ଗୁଜୁରାଟ ନିର୍ବାଚନ ପରେ ଆସିଲା ଏକଜିଟ ପୋଲ ସର୍ଭେ ରିପୋର୍ଟ : ରିପୋର୍ଟରେ ଦେଖିବାକୁ ମିଳିଛି ମୋଦିଙ୍କ ହାୱା

68

କନକ ବ୍ୟୁରୋ : ସରିଲା ଗୁଜରାଟ ନିର୍ବାଚନ ଆସିଲା ଏକ୍‌ଜିଟ୍‌ ପୋଲ୍ ରିପୋର୍ଟ । ଏକଜିଟ୍ ପୋଲ ରିପୋର୍ଟରେ ଦେଖିବାକୁ ମିଳିଛି ମୋଦିଙ୍କ ହାୱା । ଟାଇମ୍ସ ନାଓ ଓ ଭିଏମଆର ସର୍ଭେ କହୁଛି ଗୁଜରାଟରେ ସ୍ପଷ୍ଟ ଜନମତ ପାଇ ସରକାର ଗଢିବ, ବିଜେପି । ମୋଟ ୧୮୨ ବିଧାନସଭା ଆସନ ମଧ୍ୟରୁ ବିଜେପି ୧୦୯ ଆସନରେ ବାଜିମାତ୍ କରିବ ବୋଲି ଆକଳନ କରିଛି ଟାଇମ୍ସ ନାଓ । ସେହିପରି କଂଗ୍ରେସକୁ ୭୦ ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି । ଅନ୍ୟାନ୍ୟ ଖାତାରେ ଯିବ ୩ଟି ଆସନ ।

ସେପଟେ ରିପବ୍ଲିକ୍ ଟିଭି ଓ ସି-ଭୋଟର ମଧ୍ୟ ଗୁଜରାଟରେ ପୁଣି ଥରେ ବିଜେପି ଶାସନକୁ ଫେରିବ ବୋଲି ଆକଳନ କରିଛି । ରିପବ୍ଲିକ୍ ଟିଭି ଓ ସି-ଭୋଟର ଏଗଜିଟ୍ ପୋଲ୍ ସର୍ଭେ କହୁଛି ୧୮୨ଟି ଆସନ ଭିତରୁ ୧୦୮ଟି ଆସନ ହାତେଇବ ବିଜେପି । କଂଗ୍ରେସକୁ ମିଳିବ ୭୪ଟି ସିଟ୍ । ବର୍ତମାନ ଗୁଜୁରାଟ ବିଧାନସଭାରେ ବିଜେପିର ୧୨୦ ବିଧାୟକ ଥିବା ବେଳେ କଂଗ୍ରେସର ୪୩ ଜଣ ବିଧାୟକ ଅଛନ୍ତି । ଯଦି ରିପବ୍ଲିକ୍ ଟିଭି ଓ ସି ଭୋଟରର ଅନୁମାନ ଠିକ୍ ହୁଏ ତେବେ ବିଜେପି ୧୦ ରୁ ୧୨ଟି ଆସନ ହରାଉଥିବା ବେଳେ କଂଗ୍ରେସ ପ୍ରାୟ ୩୦ ଟି ଆସନ ଅଧିକ ହାସଲ କରିବାର ସମ୍ଭାବନା ରହିଛି ।

ସେହିପରି ଇଣ୍ଡିଆ ଟୁଡେ-ଏକ୍ସିସ ମାଇ ଇଣ୍ଡିଆ ସର୍ଭେ ମଧ୍ୟ ଗୁଜରାଟରେ ବିଜେପି ସପକ୍ଷରେ ମତ ଦେଇଛି । ଇଣ୍ଡିଆ ଟୁଡେ-ଏକ୍ସିସ ମାଇ ଇଣ୍ଡିଆ ସର୍ଭେ ବିଜେପିକୁ ୯୯ରୁ ୧୧୩ ଟି ଆସନ ମିଳିବ ବୋଲି ଆକଳନ କରିଛି । ସେପଟେ କଂଗ୍ରେସକୁ ୬୮ରୁ ୮୨ ଆସନ ମିଳିବ ବୋଲି ଆକଳନ କରାଯାଇଛି । ୭ଟି ଏକଜିଟ୍ ପୋଲ ମଧ୍ୟରୁ ୫ଟି ଏକ୍‌ଜିଟ୍‌ ପୋଲ୍ ବିଜେପି ସପକ୍ଷରେ ମତ ଦେଇଛି । ପ୍ରାୟ ୧୦୦ କିମ୍ବା ଏହାଠାରୁ କିଛି ଅଧିକ ଆସନ ବିଜେପି ପାଇବ ବୋଲି ଅନୁମାନ କରାଯାଇଛି ।

ସେହିପରି ସାହାରା ସମୟ ଓ ସିଏନଏକ୍ସର ସର୍ଭେ ବି ଗୁଜରାଟରେ ପୁଣି ଥରେ ପଦ୍ମ ଫୁଟିବ ବୋଲି ଆକଳନ କରିଛି । ବିଜେପିକୁ ୧୧୦ରୁ ୧୨୦ ଆସନ ମିଳିବ ବୋଲି ସାହାରା ସମୟର ଏକ୍‌ଜିଟ୍‌ ପୋଲ୍ ଆକଳନ କରିଛି । କଂଗ୍ରେସକୁ ଦେଇଛି ୬୫ରୁ ୭୫ ସିଟ୍ । ଅଧିକାଂଶ ଏକ୍‌ଜିଟ୍‌ ପୋଲରେ କଂଗ୍ରେସକୁ ୭୦ ପାଖାପାଖି ଆସନ ଦିଆଯାଇଛି । କଂଗ୍ରେସର ଅଧ୍ୟକ୍ଷ ହେବାକୁ ଯାଉଥିବା ରାହୁଲ ଗାନ୍ଧିଙ୍କ ଉପରେ ଗୁଜୁରାଟ ନିର୍ବାଚନ ଫଳାଫଳର ପ୍ରଭାବ ପଡିବ ।

ଏବିପି ଓ ସିଏସଡିଏସ୍ ଏକ୍‌ଜିଟ୍‌ ପୋଲ୍ ରିପୋର୍ଟ ଆକଳନ କରିଛି ଗୁଜରାଟ ନିର୍ବାଚନରେ ବିଜେପି ୧୧୭ଟି ଆସନ ପାଇ ସରକାର ଗଢିବ । କଂଗ୍ରେସକୁ ମାତ୍ର ୬୪ ଆସନରେ ସୀମିତ ରଖିଛି ଏହି ଆକଳନ । ଅନ୍ୟାନ୍ୟଙ୍କ ଖାତାକୁ ଯାଇଛି ମାତ୍ର ଗୋଟିଏ ଆସନ । ଏବିପି ଓ ସିଏସଡିଏସ୍ ଏକ୍‌ଜିଟ୍‌ ପୋଲ୍ ରିପୋର୍ଟ ଆକଳନ କରିଛି ପୂର୍ବପେକ୍ଷା ଅଧିକ ଆସନ ପାଇବ କଂଗ୍ରେସ । ମାତ୍ର ବିଜେପିକୁ ମିଳିବ ସ୍ପଷ୍ଟ ବହୁମତ ।