ବଦଳିଲା ୧୯ ସେବାର ଜିଏସଟି !

39

କନକ ବ୍ୟୁରୋ: ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜିଏସଟି (ସାମଗ୍ରୀ ଓ ସେବା ଟିକସ) ପରିଷଦ ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିରେ ମୋଟ ୧୯ଟି ସେବାର ଟିକସ ହାରକୁ ବଦଳାଯାଇଛି । ଏକ ବଡ଼ ବିଷୟ ହେଲା ବୟନଶିଳ୍ପ କ୍ଷେତ୍ର ଲାଗି ଟିକସ ହାର ପରିବର୍ତ୍ତନ । ବୟନଶିଳ୍ପ ଶୃଙ୍ଖଳ ଏବଂ ଏପରିକି ବୟନଶିଳ୍ପ ସମ୍ପର୍କିତ ସାମଗ୍ରୀ ଯଥା ପୋଷାକ, ସାଲ୍‌, କାର୍ପେଟ ଆଦିରେ କାର୍ଯ୍ୟ ପାଇଁ ଜିଏସଟି ହାର ୫ ପ୍ରତିଶତ ରହିବ ବୋଲି ପରିଷଦର ବୈଠକ ପରେ ସାମ୍ବାଦିକ ମାନଙ୍କୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି ।

ପୂର୍ବରୁ ହାତ ତିଆରି ତନ୍ତୁ ଏବଂ ବୟନଶିଳ୍ପ ପୋଷାକକୁ ବାଦ୍‌ ଦେଲେ ବୟନଶିଳ୍ପ ସୂତାରେ ହେଉଥିବା ହାତ ତିଆରି କାମ ପାଇଁ ଜିଏସଟି ହାର ୫ ପ୍ରତିଶତ ରହିଥିଲା । ହାତ ତିଆରି ତନ୍ତୁରେ ଜିଏସଟି ହାର ୧୮ ପ୍ରତିଶତ ରହିଥିଲା । ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ପହିଲାରୁ ଜିଏସଟି କାର୍ଯ୍ୟକାରୀ ହେବାପରେ ବୟନଶିଳ୍ପ ପୋଷାକ ଉପରେ ଟିକସ ହାର ହ୍ରାସ କରିବା ଲାଗି ଦୃଢ଼ ଦାବି ହୋଇ ଆସୁଥିଲା ।

ସେହିଭଳି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଠିକା କାମ ବା ଓ୍ଵାର୍କ କଣ୍ଟ୍ରାକ୍ଟ ପାଇଁ ଜିଏସଟି ହାର ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ ସହିତ ୧୮ ପ୍ରତିଶତ ଥିବାବେଳେ ଏହାକୁ ୧୨ ପ୍ରତିଶତକୁ କମାଇ ଦିଆଯାଇଛି । ଟ୍ରାକ୍ଟର ଉପକରଣ ଉପରେ ଜିଏସଟି ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ କମାଇ ଦିଆଯାଇଛି । ଏଥିସହିତ ୧୭ ବର୍ଷରୁ କମ୍‌ ବୟସର ଫିଫା ବିଶ୍ୱକପ୍‌ ଭାରତରେ ହେବାକୁ ଯାଉଛି । ଏଥିପାଇଁ ଯେଉଁସବୁ ସାମଗ୍ରୀ ଏବଂ ସେବା ଆମଦାନୀ ହେବ ତାହା ଉପରେ ଟିକସ ଛାଡ଼ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି ।