ଦୋକାନରେ ଜିଏସଟି ପଞ୍ଜୀକରଣ ସଂଖ୍ୟା ଲେଖିବା ବାଧ୍ୟତାମୂଳକ !

29

ଜିଏସଟି କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । ବ୍ୟବସାୟୀମାନେ ସାଇନବୋର୍ଡ ବା ସୂଚନା ଫଳକରେ ସେମାନଙ୍କ ଜିଏସଟି ପଞ୍ଜୀକରଣ ନମ୍ବର ଲେଖିବା ବାଧ୍ୟତାମୂଳକ କରାଯାଇଛି । ଏଥିସହିତ ଦୋକାନ ପରିସରରେ ମଧ୍ୟ ପଞ୍ଜୀକରଣ ପ୍ରମାଣପତ୍ର ବ୍ୟବସାୟୀମାନେ ରଖିବେ । ଏପରି ହେଲେ ଜଣେ ବ୍ୟବସାୟୀ ଜିଏସଟିରେ ପଞ୍ଜୀକୃତ ହୋଇଛନ୍ତି କି ନାହିଁ ସହଜରେ ଜାଣିପାରିବେ ଗ୍ରାହକ ।

କମ୍ପୋଜିସନ ସ୍କିମ୍‌ର ଡିଲରମାନେ ସେମାନଙ୍କ ବ୍ୟବସାୟିକ ପ୍ରତିଷ୍ଠାନରେ ପଞ୍ଜୀକରଣ ପ୍ରମାଣପତ୍ର ରଖିବେ । ଏହାଦ୍ୱାରା ସେ ଟିକସଦାତାଙ୍କଠାରୁ ଟିକସ ଆଦାୟ କରିବାକୁ ଯୋଗ୍ୟ ବୋଲି ଜଣାପଡ଼ିବ । ଏହା ହେଉଛି ଜିଏସଟିରେ ଆଇନଗତ ଆବଶ୍ୟକତା । ଫଳରେ ଲୋକମାନେ ଜାଣିପାରିବେ ଯେ ସେମାନେ ଯେଉଁ ଦୋକାନରୁ ସାମଗ୍ରୀ କିଣୁଛନ୍ତି, ସେ ଟିକସ ଆଦାୟ କରିବାକୁ ଯୋଗ୍ୟ କି ନୁହେଁ ।

ଜିଏସଟିଏନ୍‌ ହେଉଛି ୧୫ ଅଙ୍କ ବିଶିଷ୍ଟ ଏକ ସଂଖ୍ୟା। ଜିଏସ୍‌ଟି ନେଟଓ୍ଵାର୍କ ପୋର୍ଟାଲରେ ପଞ୍ଜୀକରଣ କରିବା ପରେ ଏହି ନମ୍ବର ପ୍ରଦାନ କରାଯାଇଥାଏ । ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଟିଏ ବ୍ୟବସାୟ ପ୍ରତିଷ୍ଠାନ ଜିଏସ୍‌ଟି ପୋର୍ଟାଲରେ ଲଗଇନ୍‌ କରିଲେ ତାଙ୍କୁ ଅସ୍ଥାୟୀ ପରିଚୟପତ୍ର ପ୍ରଦାନ କରାଯାଇଥାଏ । ଏହାର ୩ ମାସ ମଧ୍ୟରେ ସେହି ବ୍ୟବସାୟ ପ୍ରତିଷ୍ଠାନ ଅନ୍ୟାନ୍ୟ ସୂଚନା ଦେଇ ପଞ୍ଜୀକରଣ ପ୍ରକ୍ରିୟା ଶେଷ କରିପାରିବେ ।

ଏହାପରେ ସେହି ଅସ୍ଥାୟୀ ପରିଚୟପତ୍ରକୁ ଜିଏସଟି ପରିଚୟପତ୍ରରେ ପରିବର୍ତ୍ତନ କରାଯାଇପାରିବ । ରାଜସ୍ୱ ସଚିବ ହସମୁଖ ଅଧିଆଙ୍କ କହିବାନୁଯାୟୀ ଯଦି ଗୋଟିଏ ବ୍ୟବସାୟ ପ୍ରତିଷ୍ଠାନ ୯୦ ଦିନ ମଧ୍ୟରେ ପଞ୍ଜୀକରଣ ପ୍ରମାଣପତ୍ର ହାସଲ ନକରନ୍ତି ତାହେଲେ ତାଙ୍କ ଅସ୍ଥାୟୀ ପରିଚୟପତ୍ର ବାତିଲ ହୋଇଯିବ ।