କନକ ବ୍ୟୁରୋ : ଗତକାଲି ଆରମ୍ଭ ହୋଇଥିବା ସାମଗ୍ରୀ ଓ ସେବା ଟିକସ ପରିଷଦର ଦୁଇଦିନିଆ ବୈଠକର ଆଜି ଶେଷ ଦିନ । ଆଜି ବୈଠକରେ ପ୍ରାୟ ୧୫୦ରୁ ୨୦୦ ସାମଗ୍ରୀ ଉପରେ ଧାର୍ଯ୍ୟ ଜିଏସଟି ହ୍ରାସ କରିବାକୁ ପରିଷଦ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି। ମୁଖ୍ୟତଃ ଯେଉଁ ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସ୍ଟି ଲାଗୁ ହୋଇଛି ସେହି ସାମଗ୍ରୀ ଉପରୁ ଟିକସ ହ୍ରାସ ହୋଇପାରେ। ଏଥିସହିତ ରିଟର୍ଣ୍ଣ ବ୍ୟବସ୍ଥାକୁ ସରଳ କରିବା ପାଇଁ ମଧ୍ୟ ପଦକ୍ଷେପ ନେଇପାରେ।

imagesମିଳିଥିବା ସୂଚନା ଅନୁଯାୟୀ ୨୮ ପ୍ରତିଶତ ଜିଏସଟି ବର୍ଗରେ ଥିବା ସାମଗ୍ରୀ ମଧ୍ୟରୁ ୧୬୫ଟି ସାମଗ୍ରୀର ଟିକସ ୧୮ ପ୍ରତିଶତକୁ ହ୍ରାସ କରାଯାଇପାରେ। କେବଳ ୬୨ଟି ସାମଗ୍ରୀକୁ ୨୮ ପ୍ରତିଶତ ବର୍ଗରେ ରଖାଯିବ ବୋଲି କୁହାଯାଉଛି। ସେହିଭଳି ୧୮ ପ୍ରତିଶତ ଜିଏସଟି ଆଦାୟ ହେଉଥିବା ସାମଗ୍ରୀ ମଧ୍ୟରୁ କେତେକ ସାମଗ୍ରୀକୁ ୧୨ ପ୍ରତିଶତ ଜିଏସଟି ବର୍ଗରେ ସାମିଲ କରାଯିବ। ଏଥିସହିତ ରିଅଲ ଇଷ୍ଟେଟ କ୍ଷେତ୍ରକୁ ଜିଏସଟି ପରିସରରେ ସାମିଲ କରିବା ଲାଗି ମଧ୍ୟ ବୈଠକରେ ଆଲୋଚନା ହୋଇପାରେ।

ଦେଶରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ନିମନ୍ତେ କି ପ୍ରକାର ନୂଆ ପଦକ୍ଷେପ ନିଆଯାଇ ପାରିବ ସେ ନେଇ ପରିଷଦ ଆଲୋଚନା କରିବାର ସମ୍ଭାବନା ରହିଛି।
ଜିଏସ୍ଟି ବ୍ୟବସ୍ଥାରେ ରିଟର୍ଣ୍ଣ ଫାଇଲ୍କୁ ସରଳ କରିବା ଲାଗି ଜିଏସଟି ପରିଷଦକୁ ମନ୍ତ୍ରୀଗୋଷ୍ଠୀ ସୁପାରିସ କରିପାରେ। ଜିଏସଟିଆର ୧, ଜିଏସଟିଆର୍ ୨ ଏବଂ ଜିଏସଟିଆର ୩ ଦାଖଲ ବ୍ୟବସ୍ଥାକୁ ଉଚ୍ଛେଦ କରି କେବଳ ଜିଏସଟିଆର୍ ୩ ବି ରଖିବା ଲାଗି ପଦକ୍ଷେପ ନିଆଯିବ। ରିଟର୍ଣ୍ଣ ଫାଇଲ୍ ଜନିତ ବୋଝକୁ ହାଲକା କରିବା ପାଇଁ ସରକାର ଗତ ଅକ୍ଟୋବରରେ ଏକ ପଦକ୍ଷେପ ନେଇ ସାରିଛନ୍ତି। ଏଥିରେ ବାର୍ଷିକ ୧.୫ କୋଟି ଟଙ୍କାରୁ କମ୍ କାରବାର କରୁଥିବା ବ୍ୟବସାୟୀମାନଙ୍କୁ ତ୍ରୟମାସିକ ରିଟର୍ଣ୍ଣ ଫାଇଲ୍ ପ୍ରଦାନକୁ ମଞ୍ଜୁରି ଦେଇସାରିଛନ୍ତି। ଏହାସତ୍ତ୍ୱେ ଜିଏସଟି ରିଟର୍ଣ୍ଣ ଦାଖଲ ଲାଗି ଅନେକ ଅସୁବିଧା ରହିଥିବା ସମ୍ପର୍କରେ ବ୍ୟବସାୟୀମାନେ ଅଭିଯୋଗ କରି ଆସୁଛନ୍ତି।
ସୂଚନାଯୋଗ୍ୟ, ଗତ ଜୁଲାଇରେ ଜିଏସଟି କାର୍ୟ୍ୟକାରୀ ହେବା ପରଠାରୁ ପରିଷଦ ପ୍ରାୟ ୧୦୦ରୁ ଅଧିକ ସାମଗ୍ରୀର ଜିଏସଟି ହାରକୁ ପରିବର୍ତନ କରିସାରିଛନ୍ତି।