ଜିଏସଟି ଦ୍ୱନ୍ଦରେ ଓଡିଶା ! ବ୍ୟବସାୟୀ ପାଉନାହାଁନ୍ତି ନୂଆ ଟିକସର ହିସାବ କିତାବ

30

କନକ ବ୍ୟୁରୋ : ଓଡିଶା ବଜାରରେ ବିରାଟ ଦ୍ୱନ୍ଦ୍ୱ । ଜିଏସଟି ଗୋଲକଧନ୍ଦାରେ ସାରା ରାଜ୍ୟ । ନୂଆ ଟିକସ ବ୍ୟବସ୍ଥା ଲାଗୁ ହେବା ପରେ ଏହାର ହିସାବ କିତାବକୁ ନେଇ ସମସ୍ତେ ସନ୍ଦିହାନ ହୋପଡିଛନ୍ତି । ଔଷଧ ଦୋକାନଠାରୁ ଆରମ୍ଭ କରି ତେଜରାତି, ମୋବାଇଲ୍ ଓ ଇଲେକଟ୍ରୋନିକ୍ସ ଦୋକାନ ପର୍ଯ୍ୟନ୍ତ ସବୁଠି ସମାନ ଅବସ୍ଥା । ଏହାର ପ୍ରଭାବ ବ୍ୟବସାୟ ଉପରେ ବି ପଡୁଛି । ଦ୍ରବ୍ୟ ଓ ସେବା କର ଲାଗୁ ହେବାର ଦ୍ୱିତୀୟ ଦିନରେ କେମିତି ରହିଛି ରାଜ୍ୟର ବିଭିନ୍ନ ସହରରେ ବଜାର କାରବାର, ତାର ସ୍ଥିତି ପରଖିଥିଲା କନକ ନ୍ୟୁଜ୍ । କେଉଁଠି ଏଚଏସଏନ କୋର୍ଡ ଆସିନଥିବାରୁ ବିଲ କରିବାରେ ସମସ୍ୟା, ତ ଆଉ କେଉଁଠି ସପ୍ଲାୟର ମାଲ ଦେଉନଥିବା ଅଭିଯୋଗ । ଭାଟ୍ ଓ ଏକାଧିକ ଟିକସ ଯୁଗରୁ ଏକକ ଟିକସ ଯୁଗକୁ ପରିବର୍ତ୍ତନ ହେଉଥିବା ରାଜ୍ୟ ଏଥିପାଇଁ ଆଦୌ ପ୍ରସ୍ତୁତ ନଥିବା ସାମ୍ନାକୁ ଆସିଛି ।

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଏକ ପ୍ରମୁଖ ମେଡିକାଲ୍ ଷ୍ଟୋର ରବୀନ୍ଦ୍ର ହେଲ୍ଥ କେୟାର ପ୍ରାଇଭେଟ ଲିମିଟେଡ୍ । ବାର୍ଷିକ ୨୦ ଲକ୍ଷରୁ ଅଧିକ କାରବାର କରୁଥିବା ଏହି ମେଡିସିନ୍ ଷ୍ଟୋରରେ ଜିଏସଟି ଅଡୁଆ । ଦ୍ରବ୍ୟ ଓ ସେବାକର ପାଇଁ ରେଜିଷ୍ଟ୍ରେସନ୍ କରିଥିଲେ ମଧ୍ୟ ଏଚଏସନ କୋର୍ଡ ମିଳିନଥିବାରୁ ଜିଏସଟି ବାବଦ କେଉଁ ପ୍ରଡକ୍ଟ ଉପରେ କେତେ ଟିକସ ଲାଗିବ ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି ମେଡିସିନ ଷ୍ଟୋର ମାଲିକ । ସେହିପରି ପରଚେଜ ରେଟ୍ ଠିକ ହୋଇନଥିବାରୁ ସପ୍ଲାୟର ମାଲ ଦେଉନଥିବା ପ୍ରକାଶ କରିଛନ୍ତି କଟକର ମେଡିସିନ ଦୋକାନୀ ।

