ଜିଏସଟି ଗୋଲକଧନ୍ଦାରେ ଓଡିଶା ! ନୂଆ ଟିକସକୁ ନେଇ ଦ୍ୱନ୍ଦ୍ୱରେ ବ୍ୟବସାୟୀ

36

କନକ ବ୍ୟୁରୋ : ସାରା ଦେଶରେ ଗୋଟିଏ ଟିକସ ବ୍ୟବସ୍ଥା- ଜିଏସଟି ଲାଗୁ ହେବାପରେ କେମିତି ଅଛି ଜୁଲାଇ ପହିଲାରେ ଓଡିଶା ବଜାର । ରାଜ୍ୟର ପ୍ରମୁଖ ସହରଗୁଡିକର ବିଜାର ସ୍ଥିତି ପରଖିଛି କନକ ନ୍ୟୁଜ୍ । ନୂଆ ଟିକସ ଲାଗୁ ହେବା ପରେ କେଉଁ ସାମଗ୍ରୀର ଦର ବଢିବ ବା କାହାର ଦର କମିବ ତାକୁ ନେଇ ଭିଷଣ ଦ୍ୱନ୍ଦ୍ୱ । କେଉଁଠି ବ୍ୟବସାୟୀଙ୍କ ପାଖରେ ନୂଆ ପ୍ରାଇସ୍ ଲିଷ୍ଟ୍ ନାହିଁ, ତ ଆଉ କେଉଁଠି ସଫ୍ଟୱେର ଅପଡେଟ୍ ହୋଇନାହିଁ । ତେଣୁ ଅନେକ ସ୍ଥାନରେ ବଜାରରେ ଅଚଳାବସ୍ଥାର ଚିତ୍ର ସାମ୍ନାକୁ ଆସିଛି । ଆଗାମୀ କିଛିଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବା ଆଶଙ୍କା କରାଯାଉଛି । ଦେଖନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନର ସ୍ଥିତି ।

ଭୁବନେଶ୍ୱର : ଭୁବନେଶ୍ୱରର ଇଲେକ୍ଟ୍ରୋନିକ୍ସ ମାର୍କେଟରେ ଲାଗିରହୁଥିବା ଗହଳି ଚହଳି ଜୁଲାଇ ପହିଲାରେ ନାହିଁ । କାରଣ କେଉଁ ସାମଗ୍ରୀ ଉପରେ କିଭଳି ରହିବ ନୂଆ ଟିକସ, ତାକୁ ନେଇ ସ୍ପଷ୍ଟ ନୁହନ୍ତି ରାଜଧାନୀର ବ୍ୟବସାୟୀ । ସେପଟେ ଜିଏସଟି ପଞ୍ଜୀକରଣ କରିଥିବା ବ୍ୟବସାୟୀ ସବୁକିଛି ଅନଲାଇନରେ କରିବା ବାଧ୍ୟତାମୂଳକ ହୋଇଥିବାବେଳେ ଅପଡେଟ୍ ହୋଇନାହିଁ ସଫ୍ଟୱେର । ବିଲ୍ ଦେବାକୁ ଅସମର୍ଥ ହେବାରୁ ଗ୍ରାହକଙ୍କୁ ଫେରାଇ ଦେବାକୁ ପଡୁଛି ।

କଟକ : କଟକ ସହରର ବ୍ୟବସାୟୀକ ପେଣ୍ଠସ୍ଥଳୀ ମାଲଗୋଦାମରେ ମଧ୍ୟ ସାମନ ଚିତ୍ର । ଅନ୍ୟ ଦିନ ଅପେକ୍ଷା ଏଠାରେ ଆଜି କମ ଭିଡ ଦେଖିବାକୁ ମିଳିଛି । ବିଭିନ୍ନ ସାମଗ୍ରୀ ଓ ସେବା ଉପରେ କେତେ ପ୍ରତିଶତ ଟିକସ ଧାର୍ଯ୍ୟ ହେବ ସେନେଇ ପର୍ଯ୍ୟୟକ୍ରମେ ଜିଏସଟି କାଉନସିଲ୍ ବୈଠକରେ ଚୂଡାନ୍ତ ହୋଇଛି । ହେଲେ ଖୁଚୁରା ବ୍ୟବସାୟୀଙ୍କ ନିକଟରେ ଏନେଇ କୌଣସି ସୂଚନା ନାହିଁ । ତେଣୁଁ ବିକ୍ରିବଟାଠାରୁ ଆରମ୍ଭ କରି ବିଲିଂ ପର୍ଯ୍ୟନ୍ତ ସବୁଥିରେ ଲାଗିରହିଛି ଭୀଷଣ ଦ୍ୱନ୍ଦ୍ୱ ।

ସମ୍ବଲପୁର : ସାରାଦେଶରେ ଗୋଟିଏ ଟିକସ ଲାଗୁହେବା ପରେ କେଉଁ ସାମଗ୍ରୀର ଦର କେତେ କମିବ ତାକୁ ନେଇ ଗ୍ରହକଙ୍କ ଭିତରେ ଉକ୍ରଣ୍ଠା । ଗତକାଲି ମଧ୍ୟରାତ୍ରରୁ ଜିଏସଟି ଲାଗୁହେବା ପରେ ସମ୍ବଲପୁର ବଜାରରେ ଲୋକେ କେବଳ ନୂଆ ଦର ବୁଝିବାକୁ ଦୋକାନରେ ପହଂଚୁଛନ୍ତି । ଆଗାମୀ ଦିନେ ଦୁଇଦିନ ଭିତରେ ନୂଆ ଦରକୁ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ବ୍ୟବସାୟୀ ଅନୁମାନ କରୁଛନ୍ତି ।

ଜୟପୁର : ଜୟପୁର ସହରର ଗାର୍ମେଂଟ୍ ବଜାରରେ ମଧ୍ୟ ଅଚଳାବସ୍ଥା । ତେବେ ନୂଆ ଟିକସ ଓ ନୂଆ ଦର ସଂପର୍କରେ ବିଶେଷ ଜଣାନଥିଲେ ବି ପୁରୁଣା ଦରରେ ପୋଷାକ ବିକ୍ରି କରୁଥିବା କହିଛନ୍ତି ବ୍ୟବସାୟୀ । କିଛିଦିନ ଭିତରେ ନୂଆଦର ସଂପର୍କିତ ତାଲିକା ଆସିବା ପରେ ଲାଭ, କ୍ଷତି ଜଣା ପଡିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥାକୁ ସମର୍ଥନ କରି ରାଜ୍ୟ ସରକାର ମଧ୍ୟ ଏହାକୁ ଲାଗୁ କରିଛନ୍ତି । ତେବେ ତରବରିଆ ଭାବେ ଜିଏସଟି ଲାଗୁ କରାଯାଇଥିବାରୁ ବ୍ୟବସାୟୀଙ୍କୁ ସାମଗ୍ରୀ ବିକ୍ରି କରିବାରେ ବିଶେଷ ଅସୁବିଧା ହେଉଥିବା କହିଛନ୍ତି ।