ଜିଏସଟିର ଆହୁରି ହେବ ସରଳୀକରଣ: ଭବିଷ୍ୟତରେ ମିଶିବ ୧୨ ଓ ୧୮ ପ୍ରତିଶତ, ଉଚ୍ଛେଦ ହେବ ୨୮ ପ୍ରତିଶତ ବର୍ଗ

ସିମେଂଟ ଉପରୁ ଟିକସ କମିବାର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସୂଚନା

74

କନକ ବ୍ୟୁରୋ: ସାମଗ୍ରୀ ଓ ସେବା ଟିକସ, ଜିଏସଟିର ଆହୁରି ସରଳୀକରଣ ହେବ । ଏଭଳି ସଙ୍କେତ ଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଅର୍ଥମନ୍ତ୍ରୀ କହିଛନ୍ତି, ଆଗକୁ ଜିଏସଟି ଆହରି ସରଳ ହେବା ସହ ଭବିଷ୍ୟତ ପାଇଁ ଗୋଟିଏ ବର୍ଗର ଜିଏସଟି ଲାଗୁ ହେବ । ଆଉ ଏଥିପାଇଁ କିଛି ସମୟ ଲାଗିବ । ଏକ ଫେସବୁକ ପୋଷ୍ଟରେ ଜେଟଲି କହିଛନ୍ତି, ଆଗକୁ ୧୨ ଓ ୧୮ ପ୍ରତିଶତ ବର୍ଗକୁ ମିଶାଇଦିଆଯିବ । ଅଧିକାଂଶ ନିତିଦିନିଆ ବ୍ୟବହାରସାମଗ୍ରୀ ସେହି ବର୍ଗରେ ରହିବ ।

ଭବିଷ୍ୟତରେ ସରକାର ୨୮ ପ୍ରତିଶତ ବର୍ଗକୁ ସଂପୂର୍ଣ୍ଣ ଉଚ୍ଛେଦ କରିବେ । କେବଳ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ଏହି ସ୍ଲାବ ଲାଗୁ କରାଯାଇପାରେ । ନିକଟ ଭବିଷ୍ୟତରେ ସିମେଂଟଣ୍ଟଓ ଗାଡି ପାର୍ଟସ ଉପରୁ ଟିକସ କମ କରିବା ଉପରେ ସରକାର ଅଧିକ ଗୁରୁତ୍ୱ ଦେବେ ।

ବର୍ତମାନ ୫, ୧୨, ୧୮ ଓ ୨୮ ପ୍ରତିଶତ ଭଳି ଚାରିଟି ବର୍ଗରେ ଜିଏସଟି ଲାଗୁ କରାଯାଇଛି । ୩୦୫ଟି ସାମଗ୍ରୀ ୫ ପ୍ରତିଶତ ବର୍ଗରେ ରହିଛି । ୧୭୮ଟି ସାମଗ୍ରୀ ଉପରେ ୧୨ ପ୍ରତିଶତ ଓ ୫୧୭ଟି ସାମଗ୍ରୀ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି । ୨୮ ପ୍ରତିଶତ ବର୍ଗରେ ମାତ୍ର ୨୮ଟି ସାମଗ୍ରୀ ରହିଛି ।