ଗରିବ ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାରେ ଦେଶର ପ୍ରଥମ ରାଜ୍ୟ ହେଲା ଗୁଜରାଟ ! ଆସନ୍ତାକାଲି ଠାରୁ ଲାଗୁ ହେବ ନିୟମ

178

କନକ ବ୍ୟୁରୋ : ଗରିବ ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେଉଥିବା ପ୍ରଥମ ରାଜ୍ୟ ହେବ ଗୁଜରାଟ । ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏନେଇ ଆଜି ଘୋଷଣା କରିଛନ୍ତି । ରାଜ୍ୟରେ ଆସନ୍ତା କାଲି ଅର୍ଥାତ ମକର ସଂକ୍ରାନ୍ତି ଦିନଠାରୁ ୧୦ ପ୍ରତିଶତ ସଂରକ୍ଷଣ ନିୟମ ଲାଗୁ ହୋଇଯିବ । ୧୦ ପ୍ରତିଶତ ସଂରକ୍ଷଣ ଦେଉଥିବା ନିୟମକୁ ମଞ୍ଜୁରି ପ୍ରଦାନ କରିସାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ଏହାପୂର୍ବରୁ ୯ ଜାନୁୟାରୀ ରେ ସଂସଦରେ ପାଶ୍ ହୋଇଥିଲା ଏହି ବିଲ୍ । ସବର୍ଣ୍ଣ ବର୍ଗର ଆର୍ଥିକ ଗରିବ ଲୋକ ଉଭୟ ଉଚ୍ଚ ଶିକ୍ଷା ଓ ସରକାରୀ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ପାଇପାରିବେ ।

କେଉଁମାନେ ଏହି ସଂରକ୍ଷଣ ପାଇବେ?
– ଯେଉଁମାନଙ୍କ ରୋଜଗାର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ୍ ହୋଇଥିବ
– ୫ ଏକର ଜମିରୁ କମ୍ ଚାଷ ଜମି ଥିବ
– ୧୦୦୦ ବର୍ଗଫୁଟରୁ କମ୍ ଆବାସିକ ଗୃହ ଥିବ
– ବିଜ୍ଞାପିତ ଅଂଚଳରେ ୧୦୦ ୟାର୍ଡରୁ କମ୍ ଘରବାଡ଼ି ପ୍ଲଟ
– ଅଣ-ବିଜ୍ଞାପିତ ଅଂଚଳରେ ୨୦୦ ୟାର୍ଡରୁ କମ୍ ଆବାସିକ ଜମି ରହିଥିବା ଜରୁରି

ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ୧୦ ପ୍ରତିଶତ ସଂରକ୍ଷଣ ବିଲକୁ ଗତକାଲି ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ର ସରକାର ଆଣିଥିବା ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭା ଓ ରାଜ୍ୟସଭାରେ ବିପୁଳ ସମର୍ଥନ ହାସଲ କରି ପାରିତ ହୋଇଥିଲା । ଗତକାଲ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହୋଇଛି । ଫଳରେ ସଂରକ୍ଷଣ ଆଇନରୁ ବାହାରେ ରହି ଆସିଥିବା ସବର୍ଣ୍ଣ ଗୋଷ୍ଠୀଙ୍କୁ ଏବେ ଶିକ୍ଷା ଓ ସରକାରୀ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ।

Comments are closed.