ମୋଦି ସରକାରଙ୍କ ବଡ ସଫଳତା ! ଜାନୁଆରୀରେ ଜିଏସଟିରୁ ମିଳିଲା ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ।

183

ଜିଏସଟି କଲେକସନ୍ ନେଇ ମୋଦି ସରକାରଙ୍କୁ ମିଳିଛି ବଡ ସଫଳତା । ଅର୍ଥ ମନ୍ତ୍ରାଳୟର ତାଜା ଆକଳନ ଅନୁଯାୟୀ, ଗତ ଜାନୁଆରୀ ମାସ ଶେଷ ସୁଦ୍ଧା ମୋଟ୍ ୧.୦୨ ଲକ୍ଷ କୋଟି ଜିଏସଟି କଲେକସନ ହୋଇଛି । ସୂଚନା ଅନୁଯାୟୀ, ଜାନୁଆରୀ ୨୦୧୮ରେ ଜିଏସଟିରୁ ମୋଟ୍ ୮୯, ୮୨୫ କୋଟି ଟଙ୍କା ଆଦାୟ ହୋଇଥିଲା । ତେବେ ଚଳିତବର୍ଷ ଜାନୁଆରୀରେ ଏହା ୧ ଲକ୍ଷ କୋଟି ଟଙ୍କା ଟପିଯାଇଛି । ତେବେ ଏହା ପୂର୍ବରୁ ମଧ୍ୟ ଗତ ଅପ୍ରେଲ ଏବଂ ଅକ୍ଟୋବର ମାସରେ ଜିଏସଟି କଲେକସନ୍ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଥିଲା ।

ଅର୍ଥ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଜାନୁଆରୀ ୨୦୧୯ରେ ମୋଟ୍ ୧,୦୨,୫୦୩ କୋଟି ଟଙ୍କା ଜିଏସଟି କଲେକସନ୍ ହୋଇଛି । ଏଥିରେ କେନ୍ଦ୍ରୀୟ ଜିଏସଟି ୧୭,୭୬୪ କୋଟି ରହିଥିବା ବେଳେ ରାଜ୍ୟ ଜିଏସଟି ୨୪,୮୨୬ କୋଟି, ଏକକ ଜିଏସଟି ୫୧,୨୨୫ କୋଟି ଏବଂ ସେସ୍ ୮,୬୯୦ କୋଟି ଟଙ୍କା ରହିଛି ।

ତେବେ ଯଦି ବିଗତ ମାସର ଆକଳନ ଦେଖିବା, ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ମାସ ଏପ୍ରିଲରେ ଜିଏସଟି କଲେକସନ୍, ୧.୦୩ ଲକ୍ଷ କୋଟି ରହିଥିଲା । ସେହିପରି ମେ ମାସରେ ୯୪,୦୧୬ କୋଟି ଟଙ୍କା, ଜୁନରେ ୯୫,୬୧୦ କୋଟି ଟଙ୍କା, ଜୁଲାଇରେ ୯୬,୪୮୩ କୋଟି ଟଙ୍କା, ଅଗଷ୍ଟରେ ୯୩.୯୬୦ କୋଟି ଟଙ୍କା ଏବଂ ସେପ୍ଟେମ୍ବରରେ ୯୪,୪୪୨ କୋଟି ଟଙ୍କା ଜିଏସଟି କଲେକସନ୍ ହୋଇଥିଲା । ସେହିପରି ଅକ୍ଟୋବର ମାସରେ ଜିଏସଟି କଲେକସନ୍ ୧,୦୦,୭୧୦ କୋଟି ଟଙ୍କା ରହିଥିବା ବେଳେ ନଭେମ୍ବରରେ ୯୭,୬୩୭ କୋଟି ଟଙ୍କା ଏବଂ ଡିସେମ୍ବରରେ ୯୪,୭୨୫ କୋଟି ଟଙ୍କା ହୋଇଥିଲା ।