କଟକ : ସେପଟେ କଟକ ସହରର ବ୍ୟବସାୟିକ ପେଣ୍ଠସ୍ଥଳୀ ମାଲଗୋଦାମରେ ମଧ୍ୟ ଜିଏସଟି ଦ୍ୱନ୍ଦ୍ୱ । ଅଧିକାଂଶ ପ୍ୟାକେଟ ସାମଗ୍ରୀ ଉପରେ ଜିଏସଟି ଧାର୍ଯ୍ୟ ହୋଇଥିବାବେଳେ, ଏନେଇ ଆଜିଯାଏ ଦ୍ୱନ୍ଦ୍ୱରେ ଅଛନ୍ତି ମାଲଗୋଦାମ ବ୍ୟବସାୟୀ । ଫଳରେ ଜିଏସଟି ଲାଗୁ ହେବାର ଦ୍ୱିତୀୟ ଦିନରେ ମଧ୍ୟ ବେପାର ମାନ୍ଦାଥିବା ପ୍ରକାଶ କରିଛନ୍ତି । ନୂଆ ଟିକସ ଅନୁଯାୟୀ ବିଲ ଦେବାରେ ବିଶେଷ ସମସ୍ୟା ହେଉଥିବା କହିଛନ୍ତି ।

ମୋବାଇଲ ବଜାରରେ ମଧ୍ୟ ଜିଏସଟି ପ୍ରଭାବ । ଜୁନ ୩୦ ମଧ୍ୟରାତ୍ରିରେ ଦ୍ରବ୍ୟ ଓ ସେବାକର ଲାଗୁ ହେବା ପରେ ମୋବାଇଲ ଦୋକାନରେ ଲାଗୁନି ଗ୍ରାହକଙ୍କ ଗହଳି । ଜିଏସଟି ପରେ କାଳେ ବିଭିନ୍ନ ବ୍ରାଣ୍ଡର ମୋବାଇଲ ହ୍ୟାଣ୍ଡସେଟ ଦର କମିବ , ସେହି ଆଶଙ୍କାରେ ଲୋକେ କେବଳ ଦର ପଚାରିବାକୁ ଆସୁଥିବାବେଳେ କିଣିବାକୁ କୁଣ୍ଠା ପ୍ରକାଶ କରୁଥିବା କହିଛନ୍ତି ବ୍ୟବସାୟୀ ।

ବାଲେଶ୍ୱର : ବାଲେଶ୍ୱର ବଜାରରେ ପୁରୁଣା ଦରରେ ବିକ୍ରି ହେଉଛି ଇଲେକଟ୍ରୋନିକ୍ସ ଉପକରଣ । ତେବେ ଜିଏସଟି ଲାଗୁ ହେବା ପୂର୍ବରୁ ଯେଉଁ ଗହଳି ଲାଗୁ ହେଉଥିଲା, ଜୁଲାଇ ପହିଲାରୁ ଆଉ ସେ ଭିଡ ନାହିଁ । ଲୋକେ ସାମଗ୍ରୀ କିଣିବାକୁ ଆସିଲେ ପ୍ରଡକ୍ଟର ଫିଚର ବୁଝାଇବା ପରିବର୍ତେ ପ୍ରଥମେ ଜିଏସଟି ସଂପର୍କରେ ବୁଝିବାକୁ ଚାହୁଁଥିବା କହିଛନ୍ତି ଜଣେ ସେଲ୍ସମ୍ୟାନ ।

ଟିକସ ସରଳିକରଣ ପାଇଁ ପ୍ରାୟ ୧୭ଟି ଟିକସକୁ ଉଚ୍ଛେଦ କରି ସାରା ଦେଶରେ ଲାଗୁହେଲା ଏକକ ଟିକସ ବ୍ୟବସ୍ଥା ଜିଏସଟି । ହେଲେ ଏହି ଜିଏସଟି ଗୋଲକଧନ୍ଦାରେ ପଡି ଓଡିଶାର ବଜାର କାରବାର ବାଧାପ୍ରାପ୍ତ ହୋଇଛି ଏବଂ ଏହି ଦ୍ୱନ୍ଦ୍ୱ ଆହୁରି କିଛିଦିନ ଲାଗିରହିବା ଆଶଙ୍କା କରାଯାଉଛି ।