କମିବ ଜିଏସଟି ! ଶସ୍ତା ହେବ ସାଧାରଣ ବ୍ୟବହାର୍ଯ୍ୟ ସାମଗ୍ରୀ

24

କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ଅଧ୍ୟକ୍ଷତାରେ ଗଠିତ ଜିଏସ୍‌ଟି ପରିଷଦର ୨୩ତମ ବୈଠକ ଆସନ୍ତା ୯ ତାରିଖରେ ଗୌହାଟିରେ ହେବ । ଏହି ଦୁଇ ଦିନିଆ ବୈଠକରେ ପରିଷଦ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଜିଏସ୍‌ଟି ହାର କମ୍‌ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଏଠାରେ ଆୟୋଜିତ ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଆସନ୍ତା ଜିଏସ୍‌ଟି ପରିଷଦ ବୈଠକରେ ଟିକସ ହାରରେ ଆହୁରି ସୁଧାର ଅଣାଯିବ ବୋଲି ସଙ୍କେତ ଦେଇଛନ୍ତି । ମୋଦି କହିଛନ୍ତି ଆସନ୍ତା ୯ ଓ ୧୦ ତାରିଖରେ ହେବାକୁ ଥିବା ଜିଏସ୍‌ଟି ପରିଷଦ ବୈଠକରେ ଯଦି କୌଣସି ରାଜ୍ୟ ସମସ୍ୟା ସୃଷ୍ଟି ନକରନ୍ତି ତାହେଲେ ଭାରତର ଆର୍ଥିକ ବ୍ୟବସ୍ଥାକୁ ଓ ବାଣିଜ୍ୟ ଜଗତକୁ ନୂଆ ଶକ୍ତି ଦେବାଲାଗି ଯେଉଁ ସୁଧାର ଆବଶ୍ୟକ ତାହା କରାଯିବ ।

ପ୍ରଧାନମନ୍ତ୍ରୀଙ୍କ ଏ ପ୍ରକାର ମନ୍ତବ୍ୟରୁ ଜଣାପଡ଼ୁଛି, ଜିଏସ୍‌ଟି ପରିଷଦ ଆଗାମୀ ବୈଠକରେ ଆହୁରି କେତେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଟିକସ ହାରକୁ ହ୍ରାସ କରିବ । ଏଥିରେ ହାତ ତିଆରି ଫର୍ଣ୍ଣିଚର, ପ୍ଲାଷ୍ଟିକ୍‌ ଉତ୍ପାଦ ଏବଂ ସାମ୍ପୁ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରହିଛି । ଜଣେ ସରକାରୀ ଅଧିକାରୀ ମଧ୍ୟ ଆଜି ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କେତେକ ସାଧାରଣ ବ୍ୟବହୃତ ସାମଗ୍ରୀ ଉପରେ ୨୮% ଜିଏସଟି ଆଦାୟ କରାଯାଉଛି । ଏଗୁଡ଼ିକର ଜିଏସ୍‌ଟି ହାର ହ୍ରାସ ସମ୍ଭାବନା ରହିଛି । ଏତଦ୍‌ ବ୍ୟତୀତ ଅନ୍ୟ କେତେକ ସାମଗ୍ରୀର ଜିଏସ୍‌ଟି ହାରକୁ ମଧ୍ୟ କମାଯିବାର ସମ୍ଭାବନା ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି । ପୂର୍ବର ପରୋକ୍ଷକର ବ୍ୟବସ୍ଥାରେ ଯେଉଁସବୁ ସାମଗ୍ରୀକୁ ଟିକସ ପରିସରରୁ ବାଦ୍‌ ଦିଆଯାଇଥିଲା କିମ୍ବା କମ୍‌ ଟିକସ ହାର ଆଦାୟ କରାଯାଉଥିଲା ଜିଏସ୍‌ଟିରେ ସେଗୁଡ଼ିକର ଟିକସ ହାର ଅଧିକ ରହିଛି । ତେଣୁ ସେସବୁ ସାମଗ୍ରୀର ଜିଏସ୍‌ଟି ହାରକୁ କମ୍‌ କରାଯିବା ଉପରେ ଜିଏସ୍‌ଟି ପରିଷଦ ବିଚାର କରିବ ।

୨୮% ଜିଏସ୍‌ଟି ଆଦାୟ ହେଉଥିବା କେତେକ ସାମଗ୍ରୀର ଟିକସ ହାର ୧୮%କୁ କମାଇବା ଆଶା ରହିଛି । ସେଥିରେ ହାତ ତିଆରି ଫର୍ଣ୍ଣିଚର, ଇଲେକ୍‌ଟ୍ରିକ୍‌ ସୁଇଚ୍‌, ପ୍ଲାଷ୍ଟିକ୍‌ ପାଇପ୍‌ ଆଦିର ଟିକସ ହାର ସଂଶୋଧନ ଉପରେ ବିଚାରବିମର୍ଶ କରାଯିବ । ଜିଏସଟିରେ ସବୁ ପ୍ରକାର ଫର୍ଣ୍ଣିଚରର ଟିକସ ହାର ୨୮% ରହିଛି । ଯଦିଓ କେତେକ ପ୍ଲାଷ୍ଟିକ ସାମଗ୍ରୀ ଉପରେ ୧୮% ଜିଏସ୍‌ଟି ଆଦାୟ କରାଯାଉଛି ତଥାପି ଗାଧୁଆ ଘରେ ଓ ପାଇଖାନାରେ ଲାଗୁଥିବା ବିଭିନ୍ନ ସାନିଟାରି ସାମଗ୍ରୀର ଜିଏସ୍‌ଟି ହାର ୨୮% ରହିଛି । ତେଣୁ ଏସବୁ ସାମଗ୍ରୀର ଜିଏସ୍‌ଟି ସଂଶୋଧନ ଆବଶ୍ୟକତା ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି । ଏତଦ୍‌ ବ୍ୟତୀତ ଓଜନ ମେସିନ୍‌, କମ୍ପ୍ରେସର ଆଦିର ଜିଏସ୍‌ଟି ହାରକୁ ୨୮%ରୁ ୧୮%କୁ କମିବା ସମ୍ଭାବନା ରହିଛି । ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଦେଢ଼ କୋଟି ଟଙ୍କାରୁ କମ୍‌ ସାମଗ୍ରୀ ନିର୍ମାଣ କରୁଥିବା ଉଦ୍ୟୋଗୀମାନଙ୍କୁ ଉତ୍ପାଦନ ଶୁଳ୍କ ଛାଡ଼ କରାଯାଇଥିଲା । ଫଳରେ ଏସବୁ ମେସିନ୍‌ ଉପରେ କେବଳ ୧୪.୫% ଭାଟ୍‌ ଲାଗୁ ହେଉଥିଲା। ସେହିଭଳି କମ୍ପ୍ରେସର ଉପରେ ଜିଏସ୍‌ଟି ପୂର୍ବରୁ ଟିକସ ହାର ୧୭.୫% ରହିଥିଲା । ଏଥିରେ ୧୨.୫% ଉତ୍ପାଦନ ଶୁଳ୍କ ଏବଂ ୫% ଭାଟ୍‌ ରହିଥିଲା ।