ଜିଏସଟି ଲାଗୁ ପୂର୍ବରୁ ଜାତୀୟ ରାଜନୀତି ଦୁଇଫାଳ : ମମତା ବାନାର୍ଜୀ କଲେ ବୟକଟ ,ନବୀନ କଲେ ସମର୍ଥନ

35

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ଭଳି ଜିଏସଟି ଉତ୍ସବକୁ ନେଇ ମୁହାଁମୁହିଁ ହୋଇଛନ୍ତି ସରକାର ଓ ବିରୋଧୀ । ପୂର୍ବରୁ ଜିିଏସଟିକୁ ସମର୍ଥନ କରୁଥିବା ନବୀନ ଜିଏସଟିର ମଧ୍ୟ ରାତ୍ର ଉତ୍ସବକୁ ପଠାଇବେ ପ୍ରତିନିଧି । ହେଲେ ଉତ୍ସବକୁ ବୟକଟ୍ କରିବାକୁ ଘୋଷଣା କରିଛନ୍ତି ମମତା । କଂଗ୍ରେସ ମଧ୍ୟ ଏହି ଉତ୍ସବକୁ ବୟକଟ୍ କରିପାରନ୍ତି ।

ଜିଏସଟିକୁ ନେଇ ଜୋର ଧରିଲା ରାଜନୀତି । ରାଷ୍ଟ୍ରପତି ନିର୍ବାଚନ ଭଳି ଦି’ଭାଗ ହୋଇଯାଇଛି ଅଣ-ଏନଡିଏ ଦଳ । ସଂସଦରେ ଜୁନ ୩୦ରେ ହେବାକୁ ଥିବା ଜିଏସଟି ଉତ୍ସବକୁ ନବୀନ ପଠାଇବେ ପ୍ରତିନିଧି । ଜିଏସଟିକୁ ସମର୍ଥନ କରି ଆସୁଥିବା ବିଜେଡିର ସାଂସଦମାନେ ଉପସ୍ଥିତ ରହିବେ ଉତ୍ସବରେ । ହେଲେ ଜିଏସଟି ପ୍ରତିବାଦରେ ଉତ୍ସବକୁ ବୟକଟ୍ କରିବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ମମତା କହିଛନ୍ତି, ଏହି ଉତ୍ସବରେ ସାମିଲ ହେବେନାହିଁ ତୃଣମୂଳ କଂଗ୍ରେସ ଦଳର ସାଂସଦ । ବିମୁଦ୍ରାକରଣ ଭଳି ଜିଏସଟି ନେଇ ସରକାରଙ୍କ ତରବର ନିଷ୍ପତ୍ତି ଏକ ଐତିହାସିକ ଭୁଲ ବୋଲି କହିଛନ୍ତି ମମତା ।

ସେପଟେ ରାଷ୍ଟ୍ରପତି ନିର୍ବାଚନରେ ମୋଦି ସରକାରଙ୍କ ସହ ମୁହାଁମୁହିଁ ହୋଇଥିବା କଂଗ୍ରେସ ମଧ୍ୟ ଉତ୍ସବରେ ସାମିଲ ହୋଇ ନପାରେ । ଏହି ଉତ୍ସବକୁ ଜବାହାରଲାଲ ନେହେରୁଙ୍କ ୧୯୪୭ ଅଗଷ୍ଟ ୧୫ ମଧ୍ୟ ରାତ୍ରିର ଅଭିଭାଷଣ ସହ ତୁଳନା କରା ଯାଉଥିବାରୁ ଏଥିରେ କ୍ଷୁବ୍ଧ ହୋଇଛି କଂଗ୍ରେସ । ଅନ୍ୟପଟେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକାଠି ବସିବା ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ର ସରକାର । ଜିଏସଟିର ଜଣେ ବଡ଼ ସମର୍ଥକ ଭାବେ ଜଣାଶୁଣା ମନମୋହନ ସିଂହ । ଏଭଳି ସ୍ଥିତିରେ କଣ ହେବ କଂଗ୍ରେସର ରଣନୀତି, ତାହା ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ବାମଦଳ ସହ ଅନ୍ୟ ବିରୋଧୀ ଦଳ ବି ବୟକଟ୍ କରିପାରନ୍ତି ଏହି ଉତ୍ସବକୁ ।