କେତେ ଦକ୍ଷ ଆମ ଆଇଏଏସ ଅଫିସର ! ଆଇଏଏସ୍ ଅଫିସରଙ୍କ ଦକ୍ଷତା ମାପିବେ ମୋଦି ସରକାର, ପ୍ରଦର୍ଶନ ଆଧାରରେ ମିଳିବ ପଦୋନ୍ନତି

45

ସରକାରୀ ବାବୁଙ୍କ ଦକ୍ଷତା ମାପିବେ ମୋଦି ସରକାର । ପ୍ରତିବର୍ଷ ହେବ ମୂଲ୍ୟାୟନ । ଏପରିକି ଦେଶର ୫ହଜାର ୪ଜଣ ଆଏଏସ ଅଫିସରଙ୍କ କାର୍ଯ୍ୟ ଦକ୍ଷତାର କେମିତି ହେବ ମୂଲ୍ୟାୟନ? ସେନେଇ ଗାଇଡଲାଇନ ସ୍ଥିର କରିଛନ୍ତି କେନ୍ଦ୍ର ସରକାର । ବିଶେଷ କରି ସମାଜର ଦୁର୍ବଳ ଶ୍ରେଣୀଙ୍କ ପ୍ରତି ଅଫିସରମାନଙ୍କ ମନୋଭାବକୁ ନେଇ ମୂଲ୍ୟାୟନ ହେବ । ଜଟିଳ ଓ ଦ୍ୱନ୍ଦାତ୍ମକ ସ୍ଥିତିରେ ସେମାନଙ୍କ ସମୟଉପଯୋଗୀ ଓ ଫଳପ୍ରଦ ନିଷ୍ପତି ଉପରେ ଏହା ନିର୍ଭର କରିବ । ଯାହାକୁ ଆଧାର କରି ସେମାନଙ୍କ ପଦୋନ୍ନତି ହେବ ।

ସଚିବ ଓ ଅତିରିକ୍ତ ସଚିବ ପାହ୍ୟାର ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ଏହି ଗାଇଡଲାଇନ ପ୍ରସ୍ତୁତ କରିଛି କାର୍ମିକ ବିଭାଗ । ଅଫିସରମାନଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ୫୦ଟି ଶବ୍ଦରେ ଲେଖିବାକୁ କୁହାଯିବ । ଯାହା ଭିତରେ ରହିବ, ଠିକ କଥା ପାଇଁ ଛିଡା ହେବାର ସାହସ ଓ ଉତରଦାୟିତ୍ୱ ବହନ, ନୂଆ ଚିନ୍ତାଧାରା, ସମସ୍ତଙ୍କ ସହଯୋଗରେ ଏବଂ ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରି ଟିମ ଲିଡର ଭାବରେ କାମ କରିବାର ଦକ୍ଷତା ।

ମିଳିଥିବା ସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଏହି ମର୍ମରେ ଚିଠି ଲେଖି ମତାମତ ମାଗିଛି କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ । ଏ ବାବଦରେ କାହାର କିଛି ମତାମତ କିମ୍ବା ଆପତି ଥିଲେ ଜୁନ ୨୮ ତାରିଖ ସୁଦ୍ଧା ଜଣାଇବାକୁ କୁହାଯାଇଛି । ଅର୍ଥାତ ୨୮ ତାରିଖ ସୁଦ୍ଧା କୌଣସି ମତାମତ ନଦେଲେ ଏହା ଗ୍ରହଣୀୟ ବୋଲି ଧରିନିଆଯିବ ।