ଭିଟାମାଟିରେ ସହିଦ ଯବାନ ବ୍ରଜମୋହନ ! ଭୁବନେଶ୍ୱର ବିମାନ ବନ୍ଦରରେ ଗାର୍ଡ ଅଫ ଅନର, ପୈତୃକ ଗାଁ କେନ୍ଦୁଝରରେ ପହଞ୍ଚିଲା ମରଶରୀର ।

46

କନକ ବ୍ୟୁରୋ : ଭୁବନେଶ୍ୱରରେ ପହଁଚିଲା ବୀର ବ୍ରଜମୋହନଙ୍କ ମରଶରୀର । ମାଲକାନଗିରି ସୀମାନ୍ତ ବିଜାପୁରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସହିଦ୍ ହୋଇଥିବା ଓଡିଆ ଯବାନ ବ୍ରଜମୋହନ ବେହେରାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଛି । ସେଠାରେ ସହିଦଙ୍କୁ ଶେଷ ସମ୍ମାନ ଦିଆଯାଇଛି । ସହିଦ୍ ବ୍ରଜମୋହନଙ୍କ ପରିବାର ସଦସ୍ୟ ବିମାନବନ୍ଦରରେ ଉପସ୍ଥିତ ରହିବା ସହ ମରଶରୀରକୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରାୟପୁର ଏୟାରପୋର୍ଟରୁ ସ୍ୱତନ୍ତ୍ର ବିମାନ ଯୋଗେ ସହିଦଙ୍କ ମରଶରୀରକୁ ଭୁବନେଶ୍ୱର ଅଣାଯାଇଛି ।

ଆଉ କିଛି ସମୟ ପରେ ସହିଦଙ୍କ ମରଶରୀର ତାଙ୍କ ପୈତୃକ ଗାଁରେ ପହଁଚିବ । କେନ୍ଦୁଝର ଘସିପୁରା ଅଂଚଳର ନଦୁଆଁ ଗାଁରେ ପହଁଚିବ ସହିଦ୍ ବ୍ରଜମୋହନଙ୍କ ମରଶରୀର । ବ୍ରଜମୋହନଙ୍କ ସହିଦ୍ ହେବା ଖବର ମିଳିବା ପରଠାରୁ ତାଙ୍କ ଗାଁ ନଦୁଆଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଶନିବାର ରୋଡ୍ ଓପନିଂ ଡ୍ୟୁଟିରେ ବାହାରିଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୫ ଜଣ ସିଆରପିଏଫ୍ ଯବାନ ସହିଦ ହେବା ସହ ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ବୁଲେଟ୍ ପ୍ରୁଫ୍ ଗାଡିରେ ପାଟ୍ରୋଲିଂ ଚାଲିଥିବା ବେଳେ ମାଓବାଦୀ ଖଂଜିଥିବା ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା ।