ରହିଛି । ମୋଦିଙ୍କ ଗଡରେ ପ୍ରଥମଥର ପାଇଁ କଂଗ୍ରେସ ସୃଷ୍ଟି କରିଛି ଚ୍ୟାଲେଞ୍ଜ । ଭୋଟ ଗଣତିକୁ ଦେଖିଲେ କଂଗ୍ରେସ ଶାସକ ବିଜେପିକୁ କଡା ଟକ୍କର ଦେଉଛି । ଏହି ନିର୍ବାଚନ ଉଭୟ କଂଗ୍ରେସ ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ଉଭୟ ଦଳର ହେଭିୱେଟ ପ୍ରଚାର ମଙ୍ଗ ଧରିଥିବା ବେଳେ ଗୁଜରାଟ ବାସୀ କାହାକୁ ଗ୍ରହଣ କରୁଛି ତାହା କିଛି ସମୟ ମଧ୍ୟରେ ଜଣା ପଡିଯିବ । ଗୋଟିଏ ପଟେ ବିଜେପି ୧୫୦ରୁ ଅଧିକ ଆସନରେ ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛି । ସେହିଭଳି ୨୨ ବର୍ଷ ପରେ କଂଗ୍ରେସ ଶାସନ କ୍ଷମତାକୁ ଫେରିବ ବୋଲି ରାହୁଲ ଗାନ୍ଧି ଆଶାବାଦୀ ଅଛନ୍ତି ।

ତେବେ ଚଳିତ ନିର୍ବାଚନରେ ନୂଆ ମୁହଁ ଭାବେ ନିର୍ବାଚନ ଲଢିଛନ୍ତି ଦୁଇ ଯୁବ ତାରକା । ଅଳ୍ପେଶ ଠାକୁର ଓ ଜିଗ୍ନେଶ ମେୱାନି ଚଳିତଥର ନିର୍ବାଚନରେ ବିଜେପି ପାଇଁ ପ୍ରତିବନ୍ଧକ ସାଜିଛନ୍ତି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଏହି ଦୁଇ ନୂଆ ମୁହଁ ବିଜେପିକୁ ପଛରେ ପକାଇ ଭୋଟ ଗଣତିରେ ଆଗୁଆ ରହିଛନ୍ତି । ସେହଭଳି ପଟିଦାର ଆନ୍ଦୋଳନର ନେତୃତ୍ୱ ନେଉଥିବା ହାର୍ଦ୍ଦିକ ପଟେଲ ବିଜେପି ପାଇଁ ଅଡୁଆ ସୃୃଷ୍ଟି କରିଥିବା ବେଳେ ଏହାର ପ୍ରଭାବ କିନ୍ତୁ ଭୋଟ ଉପରେ ପଡିନାହିଁ । ପଟିଦାର ଅଞ୍ଚଳରୁ ଅଧିକ ମାତ୍ରାରେ ଭୋଟ ହାତେଇବାରେ ସକ୍ଷମ ହୋଇଛି ବିଜେପି । ଯାହା ବିଜେପିକୁ କିଛି ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିଛି । ସେହିଭଳି ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ପାଇଁ ଚଳିତ ନିର୍ବାଚନ ଚ୍ୟାଲେଞ୍ଜ ପାଲଟିଛି । ତେବେ ଦେଖିବାର କଥା ହେଲା କେଉଁ ଦଳ ବିଜୟ ହେବ ଏବଂ ଗୁଜରାଟ ଶାସନ ଡୋରୀକୁ ହାତକୁ ନେବ ।

ଗୁଜରାଟ ନିର୍ବାଚନର ଭୋଟ ଗଣତି ଆରମ୍ଭ ହେବା ମାତ୍ରେ ସେୟାର ମାର୍କେଟ ଦ୍ରୁତ ଅବନତି ଦେଖାଦେଇଛି । ବଡ ବଡ ବ୍ୟବସାୟୀ ଓ କର୍ପୋରେଟ ସଂସ୍ଥାର ନଜର ଏବେ ଗୁଜରାଟ ନିର୍ବାଚନ ଉପରେ ରହିଛି ।