ପିଓକେରେ ଏୟାରଷ୍ଟ୍ରାଇକ୍ ପରେ ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି ! ଭାରତ-ପାକିସ୍ତାନ ସୀମା ଓ ଅନ୍ତର୍ଜାତୀୟ ସୀମାରେ ବଢିଲା ସୁରକ୍ଷା

181

କନକ ବ୍ୟୁରୋ : ପାକିସ୍ତାନରେ ଥିବା ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ ପରେ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭାରତ-ପାକିସ୍ତାନ ସୀମା ସହ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଏହାସହ ଦେଶରେ ଥିବା ସମସ୍ତ ସେନା ଶିବିର ସହ ବିମାନ ବନ୍ଦର ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜୈଶ ଏ ମହମ୍ମଦର ଆତଙ୍କୀ ଠିକଣାରେ ବାୟୁସେନାର ବଡ ଆକ୍ରମଣ ପରେ ସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ । ଏଲଓସି ଅତିକ୍ରମ କରି ଆତଙ୍କବାଦୀ ଲଂଚ ପ୍ୟାଡ ଉପରେ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ପାକ୍ ଅଧିକୃତ କାଶ୍ମୀରରେ ପଶି ଜେଶ-ଏ-ମହମ୍ମଦ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ବାୟୁସେନାର ୧୨ଟି ଯୁଦ୍ଧ ବିମାନ । ମିରାଜ-୨୦୦୦ ବିମାନ, ଭୋର ସାଢେ ୩ଟାରେ ପିଓକେରେ ୧ ହଜାର କିଲୋଗ୍ରାମର ବମ୍ ପକାଇ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଛି । ଏନେଇ ଏକ ବିଶେଷ ସୂତ୍ରରୁ ଜଣାପଡିଛି । ଭାରତୀୟ ସେନା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଆକ୍ରମଣରେ ଜେଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ୩ଟି କଂଟ୍ରୋଲ ରୁମ୍ ଧ୍ୱଂସ ହୋଇଛି । ବାଲାକୋଟ୍, ଚକୋଟି ଓ ମୁଜାଫରବାଦ୍ ଲଂଚ ପ୍ୟାଡ୍କୁ ମାଟିରେ ମିଶାଇ ଦେଇଛି ଭାରତୀୟ ବାୟୁସେନା ।

ଭୋର ୩ଟା ୪୫ରେ ବାଲାକୋଟ୍ ଆତଙ୍କୀ ଆଡ୍ଡାରେ ବୋମା ବର୍ଷା କରିଥିଲା ମିରାଜ୍ ଯୁଦ୍ଧ ବିମାନ । ଏଲସି ଠାରୁ ୫୦ କିଲୋମିଟର ଓ ଇସଲାମବାଦରୁ ୧୫୦ କିଲୋମିଟର ଦୂର ହେଉଛି ବାଲାକୋଟ । ଏହାର ଠିକ୍ ୩ ମିନିଟ୍ ପରେ ଅର୍ଥାତ୍ ୩ଟା ୪୮ରେ ମୁଜାଫରବାଦ୍ ଲଂଚ ପ୍ୟାଡ୍ରେ ହମଲା କରିଥିଲେ ଭାରତୀୟ ସେନା । ମୁଜାଫରବାଦ ଆକ୍ରମଣର ୧୦ ମିନିଟ୍ ପରେ ୩ଟା ୫୮ ମିନିଟ୍ରେ ଚକୋଟି ଆତଙ୍କବାଦୀ ଶିବିର ଉପରେ ବମୋ ବର୍ଷା କରିଛି ବାୟୁସେନା ବିମାନ ମିରାଜ-୨୦୦୦ । ୟୁପିର ବରେଲି ଓ ଆଗ୍ରା ଏୟାରବେସରୁ ଉଡାଣ ଭରିଥିଲା ମିରାଜ । ମିଳିଥିବା ସୂଚନା ଅନୁସାରେ, ଏହି ୩ଟି ଲଂଚ ପ୍ୟାଡ ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଥିଲା । ଏଠାରେ ଜେଶ ଏ ମହମ୍ମଦ, ଲସ୍କରତୈବା ଓ ମୁଜାହୁଦିନ୍ ଆତଙ୍କବାଦୀ ଥିବା ନେଇ ସୂଚନା ମିଳିଛି ।