ଜିଏସଟି ଜାଲରେ ସାଧାରଣ ଜନତା ! ହେଲ୍ପ ଲାଇନକୁ ପ୍ରତିଦିନ ଆସୁଛି ୧୦ହଜାର୍ ଫୋନ୍ , ଦୁଇ ଗୁଣ ହେବ କର୍ମଚାରୀଙ୍କ ସଂଖ୍ୟା

72

ଗୋଟିଏ ଦେଶ ଗୋଟିଏ ଟିକସ । ଏହି ଲକ୍ଷ ନେଇ ଜୁଲାଇ ୧ରୁ ଆରମ୍ଭ ହୋଇଛି ଜିଏସଟି ଯୁଗ । ଜିଏସଟିକୁ ନେଇ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଏସଟିଏନ୍ ୦୧୨୦-୪୮୮୮୯୯୯ରେ ଏକ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ଏହା ସହ ଜିଏସଟି ଦ୍ୱନ୍ଦରୁ ମୁକ୍ତି ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି ।

ତେବେ ଏସବୁ ପରେ ମଧ୍ୟ ଜିଏସଟି ଜାଲରୁ ବାହାରି ପାରୁନାହାଁନ୍ତି ସାଧାରଣ ଜନତା । ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରତିଦିନ ଉପରୋକ୍ତ ନମ୍ବରରେ ପ୍ରାୟ ୧୦,୦୦୦ ଫୋନ୍ କଲ୍ ଆସୁଛି । ଯେଉଁଥିରେ ଅଧିକାଂଶ ପ୍ରଶ୍ନ ହେଉଛି ‘ପଞ୍ଜୀକରଣ କେମିତି କରିବି’ । ଏହା ସହ ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଉଛି ଅଧିକାଂଶ ବୟସ୍କ ବ୍ୟକ୍ତି ନିଜର ପାସୱାର୍ଡ ଭୁଲିଯିବା ସହ କେହି କେହି ଇନକମ୍ ଫାଇଲ୍ ରିଟର୍ଣ୍ଣ ବେଳେ ହଇରାଣ ହେଉଛନ୍ତି । ଫଳରେ ସାହାଯ୍ୟ ପାଇଁ ଏହି କଲ୍ ସେଣ୍ଟରକୁ କଲ୍ କରୁଛନ୍ତି ।

ପୂର୍ବରୁ ପ୍ରାୟ ୬୯ଲକ୍ଷ କର ଦାତା ଏହି ଜିଏସଟିଏନ୍ ପୋର୍ଟାଲରେ ପଞ୍ଜୀକରଣ କରିଥିବା ବେଳେ ଏବେ ୪.୫ଲକ୍ଷ ନୂଆ ଟିକସ ଦାତା ଯୋଡି ହୋଇଛନ୍ତି । ତେଣୁ ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ନିଜର କର୍ମଚାରୀଙ୍କ ସଂଖ୍ୟା ଦୁଇଗୁଣ କରିବାକୁ ନିଷ୍ପତି କମ୍ପାନୀ । ଆସନ୍ତା ୨ ସପ୍ତାହ ମଧ୍ୟରେ ୪୦୦କର୍ମଚାରୀ ନିଯୁକ୍ତି କରିବାକୁ ଯୋଜନା ଥିବା କହିଛନ୍ତି ଜିଏସଟିଏନ୍ ଚେୟାନମ୍ୟାନ୍ ନବୀନ୍ କୁମାର ।

ନବୀନଙ୍କ କହିବା ଅନୁଯାୟୀ, ପ୍ରତିଦିନ ଆସୁଥିବା ୧୦ହଜାର କଲ୍ ମଧ୍ୟରେ ଅଧିକାଂଶ ସମସ୍ୟା ହେଉଛି ଲଗଇନ୍ କରିବା, ପାସୱାର୍ଡ ରିକଭରୀ ଏବଂ ଡକ୍ୟୁମେଂଟ୍ ଅପଲୋଡ୍ କରିବା । ତେଣୁ ଏହି ସବୁ ସମସ୍ୟାରୁ ଜନତାଙ୍କୁ ମୁକ୍ତି କରିବା ପାଇଁ ଏହା ଅନୁଭବୀ ତଥା ଦକ୍ଷତା ସଂପର୍ଣ୍ଣ କର୍ମଚାରୀଙ୍କୁ ନେବା ପାଇଁ ଯୋଜନା ରଖିଛି ଜିଏସଟିଏନ୍ ।