ମହଙ୍ଗା ହେଲା ଦାମୀ କାର୍ ! ୩୦ ଟି ସାମଗ୍ରୀ ଉପରୁ କମିଲା ଜିଏସଟି
କନକ ବ୍ୟୁରୋ: ସାଧାରଣ ଲୋକ ବ୍ୟବହାର କରୁଥିବା ଅତି କମରେ ୩୦ ଟି ସାମଗ୍ରୀ ଉପରୁ ଜିଏସଟି ହ୍ରାସ କରାଯାଇଛି । ଜିଏସଟି ପରିଷଦ ବୈଠକରେ ଏନେଇ ନିଷ୍ପତି ହୋଇଛି । ଦାମୀ କାର ମହଙ୍ଗା ହୋଇଥିବାବେଳେ ଛୋଟ କାର ଦର ଅପରିବର୍ତିତ ରହିଛି । ସେହିଭଳି ରିଟର୍ଣ୍ଣ ଦାଖଲ ଅବଧିକୁ ଆଉ ମାସେ ଘୁଂଚାଇଦିଆଯାଇଛି । ଫିଟମେଂଟ କମିଟିର ସୁପାରିଶକୁ ଦୃଷ୍ଟିରେ ରଖି ଜିଏସଟି ପରିଷଦ ଏହି ନିଷ୍ପତି ନେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଦେଶରେ ମଧ୍ୟମ, ବଡ ଏବଂ ଏସୟୁଭି ଭଳି ବିଳାସପୂଣ୍ଣ କାର୍ ମହଙ୍ଗା ହୋଇଛି । ବଡ କାରରେ ଟିକସ ହାର ୪୩ ପ୍ରତିଶତରୁ ୪୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସେହିଭଳି ଏସୟୁଭି ଉପରେ ଟିକସ ହାର ୪୩ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ୧୩ ସିଟ ବିଶିଷ୍ଟ ଯାନ ଉପରେ କୌଣସି ଟିକସ ବଢଯାଇନାହିଁ । ଛୋଟ କାର, ୧୩ ସିଟ ବିଶିଷ୍ଟ ଯାନ ଓ ହାଇବ୍ରିଡ କାର ଉପରେ କୌଣସି ଟିକସ ବଢାଯାଇନାହିଁ । ମଧ୍ୟମ ସାଇଜ କାରରେ ଟିକସ ୨ ପ୍ରତିଶତ, ବୃହତ କାରରେ ୫ ପ୍ରତିଶତ ଓ ଏସୟୁଭିରେ ୭ ପ୍ରତିଶତ ବୃଦ୍ଧି କରାଯାଇଛି । ହେଲେ ୧୨ଶହ ସିସି ପେଟ୍ରୋଲ ଏବଂ ୧୫ ଶହ ସିସି ଡିଜେଲ୍ କାର୍ ଉପରେ ଜିଏସଟି ହାର ଅପରିବର୍ତ୍ତିତ ରହିଛି । ଏଥିସହ ଜିଏସଟି ରିଟଣ୍ଣ-୧ ଦାଖଲ ପାଇଁ ଶେଷ ଦିନ ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୧୦ ତାରିଖକୁ ବୃଦ୍ଧି କରାଯାଇଛି ।
ବୈଠକ ପରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହି ସୂଚନା ଦେଇ କହିଲେ ଯେ, ଫିଟମେଣ୍ଟ କମିଟିର ସୁପାରିସକୁ ଦୃଷ୍ଟିରେ ରଖି ୩୦ଟି ସାମଗ୍ରୀ ଉପରେ ଜିଏସଟି ହାର କମାଇ ଦିଆଯାଇଛି । ଏହି ସାମଗ୍ରୀ ମଧ୍ୟରେ ରହିଛି ପ୍ଲାଷ୍ଟିକ୍ ରେନକୋଟ୍ ବା ବର୍ଷାତି, ରବର ବ୍ୟାଣ୍ଡସ୍, ଶୁଖିଲା ତେନ୍ତୁଳି, କଷ୍ଟାଡ୍ ପାଉଡର୍, ଧୂପବତି, ଧୂପ ଏବଂ ସମାନ ପ୍ରକାରର ଅନ୍ୟ ସାମଗ୍ରୀ, ଧାନକୁ ଚାଉଳ ପ୍ରସ୍ତୁତିରେ ବ୍ୟବହୃତ ରବର୍ ରୋଲ୍, କମ୍ପ୍ୟୁଟର ମନିଟର, ରୋଷେଇ ଗ୍ୟାସ ଲାଇଟର୍, ଝାଡ଼ୁ ଏବଂ ବ୍ରସ୍, ଛଣା ବୁଟ, ଡାଲି, ପିଡ଼ିଆ ଏବଂ ଇଡଲି ଓ ଦୋଷା ପାଇଁ ବ୍ୟବହାର ହେଉଥିବା ବିରି ଚାଉଳ ବଟା (ଆଣ) ।
