ଗୁଜୁରାଟର ଗୁହାରି: ରୋଲ ମଡେଲ ସାଜିଛ, ଉପାୟ କୁହ…

1,720

କନକ ବ୍ୟୁରୋ: ଆପଣ କେମିତି ଫୋନିର ମୁକାବିଲା କଲେ ? ଏତେ ବଡ ବାତ୍ୟାର ସାମ୍ନା କରିବାକୁ କଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ? ଏତେ ଲୋକଙ୍କ ସ୍ଥାନାନ୍ତର ପାଇଁ କି କି ପଦକ୍ଷେପ ନେଇଥିଲେ? ଦୟାକରି ସେସବୁ କୌଶଳ, ସେ ଅଭିଜ୍ଞତା ଟିକେ କହିବେ କି ? ସମ୍ଭାବ୍ୟ ବାତ୍ୟା ବାୟୁ ଗୁଜୁରାଟରେ ବାଡେଇବା ପୂର୍ବରୁ ବାତ୍ୟା ମୁକାବିଲା ପାଇଁ ଓଡିଶାର ପରାମର୍ଶ ନେଇଛି ଗୁଜୁରାଟ । ଫୋନି ମୁକାବିଲାର ଅଭିଜ୍ଞତାକୁ ପଚାରି ବୁଝିଛି ଗୁଜୁରାଟ । ଓଡିଶା ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀଙ୍କ ସହ କଥା ହୋଇଛନ୍ତି ଗୁଜୁରାଟ ମୁଖ୍ୟ ସଚିବ ଜେଏନ ସିଂହ ।


ତେବେ ଫୋନିକୁ ଓଡିଶା ସରକାର କିଭଳି ମୁକାବିଲା ଓ ପରିଚାଳନା କରିଥିଲେ ସେହି ଅଭିଜ୍ଞତାକୁ ପଚାରି ବୁଝିଛନ୍ତି । ବାତ୍ୟା ‘ବାୟୁ’ର ମୁକାବିଲା ନେଇ ଓଡ଼ିଶାର ପରାମର୍ଶ ନେଇଛନ୍ତି ଗୁଜରାଟ ସରକାର । ଫୋନିର ଅଭିଜ୍ଞତାକୁ ଗୁଜରାଟ ପ୍ରଶାସନ ବାତ୍ୟା ବାୟୁର ମୁକାବିଲା ପାଇଁ ଲଗାଇବେ । ଆଉ ସେଇଥିପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀଙ୍କ ସହ ଫୋନରେ କଥା ହୋଇଛନ୍ତି ଗୁଜୁରାଟ ସଚିବ । ବାତ୍ୟା ଫୋନି ବେଳେ ଓଡିଶାରେ କିଭଳି ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୨୦ ହଜାର ଗାଁର ପ୍ରାୟ ଦେଢ଼ କୋଟି ଲୋକଙ୍କୁ କେମିତି ସୁରକ୍ଷିତ ସ୍ଥାନାନ୍ତର କରି ବଡ ବିପଦରୁ ରକ୍ଷା କରାଗଲା ସେନେଇ ପରାମର୍ଶ ନେଇଛନ୍ତି ।


ତେବେ ଗୁଜୁରାଟ ପ୍ରଶାସନ ଓଡିଶା ପ୍ରଶାସନ ସହ ଯୋଗାଯୋଗରେ ଥିବା ବେଳେ ଆବଶ୍ୟକସ୍ଥଳେ ଆମର ସହାଯ୍ୟ ଲୋଡିବେ ବୋଲି ଆଦିତ୍ୟ ପାଢ଼ୀ କହିଛନ୍ତି । । ଗତ ମାସରେ ବାତ୍ୟା ଫୋନି ମାଡରେ ଓଡିଶାର ପୁରୀ, ଖୋର୍ଦ୍ଧା ଜିଲ୍ଲା ସମେତ ଆଖପାଖ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ତେବେ ବାତ୍ୟା ମୁକାବିଲାର ସଫଳ ପରିଚାଳନ ଯୋଗୁଁ ଧନଜୀବନ ହାନି ଅପେକ୍ଷାକୃତ ହ୍ରାସ ପାଇଥିଲା ।
ଫୋନି ପୂର୍ବର ପ୍ରସ୍ତୁତି ଓ ଅଲ୍ପ ସମୟରେ ଅନେକ ଲୋକଙ୍କୁ ସ୍ଥାନାନ୍ତର କରି ରେକର୍ଡ ସୃଷ୍ଟି କରିଥିଲେ ଓଡିଶା ସରକାର । ଆଉ ଓଡିଶା ସରକାରଙ୍କ ଏତେ ବଡ ପଦକ୍ଷେପ ପାଇଁ ମଧ୍ୟ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ଜାତିସଙ୍ଘ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ । ଆଉ ଏବେ ସେହି କୌଶଳର ପରାମର୍ଶ ନେଇଛି ଗୁଜୁରାଟ ।