ଟିକସ କମିବ ଦର ଖସିବ : ୬୬ଟି ସାମଗ୍ରୀ ଉପରେ ଟିକସ କମାଇଲା ଜିଏସଟି କାଉନସିଲ୍

38

କନକ ବ୍ୟୁରୋ : ଏଣିକି ମଧୁମେହ ରୋଗୀଙ୍କ ପାଇଁ ଖର୍ଚ୍ଚ କମିବ । ଇନସୁଲିନ୍ ଉପରେ ଟିକସ ହାରକୁ କମ୍ କରାଯାଇଛି । କାରଣ ଜିଏସଟି ସଂଶୋଧନ ପରେ ଇନସୁଲିନ୍ ଉପରେ ଟିକସ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଛି । ଖାଲି ଇନସୁଲିନ୍ ନୁହେଁ ୧୬ତମ ଜିଏସଟି କାଉନସିଲ୍ ବୈଠକ ପରେ ୬୬ଟି ସାମଗ୍ରୀ ଉପରେ ଜିଏସଟି ସଂଶୋଧନ କରାଯାଇଛି । ଶୁଖିଲା ଖାଦ୍ୟ ଉପରେ ମଧ୍ୟ ଟିକସ ହାର କମିଛି । କାଜୁବାଦାମର ମୂଲ୍ୟ ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମିଛି ।

ପ୍ୟାକେଜ୍ ଫୁଡ୍, ଯେମିତିକି ଫଳ ଓ ପନିପରିବା, ଆଚାର ଇତ୍ୟାଦି ଉପରେ ଟିକସ ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ କମିଛି । ସେହିପରି ବାସହରା ଗରିବ ଶ୍ରେଣୀୟ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯେପରିକି ପ୍ଲାଷ୍ଟିକ୍ ତାରପୋଲିନ୍ ଉପରେ ଟିକସର ମୂଲ୍ୟ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ ପାଇଛି । ଏହା ସହ ଛାତ୍ରଛାତ୍ରୀଙ୍କ ପାଠ୍ୟ ଉପକରଣ ଉପରେ ମଧ୍ୟ ଟିକସ କମ୍ କରାଯାଇଛି । ସ୍କୁଲ୍ ବ୍ୟାଗ୍ ଉପରେ ୨୮ ପ୍ରତିଶତରୁ ୧୮ପ୍ରତିଶତ ଓ ଏକ୍ସରସାଇଜ୍ ବୁକ୍ ଉପରେ ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ଟିକସ କମାଯାଇଛି ।

କମ୍ପ୍ୟୁଟର ପ୍ରିଂଟର ଉପରେ ମଧ୍ୟ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ଟିକସ ହ୍ରାସ କରାଯାଇଛି । ଆହୁରି ମଧ୍ୟ ସିନେମା ଉପରେ ପ୍ରମୋଦ କରକୁ ସଂଶୋଧନ କରାଯାଇଛି । ସିନେମା ଟିକେଟ ୧୦୦ ଟଙ୍କାରୁ କମ୍ ଥିଲେ ଏହା ୨୮ ପ୍ରତିଶତ ବଦଳରେ ୧୮ ପ୍ରତିଶତକୁ କମ୍ କରାଯାଇଛି । କିନ୍ତୁ ଯଦି ଟିକେଟର ଦାମ  ୧୦୦ଟଙ୍କାରୁ ଅଧିକ ରହିଛି, ଏବେ ୨୮ ପ୍ରତିଶତ କର ଦେବାକୁ ପଡିବ । ତେବେ ଟେଲିକମ୍ କ୍ଷେତ୍ରରେ ୧୮ ପ୍ରତିଶତ ଟ୍ୟାକ୍ସକୁ ଅପରିବର୍ତ୍ତିତ ରଖାଯାଇଛି ।