ଏହାଛଡ଼ା ଖଦି ଓ ଗ୍ରାମୋଦ୍ୟୋଗ ଦୋକାନ ଜରିଆରେ ବିକ୍ରି ହେଉଥିବା ଖଦି ବସ୍ତ୍ରକୁ ସଂପୂର୍ଣ୍ଣ ଜିଏସଟି ମୁକ୍ତ କରାଯାଇଛି । ମାଟି କଣ୍ଢେଇ ଉପରୁ ମଧ୍ୟ ଜିଏସଟି ଛାଡ଼ କରାଯାଇଛି । ସେହିଭଳି କାରିଗର, କଳାକାର, ଲୋକକଳା ଏବଂ ଆଦିବାସୀ କଳାକୃତିରେ ବର୍ଷକୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ବ୍ୟବସାୟୀଙ୍କ ପାଇଁ ଜିଏସଟି ପଞ୍ଜୀକରଣର ଆବଶ୍ୟକତା ନାହିଁ ।
ଅର୍ଥ ମନ୍ତ୍ରୀ କହିଲେ ଯେ, ଜିଏସଟି ପରିଷଦ ପକ୍ଷରୁ ବିଳାସପୂର୍ଣ୍ଣ କାର ଉପରେ ସରଚାର୍ଜ ହାର ବୃଦ୍ଧି କରାଯାଇଥିବାରୁ ଏଗୁଡ଼ିକ ମହଙ୍ଗା ହୋଇଯାଇଛି । ତେବେ ଚଳିତ ପୂଜା ସିଜିନରେ ଛୋଟ କାର କିଣିବା ପାଇଁ ଅଭିଳାଷ ରଖିଥିବା ବ୍ୟକ୍ତିମାନଙ୍କ ଉପରେ ଆଜିର ଜିଏସଟି ପରିଷଦ ବୈଠକରେ କୌଣସି ଅତିରିକ୍ତ ବୋଝ ଲଦାଯାଇ ନାହିଁ । ଅର୍ଥମନ୍ତ୍ରୀ କହିଲେ, ୧୨୦୦ସିସି ପେଟ୍ରୋଲ ଏବଂ ୧୫୦୦ ସିସି ଡିଜେଲ କାର ଉପରେ ଜିଏସଟି ହାର ଅପରିବର୍ତ୍ତିତ ରହିବ । ତେବେ ମଧ୍ୟମ ଆକାରର କାର ଉପରେ ଟିକସ ହାର ୪୩ ପ୍ରତିଶତରୁ ୪୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ବୃହତ୍ କାରରେ ଟିକସ ହାର ୪୩ ପ୍ରତିଶତରୁ ୪୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏସୟୁଭି ଉପରେ ଟିକସ ହାର ୪୩ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ।
୧୩ ସିଟ୍ ବିଶିଷ୍ଟ ଯାନ ଉପରେ ଟିକସ ରାଶିରେ କୌଣସି ବୃଦ୍ଧି କରାଯାଇନାହିଁ । ଅର୍ଥାତ୍ ଛୋଟ କାର, ୧୩ ସିଟ୍ ବିଶିଷ୍ଟ ଯାନ ଏବଂ ହାଇବ୍ରିଡ କାର ଉପରେ ଟିକସ ହାରରେ କୌଣସି ବୃଦ୍ଧି କରାଯାଇ ନଥିବା ବେଳେ ମଧ୍ୟମ ସାଇଜ୍ କାରରେ ଟିକସ ହାର ୨ ପ୍ରତିଶତ, ବୃହତ୍ କାରରେ ଟିକସ ହାର ୫ ପ୍ରତିଶତ ଏବଂ ଏସୟୁଭିରେ ଟିକସ ହାର ୭ ପ୍ରତିଶତ ବୃଦ୍ଧି କରାଯାଇଛି ।
ଏତଦବ୍ୟତୀତ ଜିଏସଟି ରିଟର୍ଣ୍ଣ-୧ ଦାଖଲ ପାଇଁ ଶେଷ ଦିବସ ସେପ୍ଟେମ୍ବର ୧୦ ତାରିଖ ରଖାଯାଇଥିବା ବେଳେ ଏହାକୁ ଅକ୍ଟୋବର ୧୦ ତାରିଖକୁ ବୃଦ୍ଧି କରାଯାଇଛି । ପୁରୁଣା ଟିକସ ବ୍ୟବସ୍ଥାରୁ ଜିଏସଟି ବ୍ୟବସ୍ଥାକୁ ସୁରୁଖୁରରେ ଯିବା ଲାଗି ଜିଏସଟି ପରିଷଦ ଏକ କମିଟି ଗଠନ ଲାଗି ନିଷ୍ପତ୍ତି ନେଇଛି ।
ଜୁଲାଇରେ ଜିଏସଟି ଆଦାୟ ରାଶି ୯୫ ହଜାର କୋଟି ଟଙ୍କା ରହିଛି । ଜିଏସଟିରେ ପଞ୍ଜୀକୃତ ହୋଇଥିବା ୭୦ ପ୍ରତିଶତ ବ୍ୟବସାୟୀ ସେମାନଙ୍କ ରିଟର୍ଣ୍ଣ ଫାଇଲ୍ କରି ସାରିଛନ୍ତି ବୋଲି ଜେଟଲି କହିଛନ୍ତି । ଗତକାଲିର ଏହି ବୈଠକରେ ଜିଏସଟିର ଆଇଟି ଭିତ୍ତିଭୂମି ଜିଏସଟିଏନର ସମୀକ୍ଷା ମଧ୍ୟ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଜିଏସଟି ପରିଷଦରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନେ ସଦସ୍ୟ ରହିଛନ୍ତି ।