ଆଜି ମଧ୍ୟରାତ୍ରୀରେ ସଂସଦର ସ୍ୱତନ୍ତ୍ର ଅଧିବେସନ : ଟିକସ ବ୍ୟବସ୍ଥାରେ ହେବ ଐତିହାସିକ ପରିବର୍ତ୍ତନ

21

କନକ ବ୍ୟୁରୋ : ଆଉ କେଇ ଘଂଟା ପରେ ସାରା ଦେଶରେ ଲାଗୁହେବ ନୂଆ ଟିକସ ବ୍ୟବସ୍ଥା ଗୁଡ୍ସ ଆଣ୍ଡ ସର୍ଭିସେସ ଟ୍ୟାକ୍ସ ବା ଦ୍ରବ୍ୟ ଓ ସେବା କର । ୧୩୦ ଲକ୍ଷ କୋଟିର ବିରାଟ ଭାରତୀୟ ବଜାରରେ ହେବାକୁ ଯାଉଛି ସବୁଠାରୁ ବଡ ଟିକସ ସଂସ୍କାର । ଆଉ ଏଥିପାଇଁ ଆଜି ମଧ୍ୟରାତ୍ରୀରେ ସଂସଦରେ ହେବ ଜିଏସଟିର ଉତ୍ସବ । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅମିତାଭ ବଚ୍ଚନ, ଲତା ମଙ୍ଗେଶକର ଓ ରତନ ଟାଟାଙ୍କ ପରି ଦେଶର ପ୍ରମୂଖ ଶିଳ୍ପପତି ଉପସ୍ଥିତ ରହିବେ ଏହି ଉତ୍ସବରେ । ସ୍ୱାଧୀନ ଭାରତରେ ଚତୁର୍ଥ ଥର ପାଇଁ ସଂସଦରେ ବସିବ ମିଡନାଇଟ୍ ସେସନ୍ ।

ଜିଏସଟି ଲାଗୁ ହେବା ସମୟ ଯେତିକି ପାଖେଇ ଆସୁଛି ଏହାକୁ ନେଇ ରାଜନୀତି ବି ସେମିତି ବଢୁଛି । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ୱିଟ୍ କରି କଡ଼ା ଭାଷାରେ କହିଛନ୍ତି, ଏହି ଟିକସ ବ୍ୟବସ୍ଥାକୁ ଏକ ଅସମର୍ଥ ଓ ସମ୍ବେଦନହୀନ ସରକାର ଲାଗୁ କରିବାକୁ ଯାଉଛନ୍ତି । ବିମୁଦ୍ରାକରଣ ଭଳି ବିନା ପ୍ରସ୍ତୁତିରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି ବୋଲି ରାହୁଲ ଲେଖିଛନ୍ତି । ଆଜି ସଂସଦରେ ବସିବାକୁ ଯାଉଥିବା ସ୍ୱତନ୍ତ୍ର ଅଧିବେସନକୁ କଂଗ୍ରେସ ବୟକଟ୍ କରିବ ବୋଲି ପୂର୍ବରୁ ଘୋଷଣା କରିଥିଲା । ସେହିପରି ବାମଦଳ ସମେତ ମମତାଙ୍କ ତୃଣମୂଳ କଂଗ୍ରେସ ଓ ଲାଲୁଙ୍କ ଆରଜେଡ଼ି ମଧ୍ୟ ଯୋଗଦେବେ ନାହିଁ ସଂସଦର ଏହି ଜିଏସଟି ଉତ୍ସବରେ ।

ଐତିହାସିକ ଟିକସ ପରିବର୍ତ୍ତନ ପାଇଁ ଦେଶ ପ୍ରସ୍ତୁତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ବାରାଣାସୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ବିରୋଧ କରାଯାଇଛି । ଜିଏସଟି ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଛନ୍ତି ବ୍ୟବସାୟୀ । କାନପୁରରେ ମଧ୍ୟ ଜିଏସଟି ବିରୁଦ୍ଧରେ ପ୍ରତିବାଦ କରାଯାଇଛି । ଲକ୍ଷ୍ନୈାରେ ମଧ୍ୟ ଜୋରଦାର ବିରୋଧ କରାଯାଇଛି ଏହାକୁ । ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହି ଟିକସ ସଂସ୍କାର ବିରୁଦ୍ଧରେ ନାରାବାଜି ହୋଇଛି ।